ରାୟଗଡ। ପ୍ରଶାସନ ପାଲଟିଛି ସ୍ଥାଣୁ ସଭା ସମିତି ପ୍ରତିଶୃତିରେ ସମିତ ସବୁକିଛି
ରାୟଗଡା -ରାଜ୍ୟରେ ରହିଥିବା ଗରିବ ଗୁରୁବା ଓ ଦାରିଦ୍ର୍ୟ ସୀମାରେଖା ତଳେ ରହି ଅତି ଦୁଃଖ କଷ୍ଟରେ ଚଳୁଥିବା ଜନ ସମୁଦାୟ ମାନଙ୍କ ପାଇଁ ଅନେକ ଜନ ହିତକାରୀ ଯୋଜନା ପ୍ରଣୟନ କରିଛନ୍ତି ସରକାର । ଆର୍ଥିକ ଦୁଃସ୍ତିତିରେ ଯେଉଁ ମାନେ କାଳାତିପାତ କରୁଛନ୍ତି ଓ ଅନ୍ନ ମୁଠାକ ପାଇଁ ସଂଘର୍ଷ ଜାରି ରଖିଛନ୍ତି, ସେମାନଙ୍କ ସାମାଜିକ ଓ ଅର୍ଥୀକ ବିକାଶ ପାଇଁ ରହିଛି ଅନେକ ସରକାରୀ ଯୋଜନା, କିନ୍ତୁ ପ୍ରଣୟନ କରାଯାଇ ଥିବା ଉକ୍ତ ଯୋଜନା ଗୁଡିକର ସଫାଳ ରୂପାୟନ ହୋଇ ପାରୁ ନଥିବା ଅଭିଯୋଗର ଫର୍ଦ୍ଦ ବଢିବାରେ ଲାଗିଛି । ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାର ସୁଫଳ ପାଇ ପାରୁନାହାନ୍ତି । ଏହା ଘଟୁଛି କେବଳ ସରକାରୀ ବାବୁ ମାନଙ୍କ ଅବହେଳା ଯୋଗୁଁ । ସରକାରତ ଯୋଜନା ପ୍ରଣୟନ କରି ଦେଉଛନ୍ତି ସତ କିନ୍ତୁ ସେ ସବୁ ଯୋଜନାର ସୁଫଳ ହିତାଧିକାରୀଙ୍କ ପାଖରେ ପହଂଚି ପାରୁଛି କି ନାହିଁ ତାର ସଠିକ ତଦାରଖ କରୁ ନଥିବାରୁ ତୃଣମୂଳ ସ୍ତରରେ ସେ ସବୁ ଯୋଜନା କାର୍ଯ୍ୟକାରୀ ହୋଇନପାରି ବାଟମାରଣା ହୋଉଥିବା ଅନେକ ନଜିର ରହିଛି । ସରକାର ଯଦି ତଦାରଖ କରି ଅବହେଳା କରୁଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଆନ୍ତା ହୁଏତ ଯୋଜନା ଗିଡିକର ଉଦ୍ଦେଶ୍ୟ ସାଧିତ ହୋଇପାରିଥାଆନ୍ତା । ଏପରି ଏକ ଘଟଣା ଅନୁସନ୍ଧାନ ପରେ ସାମନାକୁ ଆସିଛି କୋଲନରା ବ୍ଲକ ସ୍ଥିତ ଗୌଡଲେଲିବାଡି ଗ୍ରାମର ୭୦ ବର୍ଷ ବୟସ୍କା ବୃଦ୍ଧା ତୁଳସୀ ସାରକା, ରାସନ କାର୍ଡ ଖଣ୍ଡେ ପାଇବା ପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରି ଚାଲିଛନ୍ତି । ଆଜିଯାକ ପାଇପାରି ନାହାନ୍ତି ପଂଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ଦ୍ୱାରସ୍ତ ହୋଇ ଗୁହାରୀ ଜଣାଇଛନ୍ତି, ହେଲେ ବାବୁ ମାନଙ୍କ ଶୁଭ ଦୃଷ୍ଟି ଏ ପର୍ଯ୍ୟନ୍ତ ପଡିପାରୁନି, ତଥାପି ଏହି ପରିଣତ ବୟସରେ ଉପନୀତ ହୋଇ ସରିଥିବା ବୃଦ୍ଧା ତୁଳସୀ ଆଜି ମଧ୍ୟ କାର୍ଡ ଖଣ୍ଡେ ପାଇବା ପାଇଁ ସଂଘର୍ଷ ଜାରୀ ରଖିଛନ୍ତି । ତାଙ୍କ ନିକଟରେ ଭୋଟ ପରିଚୟ ପତ୍ର ସହ ଆଧାର ପରିଚୟ ପତ୍ର ମଧ୍ୟ ରହିଛି । ଦେଖାଯାଉ ତୁଳସୀଙ୍କୁ କେବେ ସରକାରୀ ବାବୁଙ୍କ କୃପା ଦୃଷ୍ଟି ପଡୁଛି ଓ ତାଙ୍କୁ କାର୍ଡ ଖଣ୍ଡେ ମିଳୁଛି ।


