ରୂପେଶଙ୍କ ରଙ୍ଗଶାଳା ମିଥ୍ୟା ଉଚ୍ଛେଦ ମାମଲାପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିବା ବହୁଚର୍ଚ୍ଚିତ ରଙ୍ଗଶାଳାକୁ କାଗଜପତ୍ରରେ ଉଚ୍ଛେଦ ଦର୍ଶାଇ ଚୁପ୍ ରହିଥିଲେ । ଏହି ଜାଲିଆତି ପ୍ରଘଟ ହେବା ପରେ ତକ୍ରାଳୀନ ଆରୁହା ଆରଆଇ କ୍ଷୀରାବ୍ଦି ତନୟା ପଣ୍ଡାଙ୍କୁ ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତି ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପ୍ରକାଶ ଥାଉକି, ଗତ ମାସ ୧୬ତାରିଖରେ ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଚର୍ଚ୍ଚିତ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା । ଏହି ରଙ୍ଗଶାଳା ଅନାବାଦି ଓ ଜଙ୍ଗଲ ଜମିରେ ଥିବାବେଳେ ସରକାରୀ କାଗଜପତ୍ରରେ ୨୦୧୮ ମାର୍ଚ୍ଚ ୨୭ତାରିଖ ଠାରୁ ଉଚ୍ଛେଦ ହୋଇଯାଇଛି ବୋଲି ଦର୍ଶାଯାଇଥିଲା । ବାଲିଗରି ମୌଜାର ଖାତା ନମ୍ବର୧୦୯ ଓ ୧୧୦ର ପ୍ଲଟ୍ ନମ୍ବର ୨୯୦ ଓ ୨୯୧ ଯଥାକ୍ରମେ ଅନାବାଦି ଓ ଜଙ୍ଗଲ ଜମିରେ ରୂପେଶଙ୍କର ରଙ୍ଗଶାଳା ଚାଲିଥିଲା । ଅନାବାଦି ୧୩ ଡିସିମିଲ ଓ ଜଙ୍ଗଲ ୪ଡିସିମିଲି ଏପରି ମୋଟ ୧୭ ଡିସିମିଲି ଜମିକୁ ରଙ୍ଗଶାଳା ପାଇଁ ଜବରଦଖଲ କରାଯାଇଥିଲା । ସରକାରୀ ଜମିରେ ଗଢି ଉଠିଥିବା ରଙ୍ଗଶାଳାକୁ ଉଚ୍ଛେଦ କରାଗଲା ବୋଲି ତକ୍ରାଳୀନ ଆରଆଇ କ୍ଷୀରାବ୍ଦି ତନୟା ପଣ୍ଡା ଦର୍ଶାଇଥିଲେ । ତାହାକୁ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ଅନୁମୋଦନ କରି ଫାଇଲ୍ ବନ୍ଦ କରିଥିଲେ । ପ୍ରଭାବଶାଳୀ ରୂପେଶଙ୍କ ରଙ୍ଗଶାଳା ଭଙ୍ଗା ହେବା ଦୂର କଥା ସେଥିରେ ହାତ ମାରିବାକୁ କେହି ସାହସ ଜୁଟାଇ ପାରିନଥିଲେ । ସରକାରୀ କାଗଜପତ୍ରରେ ଉଚ୍ଛେଦ ଦର୍ଶାଯାଇଥିବା ରଙ୍ଗଶାଳାକୁ ଦୁଇ ମହଲା କରିବା ସହିତ ବିଲଡ଼ିଂର ପଛକୁ ରୂପେଶ ସଂପ୍ରସାରଣ କରିଥିଲେ । ଏଭଳିକି ସ୍ମିତାରାଣୀଙ୍କ ମୃତ୍ୟୁ ଦିନଏକାଧିକ ମିସ୍ତ୍ରୀ ରଙ୍ଗଶାଳାକୁ ଅତ୍ୟାଧୁନିକ ସ୍ପର୍ଶ ଦେଉଥିଲେ । ଏକାଧିକ ବେଡରୁମ ସାଙ୍ଗକୁ ଅଫିସ ରୁମ୍, ଅତିଥିଶାଳା, ସମ୍ମିଳନୀ କକ୍ଷ ଇତ୍ୟାଦି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠମାନ ଏଥିରେ ରହିଛି । ବେଆଇନ ଭାବେ ଗଢ଼ି ଉଠିଥିବା ଏହି ରଙ୍ଗଶାଳାକୁ ଶାସକ, ପ୍ରଶାସକ, ନେତା ଅଭିନେତାମାନଙ୍କର ଗହଳି ସାଙ୍ଗକୁ ଭୋଜିଭାତ ନିୟମିତ ଚାଲେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ସ୍ମିତାରାଣୀ ମଧ୍ୟ ରଙ୍ଗଶାଳାରେ ହୋଇଥିବା ଭୋଜି ଖାଇବାକୁ ଆସିଥିବା ବେଳେ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଗ୍ରାମାଞ୍ଚଳରେ ଏହି ରଙ୍ଗଶାଳା ଥିବା ସତ୍ତେ୍ୱ ବାହାର ଲୋକ ଓ ଭିତର କାରବାର ଉପରେ ନଜର ରଖିବା ପାଇଁ ସିସି କ୍ୟାମେରା ଲାଗିଥିଲା । ଏହି ଘଟଣା ସମ୍ପର୍କରେ ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲଙ୍କ ମତାମତ ନେବାରେ ସେ କହିଛନ୍ତି ତକ୍ରାଳୀନ ତହସିଲଦାରଙ୍କ କଥାରେ ସେ ସବୁ ଫାଇଲରେ ଦସ୍ତଖତ କରୁଥିଲେ । ଆରଆଇ ରିପୋର୍ଟକୁ ଭିତ୍ତି କରି ଦସ୍ତଖତ କରିଥିଲେ । ସେ ସବୁ କ୍ଷେତ୍ରକୁ ଯାଇ ତନଖି କରିବା ସମ୍ଭବ ନଥିଲା ବୋଲି କହିଛନ୍ତି ।