ରେମୁଣା ବାଳିକା ବିଦ୍ୟାଳୟରେ ନିଶା ବିରୋଧରେ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର : ଆଜିର ଛାତ୍ରୀ ଆଗାମୀ ଦିନରେ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ଗ୍ରହଣ କରିବେ ଓ ଜଣେ ଆଦର୍ଶ ଗୃହିଣୀ ଓ ଆଦର୍ଶ ମାଆର ଭୂମିକା ତୁଲାଇଲେ ଆମ ଦେଶ ଏକ ବିକଶିତ ଦେଶ ଭାବେ ବିଶ୍ୱରେ ସ୍ଥାନ ଗ୍ରହଣ କରିବ ବୋଲି ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ ‘ମୋନା’ର ସଚେତନତା ଶିବିରରେ ମତପ୍ରକାଶ କରିଥିଲେ । ବୁଧବାର ଅପରାହ୍ନରେ ରେମୁଣା ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନିଶା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ କହିଥିଲେ ଯେ ଆଜିର ଯୁବଗୋଷ୍ଠୀ ନିଶାକବଳରେ କବଳିତ । ନିଶାର ପ୍ରାର୍ଦୁଭାବରେ ମହିଳାମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । ତେଣୁ ଛାତ୍ରୀମାନେ ଏ ସଂପର୍କରେ ଆଜିଠାରୁ ସଚେତନ ହେବା ଉଚିତ ବୋଲି କୁଳପତି ପ୍ରଫେସର ଦାସ କହିଥଲେ । ଅନୁଷ୍ଠାନର ଜିଲ୍ଲା ସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସଂପାଦିକା ମମତା ମହାପାତ୍ର ‘ମୋନା’ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଉପଦେଷ୍ଟା ସୁବ୍ରତ କର ମୁଖ୍ୟଅତିଥି ପ୍ରଫେସର ମଧୁମିତା ଦାସଙ୍କୁ ଆଦର୍ଶଭାବେ ଗ୍ରହଣକରି ଭବିଷ୍ୟତରେ ଛାତ୍ରୀମାନେ ଜଣେଜଣେ ଆଦର୍ଶ ନାରୀଭାବେ ସମାଜରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆରତୀ ମହାପାତ୍ର ପରିଚାଳନା କମିଟି ତରଫରୁ ଲକ୍ଷ୍ମୀଧର ଦାସ, ଗୌରାଙ୍ଗ ଚନ୍ଦ୍ର ଦାସ, ଶିକ୍ଷକ ରୋହିତ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ସେଠୀ ଓ ‘ମୋନା’ର ଜିଲ୍ଲା ସଂଗଠନ ତରଫରୁ ଡ. କ୍ଷିତିଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ସୀତାନାଥ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ଯୋଗେଶ ଚନ୍ଦ୍ର ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ଅକ୍ଷୟ ତ୍ରିପାଠୀ, ଗୀତାଞ୍ଜଳି ସିଂହ, ହେମଲତା ଦାସ, ରାଧାକୃଷ୍ଣ ଆଚାର୍ଯ୍ୟ, ଗୟାଧର କର, ଗୌରଚନ୍ଦ୍ର ଦାଶ, ଛାତ୍ରୀ ଶୁଭସ୍ମିତା ବାରିକ ଓ ଦିପୀକା ପାତ୍ର ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ସେମାନଙ୍କର ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ । ଉପସଭାପତି ଡ. କେଶବ ଚରଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।