ରାୟଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ମହୋତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ବିଭିନ୍ନ ସ୍ଥାନରେ ଶ୍ରୀ ରାମ ନବମୀ ମହୋତ୍ସବ ରବିବାର ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ପାରଳାଞ୍ଚଳ ଜାରା ଶବରକୁଳ ସଂସ୍କାର ସମିତି ପକ୍ଷରୁ ବହୁ ଆଡ଼ମ୍ବର ସହକାରେ କରଡ଼ାସିଂ ଗ୍ରାମ ଠାରେ ଶ୍ରୀରାମ ନବମୀ ଅନୁଷ୍ଠତି ହୋଇଯାଇଛି l ସଭାପତି ନନ୍ଦ ରାଗସଙ୍କ ସଭାପତିତ୍ବରେ ଲାଞ୍ଜିପଦର ଓ ଡମ୍ବlପୁର ରୁ ପବିତ୍ର ମହେନ୍ଦ୍ରତନୟା ନଦୀରୁ କଳସ ଯାତ୍ରା କରି ଉତ୍ସବ ସ୍ଥାନରେ ପହଞ୍ଚିଥିଲେ l ଏହାସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀକାକୁଲମ ଜିଲ୍ଲାର ମଞ୍ଜୁସା ମଣ୍ଡଲ ଡବାର ଗ୍ରାମର ସ୍ଵାମୀ ବାଳକୃଷ୍ଣ ଦାସ ମହାରାଜ ଯୋଗଦେଇ ଶ୍ରୀ ରାମ ନବମୀର ମହତ୍ତ୍ଵ ଉପରେ ପ୍ରବଚନ ଦେଇଥିଲେ l ଉପଦେଷ୍ଟା ରାଧାକୃଷ୍ଣ ଜାନି, ସୀମାଦ୍ରି ଦଳାଇ, ବିଜୟ ରାଉତ, ସୌରୀ ଜାନି, ଉପ ସଭାପତି ପଞ୍ଚମନ କୁମ୍ଭ, ସମ୍ପାଦକ ପ୍ରଫୁଲ ରାଉତ, ସହସମ୍ପାଦକ କୃଷ୍ଣ ଚନ୍ଦ୍ର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ l ପରେ ପାରଳାଞ୍ଚଳ ଜାରା ଶବରକୁଳ ସଂସ୍କାର ସମିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଅଞ୍ଚଳର ବୁଦ୍ଧିଜିବୀଙ୍କ ସହ ପ୍ରାୟ ୭୦ ଖଣ୍ଡ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ସୁରେନ୍ଦ୍ର ଦଳାଇ, ଶିବ ଶଙ୍କର ଭୂୟାଁ, ଜଗବନ୍ଧୁ ରାଉତ ପ୍ରମୁଖ ପରିଚାଳନା କରିଥିବା ବେଳେ ସମିତି ସଭ୍ୟସଭ୍ୟା, ବିଚାରକ ମଣ୍ଡଳୀ ଏବଂ କୁଳର ଅନ୍ୟ ଅଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ I ସେହିପରି ଡମ୍ବlଳ ପଞ୍ଚାୟତର ମଣ୍ଡଳ ସାହି ଗୁଣ୍ଡିଚା ମନ୍ଦିର ଠାରେ ଗତ ସପ୍ତମୀ ତିଥି ଠାରୁ ପୂଜା ପାଠ, ଯାଜ୍ଞ ଓ ପରାୟଣ କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ କରାଯାଇଛି l ସଭାପତି ଚୈତନ୍ୟ କାର୍ଯ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ନବମୀ ତିଥିରେ ମାନସ ବକ୍ତା ପଣ୍ଡିତ ବିପ୍ର ଚରଣ ମିଶ୍ର ଯୋଗ ଦେଇ ରାମ ଚରିତ ମାନସ ଉପରେ ମତ ରଖିଥିଲେ l ଏଥିରେ ମୁଖ୍ୟ ଅତିଥି ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଅଧ୍ୟାପକ ଅର୍ଜୁନ ମଣ୍ଡଳ, ମାଧବ ଖୁଣ୍ଟିଆ, ଅମ୍ବିକା ପ୍ରସାଦ ସେଠୀ, ପଣ୍ଡିତ ରାଜେଶ ତ୍ରିପାଠୀ, ଜଗନ୍ନାଥ ମଣ୍ଡଳ, ସୁରେନ୍ଦ୍ର ଦାସ, ଗୌରାଙ୍ଗ ଗମାଙ୍ଗଙ୍କ ସହ ଅଞ୍ଚଳର ସତସଙ୍ଗ କାର୍ଯ୍ୟକର୍ତ୍ତା, ପଞ୍ଚାୟତ ପ୍ରତିନିଧି ଏବଂ ୪୦ ଗୋଟି ଗ୍ରାମର ହାଜର ହାଜର ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ l


