ରେଳବାଇ-ଏନଟିପିସି ଓ ଗ୍ରୁପ-ଡି ପଦ ନିଯୁକ୍ତିରେ ତଞ୍ଚକତା ଅଭିିଯୋଗ

ବାଲେଶ୍ୱର, (ସରୋଜ ପଣ୍ଡା) :-ରେଳବାଇ-ଏନଟିପିସି ଓ ଗ୍ରୁପ-ଡି ପଦ ପାଇଁ ରେଳବାଇ ନିଯୁକ୍ତି କମିଟିର ତଞ୍ଚକତାପୂର୍ଣ୍ଣ କାର୍ଯ୍ୟଧାରାକୁ ନେଇ ୨୦୧୯ ମସିହା ଆବେଦନକାରୀଙ୍କ ପକ୍ଷରୁ ବାଲେଶ୍ୱରରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଶତାଧିକ ଆବେଦନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ ଉଦଗାର ସହ କିଛି ସମୟ ଧରି ସେଠାରେ ରାସ୍ତାରୋକ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ, ରେଳ ମନ୍ତ୍ରାଳୟର ବିଜ୍ଞପ୍ତିକୁ ଭିତ୍ତି କରି ଗତ ୨୦୧୯ ମସିହା ଫେବୃଆରୀ ମାସରେ ବିଭିନ୍ନ ପଦର ଚାକିରୀ ପାଇଁ ଆବେଦନ କରିଥିଲେ । ତନ୍ମଧ୍ୟରୁ ଉଚ୍ଚ ପଦଗୁଡ଼ିକ ପାଇଁ କରୋନା ଦ୍ୱିତୀୟ ଲହର ସମୟରେ ଗୋଟିଏ ପରୀକ୍ଷା କରାଯାଇ ଫଳ ପ୍ରକାଶିତ ହେଲା । ମାତ୍ର ପ୍ରକାଶିତ ଏହି ଫଳ ସନ୍ଦେହଜନକ ଥିଲା ବୋଲି ସେମାନେ ଆରୋପ ଉଠାଇଛନ୍ତି । ଜଣେ ଜଣେ ପ୍ରାର୍ଥୀଙ୍କ ନାମରେ ୪ଟି ପଦ ପାଇଁ ଫଳ ପ୍ରକାଶ ପାଇଥିବା ବେଳେ ମେଧାବୀ ପରୀକ୍ଷାର୍ଥୀଙ୍କ ନାମ ସେହି ତାଲିକାରୁ ବାଦ ପଡ଼ିଥିଲା । ସେହି ଭଳି ଗ୍ରୁପ-ଡି ପଦ ପାଇଁ ଚଳିତ ଜାନୁଆରୀରେ ଆରଆରସି ଏବେ ୨ଟି ପରୀକ୍ଷା ପାଇଁ ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଆବେଦନକାରୀ କହିଛନ୍ତି । ପ୍ରଥମେ ପ୍ରାଥମିକ ଓ ପରେ ମେନ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସମଗ୍ର ଦେଶରେ ଏକ କୋଟିରୁ ଅଧିକ ଆବେଦନକାରୀ ପ୍ରାର୍ଥୀ ଏବେ ଏହାର ପ୍ରତିବାଦ କରିଥିବା ବେଳେ ଜାନୁଆରୀ ୨୫ରେ ରେଳ ମନ୍ତ୍ରାଳୟ ପ୍ରାର୍ଥୀଙ୍କୁ ଚାକିରୀ ନ ବେଦବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ଅନ୍ୟ ପକ୍ଷରେ ଜାନୁଆରୀ ୨୬ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃପ୍‌-ଡି ପାଇଁ ୨୩ ଫେବୃଆରୀରୁ ପର୍ଯ୍ୟାୟ କ୍ରମେ ହେବାକୁ ଥିବା ପରୀକ୍ଷା ବାତିଲ ଘୋଷଣା ସହ ଏହାର ତଦାରଖ ନମନ୍ତେ ଏକ କମିଟି ଗଠନ କରିଥିବା ପ୍ରାର୍ଥୀମାନେ କହିଛନ୍ତି । ନିଜ ତ୍ରୁଟି ଓ ଅନିୟମିତତାର ଘଣ୍ଟ ଘୋଡ଼ାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ ହେଉଛି ବୋଲି ବିକ୍ଷୋଭକାରୀ ପ୍ରାଥୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାକୁ ବାତିଲ ସହ ଉଚ୍ଚ ପଦ ପାଇଁ ହୋଇଥିବା ଗୋଟିଏ ପରୀକ୍ଷା ଭଳି ଗ୍ରୁପ-ଡି କ୍ଷେତ୍ରରେ ଲାଗୁ ନିମନ୍ତେ ସେମାନେ ଦାବି କରିଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆବେଦନକାରୀ ପ୍ରାର୍ଥୀ ସଂଘ ତୀବ୍ର ଆନ୍ଦୋଳନକୁ ଓହଲାଇବ ବୋଲି ସେମାନେ ଚେତବାନୀ ଦେଇଛନ୍ତି । ଏନେଇ ସେମାନେ ରେଳମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଜିର ଏହି ବିକ୍ଷୋଭରେ ଶାନ୍ତନୁ ଦାସ, ପ୍ରଦୀପ ବାରିକ, ଲଳିିତ ମାହାନ୍ତ, କମଳ ଲୋଚନ ପଣ୍ଡାଙ୍କ ସମେତ ଛାତ୍ର ସଂଗଠନ ଏଆଇଏସଏଫର ରାଜ୍ୟ ସଭାପତି ସଂଘମିତ୍ରା ଜେନା, ଜବହାରଲା ନେହେରୁ ବିଦ୍ୟାଳୟ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅଜୟ ପଟ୍ଟନାୟକ, ଓଜେଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ମନୋଜ କୁମାର କର, ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେଶ ମଲ୍ଲିକ,ସନ୍ତୋଷ ଦାଶ, ପ୍ରଶାନ୍ତ କୁମାର ଜେନା, ନିର୍ମାଲ୍ୟ ପାତ୍ର, ମାନସ ମାଝୀ, ଚିନ୍ମୟ ସାହୁ, ବିଷ୍ଣୁ ସାହୁ, ମିଥୁନ ଗିରି, ରଞ୍ଜିତ ପାଲ, ସନ୍ଦୀପ ପ୍ରଧାନ, ସାଗର କୁମାର ପାତ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ