ରେଳ ଜାଗା ଖାଲି କରିବା ନୋଟିସକୁ ନେଇ ଛାନିଆଁ
ବାଲେଶ୍ୱର, (ସରୋଜ ପଣ୍ଡା) :-ଗୋଧିବସା ପରେ ଶୋଭାରାମପୁର ଅଞ୍ଚଳରେ ରେଳଜାଗାରୁ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ରେଳ ବିଭାଗର ଜାରି ନୋଟିସକୁ ନେଇ ସ୍ଥାନୀୟ ବାସିନ୍ଦା ମଙ୍ଗଳବାର ଅତିରିକ୍ତ ଜିଲାପାଳଙ୍କଠାରେ ଆପତ୍ତି କରିିଛନ୍ତି । ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ରେଳଲାଇନ ସଂପ୍ରସାରଣ ନିମନ୍ତେ ଶୋଭାରାମପୁରର ଚୂଡ଼ାକୁଟା ସାହିରୁ ସମଲପୁର ପର୍ଯ୍ୟନ୍ତ ରେଳଧାରଣା ପାଶ୍ୱର୍କୁ ଖାଲି କରିବାକୁ ନୋଟିସ ଦିଆଯାଇଥିବା ଭୂମିହୀନ ପରିବାର ସୂଚନା ଦେଇଛନ୍ତି । ୧୫ ଦିନ ମଧ୍ୟରେ ରେଳଧାରଣା ପାଶ୍ୱର୍ ଖାଲି ନ କଲେ ସେମାନଙ୍କୁ ଉଚ୍ଛେଦ କରାଯିବ ବୋଲି ନୋଟିସରେ ନିର୍ଦ୍ଦେଶ ଦିଆଯାଇଥିବା ସେମାନେ କହିଛନ୍ତି । ଚୂଡ଼ାକୁଟା ସାହିରୁ ସମଲପୁର ପର୍ଯ୍ୟନ୍ତ ପାଖାପାଖି ୨୦୦ରୁ ଅଧିକ ଭୂମିହୀନ ପରିବାର ଦୀଘବର୍ଷ ଧରି ସ୍ଥାୟୀ ଭାବେ ବସବାସ କରି ଆସୁଛନ୍ତି । ଏଥିରୁ ଅଧିକାଂଶ ପରିବାର ଜାଗାମିଶନ ଜରିଆରେ ଭୂ-ଅଧିକାର ପ୍ରମାଣପତ୍ର ପାଇଥିବା ବେଳେ କିଛି ପରିବାର ଆବାସ ଯୋଜନାରେ ଘର ମଧ୍ୟ ନିର୍ମାଣ କରିଛନ୍ତି । ଆଉ କିଛି ପରିବାର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବି ପାଇଛନ୍ତି । ଏଭଳି ସ୍ଥିତିରେ ହଠାତ ଉଚ୍ଛେଦ କରାଗଲେ ସେମାନେ କେଉଁଠିକୁ ଯିବେ ବୋଲି ବସ୍ତି ପରିବାର ପ୍ରଶ୍ନ କରଇଛନ୍ତି । ତୁରନ୍ତ ସେମାନଙ୍କୁ ଜାଗା ପ୍ରଦାନ ସହ ଗୃହ ନିର୍ମାଣ ପାଇଁ ଉଚିତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲାପାଳଙ୍କଠାରେ ଗୁହାରୀ କରିଛନ୍ତି ବସ୍ତିବାସିନ୍ଦା । ବିଜେପି ନେତା ମାନସ ଦତ୍ତ ଓ ପୌରପାଳିକାର ୨୦ ନଂ ୱାର୍ଡ଼ କାଉନସିଲର ନିରୂପମା ଦାଶଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଅତିରିକ୍ତି ଜିଲାପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଠବ ହେମ୍ବ୍ରମ, ସୁମତୀ ବେହେରା, ମନୋରମା ପାତ୍ର, ସଂଯୁକ୍ତା ପାତ୍ର, ସୁନୀତା ସାହୁ, ପ୍ରଦୀପ କୁମାର ଦାସ, ପୁଷ୍ପଲତା ପାତ୍ର, ସଂଯୁକ୍ତା କିସ୍କୁ, ଦୁର୍ଗା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ବାଲେଶ୍ୱର ରେଳ ଷ୍ଟେସନ ସମ୍ପ୍ରସାରଣ ପାଇଁ ପୂର୍ବରୁ ଗୋଧିବସା ବସ୍ତି ବାସିନ୍ଦାଙ୍କୁ ରେଳ ଜାଗା ଖାଲି କରିବାକୁ ନୋଟିସ ହୋଇଥିଲା । ମାତ୍ର ତାହା ଅଦ୍ୟାବଧି ଖାଲି ହୋଇ ନଥିବା ବେଳେ ପୌରପାଳିକା ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଇ ନାହିଁ ।


