ରେକର୍ଡ ଭାଙ୍ଗିଲା ରାମାୟଣ: ପ୍ରଥମ ସପ୍ତାହରେ ସର୍ବୋଚ୍ଚ ଟିଆର୍‌ପି

ମହାମାରୀ କୋରୋନାର ଆତଙ୍କରେ ବିଶ୍ବବାସୀ ଭୀତତ୍ରସ୍ତ ହୋଇଥିବା ବେଳେ କେନ୍ଦ୍ର ସରକାର ପୂରା ଭାରତବର୍ଷକୁ ଲକ୍‌ଡାଉନ୍‌ କରିଛନ୍ତି। ଏହି ଲକ୍‌ଡାଉନ୍‌ ଅବଧିରେ ଲୋକମାନଙ୍କର ଘରେ ରହଣିକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ଛୋଟ ପରଦାରେ ସୁବର୍ଣ୍ଣ ଯୁଗକୁ ଫେରାଇ ଆଣିବାର ପ୍ରୟାସ ଆରମ୍ଭ କରିଛି ଦୂରଦର୍ଶନ। ରାମାନନ୍ଦ ସାଗରଙ୍କ ‘ରାମାୟଣ’ ମାର୍ଚ୍ଚ ୨୮ ତାରିଖରୁ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେବା ପରେ ସମସ୍ତ ରେକର୍ଡ ଭଙ୍ଗ କରିଛି। ଏହି ଧାରାବାହିକଟି ପ୍ରସାରିତ ହେବାର ପ୍ରଥମ ସପ୍ତାହରେ ହିଁ ସର୍ବୋଚ୍ଚ ଟିଆର୍‌ପି ହାସଲ କରିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ୨୦୧୫ ମସିହା ପରଠାରୁ ହିନ୍ଦୀ ଜେନେରାଲ୍‌ ‌ଏଣ୍ଟର୍‌ଟନ୍‌ମେଣ୍ଟ୍‌ ଚ୍ୟାନେଲ୍ ‌(ଜେଇସି)ରେ ‘ରାମାୟଣ’ ପ୍ରଥମ ସପ୍ତାହରେ ସବୁଠାରୁ ଅଧିକ ଟିଆର୍‌ପି ହାସଲ କରିଛି।
୮୦ ଦଶକରେ ଟେଲିଭିଜନରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ପୁଣି ଥରେ ପ୍ରସାରଣ ଆରମ୍ଭ ହୋଇଛି। ଏହି ଧାରାବାହିକ (୩୫ ମିନିଟ୍ ଲେଖାଏଁର ୭୮ଟି ଅଧ୍ୟାୟ ଏବଂ ୩୦ ମିନିଟ୍ ଲେଖାଏଁର ୩୦ଟି ଅଧ୍ୟାୟ) ଡିଡି ନ୍ୟାସ୍‌ନାଲ୍‌ରେ ପ୍ରତିଦିନ ସକାଳ ୯ଟା ଏବଂ ସନ୍ଧ୍ୟା ୯ଟାରେ ପ୍ରସାରଣ ଆରମ୍ଭ ହୋଇଛି। ଏହି ଧାରାବାହିକ ସେତେବେଳେ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପାଖାପାଖି ୬୫୦ ଲକ୍ଷ ଲୋକ ବା ୬୫ କୋଟି ଲୋକ ଏହି ଧାରାବାହିକକୁ ଦେଖିଥିଲେ। ଏହି ପୌରାଣିକ ଧାରାବାହିକ ‘ରାମାୟଣ’ରେ ଅରୁଣ ଗୋଭିଲ୍‌ ରାମ ଓ ଦୀପିକା ଚିଖାଲିଆ ସୀତା, ସୁନୀଲ ଲହରୀ ଲକ୍ଷ୍ମଣ, ଦାରା ସିଂହ ହନୁମାନ ଏବଂ ଅର୍‌ବିନ୍ଦ ତ୍ରିବେଦୀ ରାବଣ ଭୂମିକାରେ ଦର୍ଶକଙ୍କ ମନ ମୋହିଥିଲେ।
ଉଲ୍ଲେଖଯୋଗ୍ୟ, ଅଭୂଲା ପୁରାତନ ସ୍ମୃତି ଚାରଣ ପୂର୍ବକ ଲୋକମାନେ ଘରେ ରହି ମନୋରଞ୍ଜନ କରିବେ ଏବଂ ବାହାରକୁ ନ ଯିବେ, ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖାସ୍‌ ଏଥି ନିମନ୍ତେ ୮୦ ଓ ୯୦ ଦଶକର ଲୋକପ୍ରିୟ ତଥା କାଳଜୟୀ ଟେଲି ଧାରାବାହିକ ଗୁଡ଼ିକୁ ଏବେ ପୁନଃ ପ୍ରସାରଣ କରାଯାଉଛି। ରାମାୟଣ ସହ ମହାଭାରତ, ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ସର୍କସ, ବ୍ୟୋମକେଶ ବକ୍ସି, ହମ୍ ହୈଁ ନା ଓ ତୁ ତୋତା ମୈ ମୈନା ଆଦି ଧାରାବାହିକ ମଧ୍ୟ ଦୂରଦର୍ଶନରେ ପୁନଃ ପ୍ରସାରଣ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ