ରିଲିଜ୍ ହେଲା ‘ବାଗୀ ୩’
ଟାଇଗର ଶ୍ରଫ, ଶ୍ରଦ୍ଧା କପୁର, ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେଙ୍କ ଅଭିନୀତ ସିନେମା ‘ବାଗୀ ୩’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍ ହୋଇଯାଇଛି। ଏହି ଫିଲ୍ମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଫିଲ୍ମ ରିଲିଜ୍ ପରେ ଦର୍ଶକଙ୍କ ପ୍ରତିକ୍ରିୟା ଯେଉଁ ଭଳି ଭାବେ ମିଳୁଛି, ଏହା ତାହାର ପ୍ରମାଣ। ବକ୍ସ ଅଫିସ୍ରେ ଧମାକାଦାର ଓପନିଂ କରିଛି। ‘ବାଗୀ ୩’ ସିନେମାଭାରତରେ ୪୪୦୦ ଓ ୧୧୦୦ ସ୍କ୍ରିନ୍ରେ ରିଲିଜ୍ କରାଯାଇଛି। ଏହି ଫିଲ୍ମକୁ କୋରିଓଗ୍ରାଫରରୁ ଫିଲ୍ମ ନିର୍ମାତା ପାଲଟିଥିବା ଅହମଦ ଖାନ ନିର୍ଦେଶିତ କରିଛନ୍ତି। ରିଲିଜ୍ ପୂର୍ବରୁ ଏହି ଫିଲ୍ମ ଚର୍ଚ୍ଚାରେ ରହିଥିଲା।
ଜଣେ ୟୁଜର ଲେଖିଛନ୍ତି ଯେ ‘ବାଗୀ ୩’ ଏକ କମାଲ ଓ ବ୍ଲକ୍ବଷ୍ଟର ଫିଲ୍ମ ଅଟେ। ଏହି ଫିଲ୍ମଟି ବକ୍ସ ଅଫିସ୍ରେ ଅତିକମ୍ରେ ଅଢ଼େଇରୁ ତିନି ଶହ କୋଟି ଟଙ୍କା କଲେକ୍ସନ୍ କରିବ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ରୋନିଙ୍କ ଚରିତ୍ରରେ ଅଭିନୟ କରିଥିବା ଟାଇଗର ଜବରଦସ୍ତ ଆକ୍ସନ୍ କରିଛନ୍ତି। ଷ୍ଟଣ୍ଟ ଓ ଆକ୍ସନ୍ ସିକ୍ବେନ୍ସ ବହୁତ ଭଲ ହୋଇଛି। ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ ନିଜ ଚରିତ୍ର ଖୁବ୍ ସୁନ୍ଦର ଭାବେ ଫୁଟାଇଛନ୍ତି। ‘ବାଗୀ ୩’ ଏକ ଉତ୍ତମ ଆକ୍ସନ୍ ଏଣ୍ଟରଟେନ୍ର ସିନେମା ବୋଲି ସେ ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ ଏହି ଫ୍ରାଞ୍ଚାଇଜର ପ୍ରଥମ ଫିଲ୍ମ ‘ବାଗୀ’ ବର୍ଷ ୨୦୧୬ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ଟାଇଗର ଓ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ‘ବାଗୀ’ର ଦୁଇଟିଯାକ ସିରିଜ୍ ଆକ୍ସନ୍ରେ ଭରପୂର ଥିଲା। ତେଣୁ ‘ବାଗୀ ୩’ ଉପରେ ଦର୍ଶକଙ୍କ ଅଧିକ ଆଶା ରହିଛି। ‘ବାଗୀ’ ପାଖାପାଖି ୧୫୦ କୋଟି ଟଙ୍କା କଲେକ୍ସନ୍ କରିଥିବାବେଳେ ‘ବାଗୀ ୨’ ପାଖାପାଖି ୨୦୦ କୋଟି ଟଙ୍କା ବମ୍ପର କଲେକ୍ସନ୍ କରିଥିଲା। ଏହି କାରଣରୁ ‘ବାଗୀ ୩’ ଉପରେ ମଧ୍ୟ ଦର୍ଶକଙ୍କ ବହୁତ ଆଶା ରହିଛି।


