ରେମୁଣା ଏନଏସିର ଆବାସ ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ
ବାଲେଶ୍ୱର, (ସରୋଜ ପଣ୍ଡା):ନବଗଠିତ ରେମୁଣା ବିଜ୍ଞାପିତ ଅଂଚଳ (ଏନଏସି)ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକା ପ୍ରସ୍ତୁତିରେ ପାତରଅନ୍ତର ଉଦ୍ୟମ କରାଯାଉଥିବା ନେଇ ଅଭିଯୋଗ ଉଠାଇଛନ୍ତି କେତେକ କାଉନସିଲର । ଏନେଇ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଏନଏସିର ୪ ନଂ ୱାର୍ଡ଼ କାଉନସିଲର ଶିବଶଙ୍କର ରାୟ, ୯ ନଂ ୱାର୍ଡ଼ କାଉନସିଲର ମୀନାକ୍ଷୀ ବେହେରା, ୧୩ ନଂ ୱାର୍ଡ଼ କାଉନସିଲର ହେମବତୀ ବେହେରାଙ୍କ ସମେତ କେତେକ ସଚେତନ ବ୍ୟକ୍ତି ଗୁରୁବାର ଜିଲାପାଳଙ୍କୁ ସାକ୍ଷାତ ସହ ଆବାସ ହିତାଧିକାରୀ ତାଲିକା ସମ୍ପର୍କରେ ଅବଗତ କରିଛନ୍ତି । ସେମାନଙ୍କ ଆପତିି ଅନୁସାରେ ରେମୁଣା ଅଧିସୂଚିତ କ୍ଷେତ୍ର ପରିଷଦ ପକ୍ଷରୁ ସମ୍ପ୍ରତି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନ ପାଇଁ ପଞ୍ଜୀକରଣ ଓ ଆବେଦନ ପତ୍ର ଗ୍ରହଣ କରାଯାଉଛି । ମାତ୍ର ଆବେଦନ ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇନଥିବା ବେଳେ ଅଦ୍ୟାବଧି ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପକ୍ଷରେ ପରିଷଦର କର୍ମଚାରୀଙ୍କ ଦ୍ୱାରା ଏବେ ଆବେଦନପତ୍ର ଓ ହିତାଧିକାରୀଙ୍କ ସ୍ଥିତି ଯାଞ୍ଚ ଚାଲିଥିବା ବେଳେ ସବୁ ୱାର୍ଡ଼ରେ ଏହା ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏମିତିକି ସକାଳ ଅଫିସ ସମୟରେ ଏହି ଯାଞ୍ଚ କରିବା ପରିବର୍ତ୍ତେ ଗତ ୨୨ ତାରିଖରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆବେଦନ ପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି । କିଛି ଅସାଧୁ ବ୍ୟକ୍ତି କାର୍ଯ୍ୟାଳୟରେ ଉପସ୍ଥିତ ରହି ଏହି ଯାଞ୍ଚ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା କାଉନସିଲରମାନେ କହିଛନ୍ତି । ଆକ୍ରୋଶମୂଳକ ଭାବେ ସମ୍ପୃକ୍ତ ବ୍ୟକ୍ତିମାନେ ଲୋକଙ୍କ ଆବେଦନପତ୍ରକୁ ଏପାଖ ସେପାଖ କରିଥିବା ଅଥବା ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରୁ ବାଦ ପକାଇବାକୁ ଉଦ୍ୟମ କରିଥାଇ ପାରିନ୍ତି ବୋଲି କାଉନସିଲରମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏନେଇ ବିଜ୍ଞପିତ ଅଞ୍ଚଳ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ ୨୨ ତାରିଖର ଫୁଟେଜ ଯାଞ୍ଚ ପାଇଁ ସେମାନେ ଦାବି କରିଛନ୍ତି । ଏହି ଅବସରରେ କାଉନସିଲରମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।