ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ

ରାୟଗଡା,( ଦୁର୍ଗା ପ୍ରସାଦ ପାଢ଼ୀ): ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାବରିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ ଏକ ଦିନିଆ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଏକ୍ସପୋଜର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗର ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ, ଆକ୍ସନ ଏଡ଼ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତନେଶ୍ୱର ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ, ଏହି କାର୍ଯ୍ୟକ୍ରମ ଅଧୀନରେ କିଶୋର କିଶୋରୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ, ରାୟଗଡ଼ ପୌର ପରିଷଦର କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରଭୃତି ବୁଲି ଦେଖିଥିଲେ I ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଚାଳକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ସୁବିଧା ଗୁଡିକ ବିଷୟରେ କିଶୋର କିଶୋରୀ ମାନଙ୍କୁ ବୁଝାଇଥିଲେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଥିବା ସୁବିଧା ଗୁଡିକ, ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଥିବା ସୁବିଧା ଗୁଡିକ ବିଷୟରେ ବୁଝାଇଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ବିଚାରପତି ସୁବ୍ରତ ଆଚାର୍ଯ୍ୟ ଆଇନ ସେବା ପ୍ରାଧିକରଣଙ୍କ ମାଧ୍ୟମରେ ଦିଆଯାଉଥିବା ସୁବିଧା, ମାଗଣା ଆଇନ ସହାୟତା କେନ୍ଦ୍ର, ସରକାରଙ୍କ ବିଭିନ୍ନ ଅଂଶ, ଆଇନ କିପରି ପ୍ରସ୍ତୁତ କରାଯାଏ, ନ୍ୟାୟ ପାଳିକାଙ୍କ ଭୂମିକା ପ୍ରଭୃତି ବିଷୟରେ ବୁଝାଇଥିଲେ I ଏହାପରେ କିଶୋର କିଶୋରୀ ମାନେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ଯାଇ ଖାତା ଖୋଲିବା, ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ସୁବିଧା ଗୁଡିକ ବିଷୟରେ ବୁଝାଇଥିଲେ I ଏହାପରେ ଅଦ୍ବିକାକ୍ଲବର ସଦସ୍ୟ ସଦସ୍ୟାମାନେ ରାୟଗଡ଼ ପୌର ପରିଷଦ ବୁଲିବାକୁ ଯାଇଥିଲେ ସେଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ଦ୍ୱାରା ପୌର ପ୍ରଶାସନ ଦ୍ୱାରା ଦିଆଯାଉଥିବା ସୁବିଧା ଓ ସେବା ଗୁଡିକ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା I ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ପୌରପାଳିକାର ପ୍ରଶାସନିକ ବ୍ୟବସ୍ଥା ଓ ନିହାତି ଆବଶ୍ୟକ ଥିବା ସୁବିଧା ଗୁଡିକ ଓ ଜନମଙ୍ଗଳ ରାଷ୍ଟ୍ରର ଉତ୍ତରଦାୟିତ୍ୱ ବିଷୟରେ ବୁଝାଇଥିଲେ I ଏହାପରେ ଅଦ୍ବିକାକ୍ଲବର ସଦସ୍ୟ ସଦସ୍ୟାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୁଲିଦେଖିଥିଲେ I ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ଜିଲ୍ଲା ଦକ୍ଷତା ଓ ନିଯୁକ୍ତି ଅଧିକାରୀ ଶ୍ରୀ ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁମାରୀ ବିଚିତ୍ରା ସେଠିଙ୍କ ସହ ଆଲୋଚନା କରିଥିଲେ I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଆଶା ଓ ଲକ୍ଷ୍ୟ କୁ ଛାଡିବା ନାହିଁ ଓ ନିୟମିତ ଭାବେ ପାଠ ପଢିବା ବିଷୟରେ କିଶୋର କିଶୋରୀ ମାନଙ୍କୁ ବୁଝାଇଥିଲେ I ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ମହାପାତ୍ର ଦକ୍ଷତା ବିକାଶ ପାଇଁ ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ବୁଝାଇ କହିଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁମାରୀ ବିଚିତ୍ରା ସେଠି ସମ୍ବେଦନଶୀଳ ଶିଶୁ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଉଥିବା ସୁବିଧା ଗୁଡିକ ବିଷୟରେ ବୁଝାଇଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଦେଓ ଅଦ୍ବିକ କାର୍ଯ୍ୟକ୍ରମ ଓ କୌଣସି ପିଲା ଯେପରି ବିଦ୍ୟାଳୟ ନ ଯାଇ ରହିବେ ନାହିଁ ସେ ବିଷୟରେ କିଶୋର କିଶୋରୀ ମାନେ ତଦାରଖ କରିବା ବିଷୟରେ କହିଥିଲେ I ଏହାପରେ କିଶୋର କିଶୋରୀ ମାନେ ନିଜ ନିଜ ଘରକୁ ଫେରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ