ରିଲିଫ୍ ଯୋଗାଣ ଜାରି ରହିବ: ଜିଲ୍ଲା ପ୍ରଶାସନ
ପୁରୀ( ଯୁଗାବ୍ଦ ନ୍ୟୁଜ): ଗତ ୩ ତାରିଖରେ ହୋଇଥିବା ମହାବାତ୍ୟା ଫାନିରେ ପ୍ରପୀଡ଼ିତ ଲୋକମାନଙ୍କୁ ଆଗକୁ ଆହୁରି ଅଧିକ ସଂଖ୍ୟାରେ ରିଲିଫ୍ ଯୋଗାଇ ଦିଆଯିବ ବୋଲି ଶନିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏପରିକି ଫାନିରେ ପୁରୀ ଜିଲ୍ଳାର ପୁରୀ ସହର ସମେତ ଜିଲ୍ଳାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ ଉକ୍ତ ଜିଲ୍ଲାରେ ଲୋକମାନଙ୍କର ଥଇଥାନ ହେଲା ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ଜିଲ୍ଳା ପ୍ରଶାସନ ସୂଚନା ଦେଇଛନ୍ତି । ପ୍ରଶାସନ ସୂଚନା ଅନୁଯାୟୀ ଗତକାଲି ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳମାନଙ୍କୁ ୨୮୫୦ କୁଇଣ୍ଟାଲ ଚୁଡ଼ା, ୩୭୫ କୁଇଣ୍ଟାଲ ଗୁଡ଼, ଦେଢ଼ଲକ୍ଷ ପରିବାର ନିମନ୍ତେ ପଲିଥିନ ଓ ୧୩ ହଜାର ସୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି । ତତ୍ ସହିତ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ନଳକୂପକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି ଏବଂ ୫୩୪ କୁଇଣ୍ଟାଲ ପଶୁ ଖାଦ୍ୟ ବିଭିନ୍ନ ବ୍ଲକ୍ରେ ବଣ୍ଟନ କରାଯାଇଛି । ଜିଲ୍ଲାରେ ଆଗକୁ ଯେପରି ଭାବେ ବାତ୍ୟା ପ୍ରପୀଡ଼ିତଙ୍କୁ ସମସ୍ତ ସରକାରୀ ସହଯୋଗ ପହଞ୍ଚି ପାରିବ ସେନେଇ ପ୍ରସ୍ତୁତି ଚାଲିଥିବା ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି । ଅନ୍ୟପକ୍ଷରେ ଆଜିଠାରୁ ଜିଲ୍ଲାରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ତୋଦୟ ଯୋଜନା ହିତାଧିକାରୀଙ୍କୁ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଯୋଜନାରୁ ଯେପରି କେହି ବାଦ୍ ନପଡ଼ନ୍ତି ସେନେଇ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।