ରୁନ୍ଧା ଦିଅଁ

ଗୁଣ୍ଡିଚା ମନ୍ଦିରେ
ଚକା ବଇଠିରେ
ଚକାମାଡି ବସିଗଲ,
କେତେ ପଥଶ୍ରମ
ହୋଇଛି ମଣିମା
ନନ୍ଦିଘୋଷେ ଆସୁଥିଲ ।

ବସିଥିଲ ପ୍ରଭୁ
ନନ୍ଦିଘୋଷ ରଥେ
ଭକ୍ତ ଭିଡୁଥିଲେ ରଥ,
ବାଧା ପାଇଥିବେ
ରଥ ପଥ ଭକ୍ତ
ଅସୁସ୍ଥଙ୍କୁ କର ସୁସ୍ଥ ।

ହୋଇଥିବ ଯଦି
ବସିବାରେ କିଛି
ରତ୍ନସିଂହାସନ ଯୋଗୁ,
ଶ୍ରୀମନ୍ଦିରେ ଛାଡି
କାଠେ ବସିଥିଲ
ବାଧିଥିବ ଶ୍ରୀଅଙ୍ଗକୁ ।

ପହଣ୍ଡି ସମୟେ
ଛେଛା କଚା ଖାଇ
ଶ୍ରୀଅଙ୍ଗରେ ଯେତେ ପିଡା,
ଶ୍ରୀଶଙ୍କରାଚାର୍ଯ୍ୟ
ଗଜପତି ରାଜା
ହାତ ଯୋଡି ହେଲା ଖାଡା ।

ଦୋଷ ପାଇଁ ଦଣ୍ଡ
ନ ଦେବ ମଣିମା
କ୍ଷମ ହେ କ୍ଷମାସାଗର,
ଯାହା ଘଟିଗଲା
ଗରବ କରୁନୁ
ଧରୁଛୁ ତୁମ ପୟର ।

ଏବେ ମାଆ ପାଖେ
ପହଞ୍ଚି ଯାଇଛ
ଦୁଃଖ ସୁଖ କଥା ହୁଅ,
ବେଷର ମହୁର
ପେଟ ଭରି ଖାଇ
ଆନନ୍ଦେ ଦିନ ବିତାଅ ।

ତେଣେ ଶ୍ରୀମନ୍ଦିରେ
ଏକା ମହାଲକ୍ଷ୍ମୀ
ବସିଛନ୍ତି ରୋଷ ବହି,
ଶିଘ୍ର ନ ଫେରିବ
ସଂସାର ଭାସିବ
ମାଆଙ୍କୁ ଦେବ ବୁଝାଇ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ