ରେଳବାଇର ଲକଡାଉନ ସମୟରେ ଯାତ୍ରୀ ସୂଚନା ପ୍ରଦାନ ବ୍ୟବସ୍ଥା ଅବ୍ୟାହତ
ନୂଆଦିଲ୍ଲୀ : ସମଗ୍ର ଦେଶରେ ଲକଡାଉନ ଲାଗୁ ହେବା ପରେ ରେଳ ଯାତ୍ରୀ, ମାଲ ପରିବହନକାରୀ ଓ ଅନ୍ୟାନ୍ୟ ନାଗରିକଙ୍କୁ ବିଭିନ୍ନ ସୂଚନା ଓ ସେମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ରେଳବାଇ ପକ୍ଷରୁ ଆହୋରାତ୍ର ଯୋଗାଇଦିଆଯାଉଛି । ଏକ ଘଡିସନ୍ଧି ସମୟରେ ଲୋକଙ୍କୁ ସୂଚନା ସେବା ଯୋଗାଇ ସେମାନଙ୍କ ରେଳ ପରିବହନ ଓ ବ୍ୟବହାର ଜନିତ ଆବଶ୍ୟକତା ପୂରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଲକଡାଉନର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ କ୍ଷେତ୍ରରୁ ରେଳବାଇ ଅନୁସନ୍ଧାନକୁ ୨,୦୫,୦୦୦ ପ୍ରଶ୍ନ ଆସିଥିଲା ଏବଂ ସେସବୁର ଉତ୍ତର ପ୍ରଦାନ କରାଯାଇଥିଲା । ରେଳଯାତ୍ରୀ ଓ ବ୍ୟବହାରକାରୀଙ୍କ ସୂଚନା ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ତାହାର ଜାତୀୟ ସହାୟତା ବ୍ୟବସ୍ଥା ନେସନାଲ ରେଳ ମଦଦ ହେଲ୍ପ ଲାଇନକୁ ଆହୋରାତ୍ର ଚାଲୁ ରଖିଛି । ହେଲ୍ପ ଲାଇନ ୧୩୮, ୧୩୯ସହିତ ସାମାଜିକ ଗଣମାଧ୍ୟମ, ଇ-ମେଲ ଯୋଗେ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଉଛି । ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ୧,୮୫,୦୦୦ ପ୍ରଶ୍ନର ଉତ୍ତର ରେଳ କର୍ମଚାରୀମାନେ ପ୍ରଦାନ କରିଛନ୍ତି । ଜିଓ ଫେନ୍ସ ଡିଷ୍ଟ୍ରିବ୍ୟୁଟେଡ ହେଲ୍ପ ଲାଇନ ୧୩୮ ମାଧ୍ୟମରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସେମାନେ ପଚାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦିଆଯାଉଛି । ଏହା ଲୋକଙ୍କ କାମରେ ଅଧିକ ଆସୁଛି । ଟ୍ଵିଟର ବ୍ୟତୀତ railmadad@rb.railnet.gov.in ଜରିଆରେ ମଧ୍ୟ ଲୋକଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦିଆଯାଉଛି । ନିର୍ଦ୍ଦେଶକ ପାହ୍ୟାର ଅଧିକାରୀମାନେ ହେଲ୍ପ ଲାଇନ ପରିଚାଳନା କାର୍ଯ୍ୟର ତଦାରଖ କରୁଛନ୍ତି । ରେଳ ବାତିଲ ଯୋଗୁଁ ଅଗ୍ରୀମ ଟିକଟ କାଟିଥିବା ଲୋକଙ୍କ ଅର୍ଥ ଫେରସ୍ତ, ମାଲ ପରିବହନ ସଂକ୍ରାନ୍ତ ତଥ୍ୟ, ୱାଗନ ଓ ମାଲଗାଡିର ଉପଲବ୍ଧତା ବିଷୟରେ ଅନେକ ଲୋକ ପଚାରୁଥିବା ପ୍ରଶ୍ନର ଉତ୍ତର ଦିଆଯାଉଛି । ଲୋକଙ୍କୁ ସେମାନଙ୍କ ସୁବିଧା ଅନୁସାରେ ବିଭିନ୍ନ ଭାଷାରେ ସେମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ସେମାନଙ୍କ ଭାଷାରେ ଅବିଳମ୍ଭେ ଦିଆଯାଉଛି । ରେଳବାଇର ଏହି ସେବାକୁ ଯାତ୍ରୀ ଓ ଅନ୍ୟାନ୍ୟ ମହଲ ପ୍ରଶଂସା କରୁଛନ୍ତି ।


