ରିଲିଫ୍ ପାଇଁ ରାସ୍ତାରୋକ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ରାଧାକାନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଗଡ଼ତରା ଠାରେ ସୋମବାର ରିଲିଫ୍ ପାଇଁ ଲୋକମାନେ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଗଡ଼ତରାଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବେଗୁନିଆ ବ୍ଲକର ୨୧ ପଞ୍ଚାୟତରେ ଏସ୍ଆରସିଙ୍କ ନିର୍ଦ୍ଦେଶ ମୁତାବକ ପଡ଼ିକାର୍ଡ଼ ପିଛା ୨ହଜାର ଟଙ୍କା ପଲିଥିନ୍ ଏବଂ ୫୦ କେଜି ଚାଉଳ ନଚେତ ପଲିଥିନ୍ ଦିଆ ନଗଲେ ୨୫୦୦ଟଙ୍କା ଏବଂ ୫୦କିଲୋ ଚାଉଳ ଦେବାପାଇଁ ଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ତାହାକୁ ଅଣଦେଖା କରାଯାଇ ୨୦୦୦ଟଙ୍କା ଏବଂ ୫୦କିଲୋ ଚାଉଳ ଦିଆଯାଇଥିଲା । ଏଥିପାଇଁ ପ୍ରତି ପଞ୍ଚାୟତରେ ଅସନ୍ତୋଷ ଦେଖା ଦେଇ ପଞ୍ଚାୟତ ଅଫିସରେ ତାଲାପକାଇବା, ବ୍ଲକରେ ଆସି ହଟ୍ଟଗୋଳ କରି ଜିଲ୍ଲାପାଳଙ୍କୁ ଫୋନ୍ କରିଥିଲେ । ତାପରେ ୨୫୦୦ଟଙ୍କା ଏବଂ ୫୦କିଲୋ ଚାଉଳ ଦିଆଯାଇଥିଲା । କିନ୍ତୁ ବିଭିନ୍ନ ପଂଚାୟତରେ କେଉଁଠାରେ ଚାଉଳ ନାହିଁତ କେଉଁଠାରେ ଟଙ୍କା ନାହିଁ କହି ବନ୍ଦ କରାଯାଉଥିଲା । ଫଳରେ ରିଲିଫ ପାଇନଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ଆକାର ଧାରଣ କରିଥିଲା ଯାହାର ପରିଣାମ ସ୍ୱରୁପ ଆଜି ଏହି ରାସ୍ତା ରୋକ ଘଟଣା ଘଟିଥିଲା । ରାଧାକାନ୍ତପୁର ପଞ୍ଚାୟତରେ ୯୯୦ପଡ଼ି କାର୍ଡ଼ଧାରୀ ଥିବା ବେଳେ ଗତ ଶୁକ୍ରବାର ସୁଧା ୬୮୦ଜଣଙ୍କୁ ରିଲିଫ ଯୋଗାଇଦିଆ ଯାଇଥିଲା । ବାକିଥିବା ଧାନଘରନୁଆଗାଁ ଏବଂ ସୁଆଁଳ ଗ୍ରାମର ୩୧୦ ପଡ଼ିକାର୍ଡ଼ ଧାରୀଙ୍କୁ ଦାୟୀତ୍ୱରେ ଥିବା ବିପିଏମ୍ ଶ୍ରୀନିବାସ ଦାସ ଟଙ୍କା ନଥିବାରୁ ସୋମବାର ଦିଆଯିବ ବୋଲି କହିଥିଲେ । ଫଳରେ ସଂପୃକ୍ତ ୨ଟି ଗ୍ରାମର ଲୋକମାନେ ରୈାଦ୍ରତାପକୁ ଡ଼ରି ଭୋର ୫ଟାରୁ ଆସି ଗଡ଼ତରାଠାରେ ଥିବା ରାଜିବଗାନ୍ଧି ସେବାକେନ୍ଦ୍ରଠାରେ ଲାଇନ ଲଗାଇଥିଲେ । ହେଲେ ରୈାଦ୍ରତାପ ସତ୍ୱେ ଦିନ ୧୧ଘଂଟା ସୁଧା ବ୍ଲକରୁ କୈାଣସି କର୍ମଚାରୀ କିମ୍ବା ଦାଇତ୍ୱରେ ଥିବା କର୍ମଚାରୀ ଘଟଣା ସ୍ଥଳକୁ ଆସିନଥିଲେ । ଫଳରେ ଲୋକମାନେ ଖରାରେ ଅସହିସ୍ନୁ ହୋଇ ବ୍ଲକକୁ ଫୋନ କରିଥିଲେ । ଫୋନ କେହି ଗ୍ରହଣ ନକରିବାରୁ ଲୋକମାନେ ଉତ୍ତ୍ୟକ୍ତ ହୋଇ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।


