ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି

ସନ୍ତୋଷ କୁମାର ଦାଶ

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ପୁରୀ ଶ୍ରୀମନ୍ଦିର ରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ। ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀ ମଦନମୋହନ ବେଶ କରାଯାଇଥାଏ। ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକ ମାନେ ଶ୍ରୀଦେବୀ ଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କି ରେ ଅଧିଷ୍ଠିତ କରାନ୍ତି। ଏହାପରେ ବିମାନବଡୁ ମାନେ ପାଲିଙ୍କି କୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି। ମହାଲକ୍ଷ୍ମୀ ଙ୍କ ଜଗମୋହନ ରେ ପଡିଥିବା ଖଟ ଉପରେ ଶ୍ରୀଦେବୀ ଙ୍କୁ ପଞ୍ଚାମୃତ ରେ ମହାସ୍ନାନ ହୋଇ ମାଜଣା ଓ ବନକ ଲାଗି , ଅଳଙ୍କାର ଲାଗିହୋଇଥାନ୍ତି। ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି। ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀ ଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣ ଙ୍କୁ ଦେବାରେ ସେ ଚିଟାଉ ଲେଖିଥାନ୍ତି। ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ ) ଚିଟାଉ ନେଇ ଘଣ୍ଟ ଛତା , କାହାଳୀ ସହ ଜୟବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି। ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞା ମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି। ସେଠାରେ ପୁରାଣପଣ୍ଡା , ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ। ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖା ଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥାନ୍ତି। ଏହିସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି। ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳା ଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ବିମଳା ଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟ ରେ ଶ୍ରୀ ମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ହରଣ କରିଥାନ୍ତି। ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ। ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ୱତୀ ଙ୍କ ମନ୍ଦିର ନିକଟରେ ଶିଶୁପାଳ ଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି। ତତ୍ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପ ଠାରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ। ଏହା ପରେ ରତ୍ନ ସିଂହାସନ ତଳେ ପାଣି ପଡ଼ି ଧୋ ପଖାଳ ହୋଇ ଯାତ ଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହେବା ପରେ ମଧ୍ୟାହ୍ନ ଧୂପ ,ସନ୍ଧ୍ୟା ଆଳତି ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି , ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟ ରେ ବିବାହ ମଣ୍ଡପ ରେ ବିବାହ ନୀତି ଆରମ୍ଭ ହୋଇଥାଏ। ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ସମ୍ପାଦିତ ଏହି ବିବାହ ନୀତି ଶେଷ ହେବାପରେ ଶ୍ରୀମନ୍ଦିର ରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ। ଏହି ପରି ଭାବେ ଶ୍ରୀମନ୍ଦିର ରେ ରୁକ୍ମଣୀ ହରଣ ଓ ବିବାହ ଉତ୍ସବ ପାଳିତ ହୋଇ ଥାଏ। ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ