ରେଳ ଧାରଣାରେ କଟି ଯୁବବକଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଶ୍ୟାମସୁନ୍ଦରପୁର ଦେଇ ଯାଇଥିବା ହରିଦାସପୁର- ପାରାଦୀପ ରେଳପଥରେ ରେଳ ଧାରଣାରେ କଟି ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି । ମୃତ ଯୁବକ ହେଉଛନ୍ତି କେନ୍ଦ୍ରାପଡା ସାଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ଦେପୁର ଗ୍ରାମର ଶ୍ୟାମସୁନ୍ଦର ମଳିକଙ୍କ ପୁଅ ଜୟଦେବ ମଳିକ(୩୦) । ଖବର ଅନୁଯାୟୀ ବୁଧବାର ସକାଳ ପ୍ରାୟ ସାଢେ ୬ଟା ବେଳେ ଜୟଦେବ ଗୋପ- ଶ୍ୟାମସୁନ୍ଦରପୁର ଗଡା ମଧ୍ୟସ୍ଥ ରେଳ ଧାରଣାରେ କଟିଯାଇ ମୃତ୍ୟୁବରଣ କରିଥିବା ନିକଟସ୍ଥ ଗ୍ରାମର କେତେକ ଲୋକେ ଦେଖିଥିଲେ । ଏନେଇ ରେଳବାଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପାରାଦୀପରୁ ରେଳବାଇ ପୋଲିସ ଆସି ଘଟଣସାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଅପରପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ଜୟଦେବଙ୍କ ପତ୍ନୀ କର୍କଟ ରୋଗରେ ପିଡିତ ଅଛନ୍ତି । ସେ ଆଉ ପୂର୍ବ ଭଳି ସୁସ୍ଥ ହୋଇପାରିବେନି ବୋଲି ଡାକ୍ତର ପରୀକ୍ଷା କରି ଜାଣିବାକୁ ପାଇଥିଲେ । ଏଥିପାଇଁ ଜୟଦେବ ଅନେକ ସମୟରେ ବିଷାଦଗ୍ରସ୍ତ ରହୁଥିଲେ । ଏପରିକି ପୂର୍ବରୁ ଦୁଇଥର ରେଳ ଧାରଣାରେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ପୂର୍ବରୁ ତାଙ୍କ ଆଙ୍ଗୁଳି ମଧ୍ୟ କଟି ଯାଇଥିଲା ।


