ରାହୁଲ୍‌ଙ୍କ ବିରୁଦ୍ଧରେ ମାନହାନୀ ମୋକଦ୍ଦମା କରିବେ ସଭର୍‌କର୍‌ଙ୍କ ନାତି

ନୂଆଦିଲ୍ଲୀ: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର୍‌ ସଭର୍‌କର୍‌ ବର୍ତ୍ତମାନ ସମୟରେ ରାଜନୀତି ମଇଦାନରେ ଖେଳ ସାମଗ୍ରୀ ହୋଇଥିବା ବେଳେ ଏଥିରେ ମର୍ମାହତ ହୋଇଛନ୍ତି ତାଙ୍କ ନାତି ରଞ୍ଜିତ ସଭର୍‌କର୍‌। କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍‌ ଗାନ୍ଧି ବିଜେପିକୁ ଟାର୍ଗେଟ୍‌ କରିବାକୁ ଯାଇ ସଭର୍‌କର୍‌ଙ୍କ ନାମର ଉପଯୋଗ କରିଥିବାରୁ ଏହାକୁ ନେଇ ଏବେ ଜୋର୍‌ଦାର ତୁମ୍ଭିତୋଫାନ ହୋଇଛି। ରାହୁଲ୍‌ଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ମନ୍ତବ୍ୟ ପ୍ରତିବାଦରେ ଲୋକସଭାରେ ବିଜେପି ଓ ସହଯୋଗୀ ଦଳର ସାଂସଦମାନେ ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। କିନ୍ତୁ ରାହୁଲ୍‌ କୌଣସି ପରିସ୍ଥିତିରେ ବି କ୍ଷମା ମାଗିବେ ନାହିଁ ବୋଲି କହିବା ସହ ସେ ରାହୁଲ୍‌ ସଭର୍‌କର ନୁହନ୍ତି, ରାହୁଲ୍‌ ଗାନ୍ଧି ବୋଲି କହିଥିଲେ। ରାହୁଲ୍‌ଙ୍କ ଏପରି ବିବାଦୀୟ ବୟାନରେ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରଞ୍ଜିତ ସଭର୍‌କର୍‌ ମଧ୍ୟ ଏହାକୁ ସମାଲୋଚନା କରିଥିଲେ। ବର୍ତ୍ତମାନ ରଞ୍ଜିତ ଏହି ମାମଲାରେ ରାହୁଲ୍‌ଙ୍କୁ କୋର୍ଟକୁ ଟାଣିବେ ବୋଲି କହିଛନ୍ତି। ରାହୁଲ୍‌ ତାଙ୍କ ଜେଜେବାପାଙ୍କୁ ଅପମାନିତ କରିଥିବାରୁ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିବେ ବୋଲି ରବିବାର ରଞ୍ଜିତ କହିଛନ୍ତି।
ଏଥିସହ ରଞ୍ଜିତ ଖୁବ୍‌ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଭେଟି ରାହୁଲ୍‌ଙ୍କ ମନ୍ତବ୍ୟ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି। ରଞ୍ଜିତ କହିଛନ୍ତି ଯେ ମହାରାଷ୍ଟ୍ରରେ କ୍ଷମତାରେ ଥିବା ଶିବସେନା ପାଇଁ ହିନ୍ଦୁତ୍ବ ହେଉଛି ପ୍ରମୁଖ ଆଦର୍ଶ। ତେଣୁ ଉଦ୍ଧବ ହିନ୍ଦୁତ୍ବର ପ୍ରତୀକ ଥିବା ସଭର୍‌କର୍‌ଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ୍‌ଙ୍କ ବିରୋଧରେ ଉଦ୍ଧବ ଠୋସ୍‌ ପଦକ୍ଷେପ ନେବେ ବୋଲି ରଞ୍ଜିତ ଆଶା କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରି ଶିବସେନା ସରକାର ଗଠନ କରିଥିଲେ ମଧ୍ୟ ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ଏହି ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପକାଇବା ଉଚିତ। ଆମକୁ ସ୍ବାଧୀନତା ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ କୌଣସି ପ୍ରକାର ଅପମାନଜନକ ମନ୍ତବ୍ୟ ଦେବା ଅନୁଚିତ। ସଭର୍‌କର୍‌ଙ୍କୁ ଅସମ୍ମାନିତ କରି କଂଗ୍ରେସ ଶିବସେନାର ଆଦର୍ଶକୁ ଗୋଇଠା ମାରିଛି। ତେଣୁ ଶିବସେନା କଂଗ୍ରେସକୁ ମେଣ୍ଟରୁ ହଟାଇ ଦଳୀୟ ଆଦର୍ଶକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ରଞ୍ଜିତ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନକୁ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୋଲି ଅଭିହିତ କରିବା ପରେ ରାହୁଲ୍‌ କ୍ଷମା ମାଗିବା ଉଚିତ ବୋଲି ଦାବି ହୋଇଥିଲା। କିନ୍ତୁ ସେ ରାହୁଲ୍‌ ସଭର୍‌କର ନୁହନ୍ତି, ରାହୁଲ୍‌ ଗାନ୍ଧି, ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ରାହୁଲ୍‌ ଶନିବାର ଏଠାରେ ଆୟୋଜିତ ଭାରତ ବଚାଓ ରାଲିରେ ମତ ଦେଇଥିଲେ। ଅଧିକନ୍ତୁ ସେ କ୍ଷମା ମାଗିବା ଉଚିତ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସହଯୋଗୀ ଅମିତ୍‌ ଶାହ ଦେଶର ଅର୍ଥନୈତିକ ସ୍ଥିତିକୁ ତଳିତଳାନ୍ତ କରିଥିବାରୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବା ଦରକାର ବୋଲି ରାହୁଲ୍‌ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ