ରେଣୁବାଳା ପୃଷ୍ଟିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଜଣେ ବିଶିଷ୍ଟ ସମାଜସେବୀକା,ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ନେତ୍ରୀ ତଥା ସତ୍ୟସାଇ ସେବା ଅନୁଷ୍ଠାନ ସମେତ ବିଭିନ୍ନ ସାମାଜିକ,ସାଂସ୍କୃତିକ ଅନୁଷ୍ଠାନ ସହ ସଂପୃକ୍ତା ସାଥୀ ରେଣୁବାଳା ପୃଷ୍ଟିଙ୍କର ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ମୀରପାଟଣାସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଗାଳ୍ପିକା ଅବନ୍ତୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷକନେତା ଅଧ୍ୟାପକ ଅଜୟ ସାମଲ,ସି.ପି.ଆଇ.ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ,ଆଦିକନ୍ଦ ରାଉଳ,ବାବାଜୀ ଧଳ,ଶୁଭାଂଶୁ କୁମାର ଦାସ,ନୃସିଂହ ଚରଣ ତ୍ରିପାଠୀ,ରଣଧୀର ଜେନା,ଅବଧୁତ ରାଉତ,ବିକାଶ ଚନ୍ଦ୍ର ବେଉରା,ଶୈଳବାଳା ସାମଲ,ଅମୀୟ ନାୟକ ପ୍ରମୁଖ ଗତାୟୁ ପୃଷ୍ଟିଙ୍କର ସାମାଜିକ ଓ ରାଜନୈତିକ ଜୀବନ ସମ୍ପର୍କରେ ଆଲୋଚନା କରି ତାଙ୍କର ତିରୋଧାନ ଜିଲ୍ଲାରେ କମ୍ୟୁନିଷ୍ଟ ଓ ସାମାଜିକ ଆନ୍ଦୋଳନ ପ୍ରତି ଏକ ଅପୁରଣୀୟ କ୍ଷତି ସୃଷ୍ଟି କଲା ବୋଲି ଅଭିମତ ପ୍ରକାଶ କରିଥିଲେ । ବିଶ୍ୱ ମହାମାରୀ କୋଭିଡ-୧୯ ଓ ତତଜନିତ ଉତ୍ପନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରୟାତ ପୃଷ୍ଟିଙ୍କ ସମେତ ଅନେକ ଭଲ ମଣିଷ ଏହା ମଧ୍ୟରେ ସମାଜରୁ ବିଦାୟ ନେଇଯାଇଥିବାରୁ ଏହା ସମଗ୍ର ମାନବ ସମାଜ ପାଇଁ ଅଭାବନୀୟ ଓ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ପ୍ରୟାତ ପୃଷ୍ଟିଙ୍କର ସ୍ୱାମୀ ସାଥୀ ଗୋବିନ୍ଦ ଚନ୍ଦ୍ର ପୃଷ୍ଟି କୃତଜ୍ଞତା ଜଣାଇଥିଲେ ।