ରେଳ ଧକ୍କାରେ ୧୫ ଶିଖ୍ ତୀର୍ଥଯାତ୍ରୀ ମୃତ
ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶୁକ୍ରବାର ଅପରାହ୍ନରେ ଏକ ରେଳ ଦୁର୍ଘଟଣାରେ ୧୫ ଜଣ ଶିଖ୍ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ଏକ ମାନବବିହୀନ ଲେବଲ୍ କ୍ରସିଂରେ ଟ୍ରେନ୍ ସହ ଗୋଟିଏ ଭ୍ୟାନ୍ ଧକ୍କା ହୋଇଥିଲା। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ପଞ୍ଜାବ ପ୍ରଦେଶର ଶେଖପୁରା ଅଞ୍ଚଳରେ ଏହି ଅଘଟଣ ଘଟିଛି। ପ୍ରାଥମିକ ଅନୁସନ୍ଧାନ ପରେ ଶାହ ହୁସେନ୍ ଏକ୍ସପ୍ରେସ୍ ଲାହୋରରୁ କରାଚୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶିଖ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଭ୍ୟାନ୍କୁ ଫରୁକାବାଦ ଓ ବେହାଲି ରେଳ ଷ୍ଟେସନ୍ ମଧ୍ୟବର୍ତ୍ତିୀ ଅଞ୍ଚଳରେ ଧକ୍କା ଦେଇଥିଲା।
ଏହି ଅଘଟଣ ସମ୍ପର୍କରେ ଖବର ପାଇ ସ୍ଥାନୀୟ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୀର୍ଥଯାତ୍ରୀଙ୍କ ଶବଗୁଡ଼ିକର ପୋଷ୍ଟମର୍ଟମ୍ ବ୍ୟବସ୍ଥା ସ୍ଥାନୀୟ ହସ୍ପିଟାଲରେ କରାଇଛନ୍ତି। ଏଥିସହ ଆହତମାନଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ତୁରନ୍ତ ରେଳଧାରଣାକୁ ପରିଷ୍କାର କରାଯିବା ସହ ରେଳ ଚଳାଚଳକୁ ସ୍ବାଭାବିକ କରାଯାଇଛି। ଏଥିସହ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ରେଳବାଇ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଏହି ଦୁର୍ଘଟଣା ପାଇଁ ଦାୟୀ କରି ପାକିସ୍ତାନର ରେଳ ମନ୍ତ୍ରାଳୟ ପକ୍ଷରୁ ଜଣେ ଡିଭିଜନାଲ୍ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି।
ତେବେ ପାକିସ୍ତାନର ଏକ ଗଣମାଧ୍ୟମରେଏହି ଟ୍ରେନ୍ ଧକ୍କାରେ ଅତି କମ୍ରେ ୨୯ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ନାନକାନା ସାହିବସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇ ପେଶଓ୍ୱାର୍ ଫେରୁଥିବା ବେଳେ ଶିଖ୍ ତୀର୍ଥଯାତ୍ରୀମାନେ ଏପରି ଅଘଟଣର ଶିକାର ହୋଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏହି ଘଟଣାରେ ପାକିସ୍ତାନ ତେହରିକ୍-ଏ-ଇନସାଫ୍ (ପିଟିଆଇ) ମୁଖ୍ୟ ତଥା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ସକାଶେ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।


