ରୁଷର ଏସ୍-୪ଠଠ ବଦଳରେ ଭାରତକୁ ବିକଳ୍ପ ପ୍ରସ୍ତାବ ଦେବ ଆମେରିକା
ନ୍ୟୁୟର୍କ(ଏଜେନ୍ସି): ରୁଷର ଏସ୍-୪ଠଠ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବଦଳରେ ବିକଳ୍ପ ପ୍ରତିରକ୍ଷା ବ୍ୟବସ୍ଥାର କ୍ଷେପଣାସ୍ତ୍ର ଯୋଗାଇ ଦେବାକୁ ଆମେରିକା ଖୁବଶୀଘ୍ର ଭାରତକୁ ପ୍ରସ୍ତାବ ଦେବ । ଏନେଇ ଆମେରିକା ପକ୍ଷରୁ ଚିନ୍ତା କରାଯାଉଛି । ଖୁବଶୀଘ୍ର ଭାରତ ଆଗରେ ଏନେଇ ଆମେରିକା ପ୍ରସ୍ତାବ ରଖିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏସ୍-୪୦୦ କିଣା ନେଇ ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ସେତେବେଳେ ଏହା ବିରୋଧରେ ଆମେରିକା ଅସନ୍ତୋଷ ପ୍ରକାଶ କରିବା ସହ ଭାରତ ଉପରେ କଟକଣା ଲଗାଇବାକୁ ଚେତାବନୀ ଦେଇଥିଲା । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଆମେରିକା ଏହାର ବିକଳ୍ପ ସ୍ୱରୁପ ଭାରତକୁ ନିଜ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଦେବାକୁ ଚିନ୍ତା କରିଥିଲା । ଏହି ମର୍ମରେ ଋଷ୍ର ଏସ୍-୪୦୦ କ୍ଷେପଣାସ୍ତ୍ର ବଦଳରେ ଏବେ ଆମେରିକା ଭାରତକୁ ନିଜ କ୍ଷେପଣାସ୍ତ୍ର ବ୍ୟବସ୍ଥା ବିକିବାକୁ ପ୍ରସ୍ତାବ ଦେବାକୁ ଚିନ୍ତା କରୁଛି । ତେବେ କୁହାଯାଉଛି ଏସ୍-୪୦୦ର ବିକଳ୍ପ ଭାବେ ଆମେରିକା ଭାରତକୁ ଲକହିଡ଼ ମାର୍ଟିନ କମ୍ପାନୀର ଅବା ରୋଥିୟାନ କମ୍ପାନୀର “ସାମରିକ ପ୍ରତିରକ୍ଷା ବ୍ୟବସ୍ଥା ପ୍ରଣାଳୀର ଯୁଦ୍ଧ ସରଞ୍ଜାମ ବିକିବାକୁ ପ୍ରସ୍ତାବ ଦେବ । ଅନ୍ୟପକ୍ଷେ ଆମେରିକା କ୍ଷେପଣାସ୍ତ୍ରର ମୂଲ୍ୟ ଏସ୍-୪୦୦ ଅପେକ୍ଷା ଅଧିକ ଥିବାରୁ ଭାରତ ଏହି ପ୍ରସ୍ତାବକୁ ଗ୍ରହଣ କରିବ ନାହିଁ ବୋଲି ଆଲୋଚନା ହେଉଛି । ଆମେରିକା ଉପପ୍ରତିରକ୍ଷା ମନ୍ତ୍ରୀ ର୍ୟାଣ୍ଡେଲ ସାଇୱର ଭାରତ ଉପରେ କୌଣସି ପ୍ରକାର କଟକଣା ନଲଗାଇବାକୁ ଯୁକ୍ତି ବାଢିଛନ୍ତି । ଭାରତ ଆମେରିକାର ଏକ ବଡ଼ ସହଯୋଗୀ ହୋଇଥିବାରୁ ଭାରତ ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ପରାମର୍ଶରେ ଆମେରିକା ଏବେ ଏହି ଯୋଜନା ଉପରେ କାମ କରିବାକୁ ଚାହୁଁଛି ।