ରାହୁଲଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ କଂଗ୍ରେସ ନେତା ସଲମାନ୍ ଖୁର୍ସିଦ୍
ନୂଆଦିଲ୍ଲୀ : ଆଉ ମାତ୍ର କିଛିଦିନ ପରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରଚାର ଆରମ୍ଭ କରିସାରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଯାବତ୍ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି । ନିର୍ବାଚନ ସମୟରେ ରାହୁଲ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି । ତେବେ ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ସଲମାନ୍ ଖୁର୍ସିଦ୍ ରାହୁଲ ଗାନ୍ଧୀଙ୍କୁ ନେଇ ଯେଉଁ ଟିପ୍ପଣୀ ରଖିଛନ୍ତି ତାହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ଖୁର୍ସିଦ୍ କହିଛନ୍ତି, ଗତ ଲୋକସଭା ନିର୍ବାଚନରେ ଆମେ କାହିଁକି ହାରିଲୁ ସେ ବିଷୟରେ ଆମେ କିଛି ଆକଳନ କି ଆତ୍ମସମୀକ୍ଷା କରିନାହୁଁ । ଆମର ସବୁଠାରୁ ବଡ଼ ସମସ୍ୟା ହେଉଛି ଆମ ନେତା ଦଳ ଛାଡ଼ି ପଳାଉଛନ୍ତି । ରାହୁଲ ସଭାପତି ପଦରୁ ଇସ୍ତଫା ଦେବା ପରଠାରୁ ଏହି ପ୍ରକ୍ରିୟା ଜାରି ରହିଛି ।
ସଲମାନ୍ଙ୍କ ସହ ସ୍ୱର ମିଳାଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କହିଛନ୍ତି, କଂଗ୍ରେସର ଏବେ ଆତ୍ମସମୀକ୍ଷା ଜରୁରୀ ହୋଇପଡ଼ିଛି, ଅନ୍ୟଥା ଏହା ଧ୍ୱଂସ ଆଡ଼କୁ ଗତି କରିବ । ସେହିପରି କଂଗ୍ରେସ ନେତା ସଂଜୟ ନିରୁପମ ମଧ୍ୟ ଖୁର୍ସିଦ୍ଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ନିରୁପମ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ଦଳକୁ ସାହାଯ୍ୟ କରିପାରିବେ ବୋଲି ସେ ବିଶ୍ୱାସ କରୁଛନ୍ତି ।
ତେବେ ଖୁର୍ସିଦ୍ଙ୍କର ଏହି ଟିପ୍ପଣୀ ପାଇଁ କଂଗ୍ରେସ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି କୁହାଯାଇଛି ଯେ, ଖୁର୍ସିଦ୍ ଏଭଳି ଟିପ୍ପଣୀ ଦେବା ପରିବର୍ତ୍ତେ ବିଜେପିର ବିଫଳତା ପଦାରେ ପକାଇବା ଦିଗରେ ଅଧିକ ଫୋକସ୍ କରିବା ଉଚିତ ।


