ରାହୁଲଙ୍କ ବିପକ୍ଷରେ ତୁଷାର ବେଲ୍ଲାପଲ୍ଲୀ
ଥିରୁଅନନ୍ତପୁରମ୍(ଏଜେନ୍ସି): ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । କେରଳର ୱାୟନାଡ୍ ଲୋକସଭା ଆସନ ପାଇଁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସୋମବାର ତୁଷାର ବେଲ୍ଲାପଲ୍ଲୀଙ୍କୁ ନିଜ ପ୍ରାର୍ଥୀ ଘୋଷିତ କରିଛି । କେରଳରେ ବିଜେପି ସହ ମେଣ୍ଟ କରିଥିବା ଭାରତ ଧର୍ମ ଜନସେନା (ବିଡିଜେଏସ) ପାର୍ଟିର ଅଧ୍ୟକ୍ଷ ତଥା କେରଳ ଏନ୍ଡିଏର ସଂଯୋଜକ ତୁଷାର ବେଲ୍ଲାପଲ୍ଲୀ ସ୍ଥାନୀୟ ଅଞ୍ଚଳରେ ଜଣେ ଅଜସ୍ୱୀ ଯୁବ ନେତା ଭାବେ ଲୋକପ୍ରିୟ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଟ୍ୱିିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି । ତେବେ ଏହି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଥିବାରୁ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ବେଲ୍ଲାପଲ୍ଲୀଙ୍କ ସହ ହେବ । କେରଳର ୨ଠ ଲୋକସଭା ଆସନ ପାଇଁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ବିଡିଜେଏସ୍କୁ ୫ଟି ଆସନ ମିଳିଛି । ଏତଦ୍ବ୍ୟତୀତ ଏନ୍ଡିଏର ଅନ୍ୟତମ ସହଯୋଗୀ ଦଳ ଯଥା କେରଳ କଂଗ୍ରେସକୁ ୧ଟି ଓ ବିଜେପି ୧୪ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବେ । ପ୍ରକାଶ ଯେ, ତୁଷାରଙ୍କୁ ପୂର୍ବରୁ ତ୍ରିସୁରରୁ ଟିକଟ ଦିଆଯାଇଥିଲା ଏବଂ ତୁଷାର ସେଠାରେ ପ୍ରଚାର ଆରମ୍ଭ କରିଥିଲେ । ବିଡିଜେଏସ୍ ପ୍ରଥମ ଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ପୂର୍ବରୁ ୱାୟନାଡ୍ ଆସନରେ ଅନ୍ୟ ଜଣେ ନେତାଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ରାହୁଲ ଏହି ଆସନରୁ ପ୍ରାର୍ଥୀ ହେବା ସ୍ପଷ୍ଟ ହେବାପରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ।
ୱାୟାନାଡ୍ ଆସନରୁ ରାହୁଲଙ୍କ ପ୍ରାର୍ଥିୀତ୍ୱକୁ ନେଇ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ସହଯୋଗୀ ବାମଦଳ କିନ୍ତୁ କ୍ଷୁବ୍ଧ ହୋଇପଡିଛି । ରାହୁଲଙ୍କ ଓ୍ାୟନାଡ୍ରୁ ଲଢିବା ନେଇ ବାମପନ୍ଥୀଦଳ ନେତା କ୍ରୋଧରେ ଏପରି ମଧ୍ୟ କହିପକାଇଛନ୍ତି ଯେ, ଏଠାରେ ରାହୁଲଙ୍କ ପରାଜୟକୁ ସୁନିଶ୍ଚିତ କରାଯିବ । ସିପିଏମ୍ ନେତା ପ୍ରକାଶ କରାତ୍ କହିଛନ୍ତି ଯେ, ରାହୁଲ ବାମଦଳକୁ ଟାର୍ଗେଟ୍ କରିବା ପାଇଁ କେରଳ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ସିପିଏମ୍ ବ୍ୟତୀତ ସିପିଆଇ ମଧ୍ୟ କହିଛି ଯେ, କଂଗ୍ରେସର ଏହି ନିଷ୍ପତ୍ତିରୁ ଜଣା ପଡୁଛି ଯେ, ସେମାନେ ବାମପନ୍ଥୀ ସହ ଲଢେଇ କରିବାକୁ ଚାହୁଁଛନ୍ତି । ତେଣୁ ବାମପନ୍ଥୀ ଦଳ ଏଠାରେ ଏକଜୁଟ୍ ହୋଇ ରାହୁଲଙ୍କ ପରାଜୟକୁ ସୁନିଶ୍ଚିତ କରିବେ ।
ଏପରି ଏକ ସ୍ଥିତିରେ ରାଜ୍ୟ ବିଜେପି ନେତା କିନ୍ତୁ ବେଶ୍ ଉତ୍ସାହିତ ହୋଇଉଠିଥିବା ଦେଖିବାକୁ ମିଳୁଛି । ବିଜେପିର ଏହି ଖୁସି ପଛରେ ଦୁଇଟି କାରଣ ଥାଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି । ପ୍ରଥମ କାରଣ, ୱାୟନାଡ୍ରେ ରାହୁଲ ନିର୍ବାଚନ ଲଢିବା ଦ୍ୱାରା ରାଜ୍ୟରେ ଏବେ କଂଗ୍ରେସ ଏବଂ ବାମଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଏହି ଦୁଇଟି ଦଳ ବିଜେପି ବିରୋଧୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ନିଶ୍ଚିତ ଭାବେ ବିଜେପିକୁ ଲାଭଦାୟକ ସାବ୍ୟସ୍ତ ହେବ । ଦକ୍ଷିଣ ଭାରତରେ କର୍ଣ୍ଣାଟକକୁ ଛାଡି ଦେଲେ ବିଜେପି ଅନ୍ୟ କୌଣସି ରାଜ୍ୟରେ ଅଧିକ ଶକ୍ତିଶାଳୀ ହୋଇପାରିନାହିଁ । ଏପରି ସ୍ଥିତିରେ କଂଗ୍ରେସ-ବାମ ମଧ୍ୟରେ ଯଦି ଲଢେଇ ହୁଏ ତେବେ ବିଜେପି ପାଇଁ ଏହା ଏକ ବିକଳ୍ପ ହେବ ।


