ରେସୱା ଅନୁଷ୍ଠାନରେ ଲିଙ୍ଗ ଭିତିକ ହିଂସା ବିରୋଧୀ ଅଭିଯାନ ସମ୍ପର୍କରେ ସଚେତନତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଓଡିଶା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହାୟତାରେ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଏକ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ ଅଭିଯାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ୧୬ଦିନର ସକ୍ରିୟତା ହେଉଛି ଏକ ବାର୍ଷିକ ଆନ୍ତର୍ଜାତୀୟ ଅଭିଯାନ ଯାହା ନଭେମ୍ବର ୨୫ତାରିଖରୁ ଆରମ୍ଭ ହୋଇଛି । ରେସୱା ଅନୁଷ୍ଠାନର ଲିୟାକତ ହୁସେନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରୋଗ୍ରାମ ଅଫିସର ସଂଯୁକ୍ତା ମିଶ୍ର, କପାଳେଶ୍ୱର ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ପୂର୍ବତନ ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ସଦସ୍ୟା ସ୍ମୀତାଞ୍ଜଳି ମହାପାତ୍ର, ସଦସ୍ୟ କିଶୋର କୁମାର ସ୍ୱାଇଁ, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ତମସା ପାତ୍ର, ୟୁନିସେଫର ସଂଯୋଜକ ଅମିତା ସିଂ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ଅଧିକାରୀ ବାଦଲ ଦାଶ ପ୍ରମୁଖ ଯୋଗଦେଇ ପାରିବାରିକ ହିଂସା, ଲିଙ୍ଗଗତ ହିଂସା, ମହିଳା ଓ ଯୁବତୀଙ୍କ ହିଂସା ଓ ନିର୍ଯ୍ୟାତନା ବିରୋଧୀ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ପରିବାରର ଶାଶୁମାନେ ବୋହୁ ପ୍ରତି ମା’ର ଭୂମିକା ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଏତଦବ୍ୟତିତ ଭୃଣହତ୍ୟା, ଲିଙ୍ଗଗତ ଅସମାନତା, ଶିକ୍ଷାଗତ ଅସଙ୍ଗତା, ବାଲ୍ୟ ବିବାହ, ଦୁଷ୍କର୍ମ, ବାଧ୍ୟତା ମୂଲକ ଗର୍ଭପାତ, ଲିଙ୍ଗ ନିରୂପଣ, ଯୈାନ ଉତ୍ପୀଡନ, ସାମାଜିକ ତଥା ଆର୍ଥିକ ହିଂସା ପ୍ରଭୃତି ସମ୍ପର୍କରେ ଥିବା ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ଦେଶ ଓ ସମାଜ ଗଠନରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ମହିଳା ଓ ଯୁବତୀମାନେ ନିଜେ ସଚେତନ ହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ରେସୱାର ସମସ୍ତ ଅନ୍ତେବାସୀ ବିଭିନ୍ନ ପ୍ରକାର ଧନ୍ଦା ମୂଳକ ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ପରିଚାଳନାରେ ସ୍ୱାଧାରଗୃହର ଅଧିକ୍ଷିକା ମିନତୀ ମହାରଣା ଓ ରେନୁଜା ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ