ରୁପସା ନୀଳମଣି ମହାବିଦ୍ୟାଳୟର ବିକାଶ ପାଇଁ ଅନୁଦାନ ପ୍ରଦାନ ନିମନ୍ତେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ସଦର ବିଧାୟକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ରୁପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମିତ୍ତ ଏକ ପୁରାତନ ଶିକ୍ଷାନୁଷ୍ଠାନ । ମାତ୍ର ଆବଶ୍ୟକୀୟ ଭିତ୍ତିଭୂମୀ ଅଭାବ ଯୋଗୁଁ ମହାବିଦ୍ୟାଳୟରେ ଶିକ୍ଷାଦାନ ନେଇ ସମ୍ପ୍ରତି ବିଭିନ୍ନ ସମସ୍ୟା ଉପୁଜୁଛି । ନୀଳମଣି ମହାବିଦ୍ୟାଳୟର ଭିତ୍ତିଭୂମୀର ବିକାଶ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ସଦର ବିଧାୟକ ମାନସ କୁମାର ଦତ୍ତ ରାଜ୍ୟ ଉଚ୍ଚଶିକ୍ଷା ବିଭଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ନିବେଦନ କରିବା ସହ ଏକ ଦାବିପତ୍ର ଦେଇଛନ୍ତି । ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ବହୁମୁଖୀ ଗୃହ, ଛାତ୍ରୀମାନଙ୍କ ପାଇଁ କମନ ରୁମ, ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ପ୍ରଭୃତିର ଆବଶ୍ୟକତା ରହିଛି । ଉତ୍କୃଷ୍ଟ ଶିକ୍ଷାଦାନ ନେଇ ନୀଳମଣି ମହାବିଦ୍ୟାଳୟର ପ୍ରସିଦ୍ଧି ଥିବା ବେଳେ ଗ୍ରାମଂଚଳର ବହୁ ଦୁର ଦୁରାନ୍ତରୁ ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରନ୍ତି । ବସ ବା ଟ୍ରେକର ଯୋଗେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟକୁ ଆସୁଥିବା ବେଳେ ଛାତ୍ରାବାସ ନିର୍ମାଣ ସେମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ୍ୟ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଏହା ସହିତ ମହାବିଦ୍ୟାଳୟ ପାଇଁ ଏକ ଖେଳ ପଡିଆର ଆବଶ୍ୟକତା ଥିବା ବେଳେ ଏହାକୁ ଅଗ୍ରାଧିକାର ଭାବେ ପୁରଣ ପାଇଁ ସେ ଦାବି କରିଛନ୍ତି । ଏକ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ନୀଳମଣି ମହାବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମୀ ବିକାଶରେ ଶିକ୍ଷାବିଭାଗର ଅନୁଦାନ ପ୍ରଦାନ ନିମନ୍ତେ ବିଧାୟକ ଶ୍ରୀ ଦତ୍ତ ନିବେଦନ କରିଛନ୍ତି ।