ରୋଗଗ୍ରସ୍ତ କରିପାରେ ପ୍ରେମ
ଲଭ୍, ପ୍ରେମ, ଈଶ୍କ, ମୋହବତ କେବେ କାହାକୁ କେତେବେଳେ ହୋଇଯାଏ, ଏହା କେହି ଜାଣି ନ ଥାନ୍ତି। ଏହା ପଛରେ କୌଣସି ପ୍ରକାରର ସ୍ପଷ୍ଟ କାରଣ ନାହିଁ। କାରଣ ପ୍ରେମ ଏଭଳି ଏକ ଅନୁଭବ ଯାହା କାହାରି ପାଇଁ ଅଚାନକ ମନରେ ଆସିଯାଏ। ଅନେକ ସମୟରେ ବ୍ୟକ୍ତିଙ୍କୁ ଜଣା ବି ନ ଥାଏ ଯେ ସେ କାହାରି ପ୍ରେମରେ ପଡ଼ିଛନ୍ତି। କିନ୍ତୁ ଏହି ପ୍ରେମ ଆପଣଙ୍କ ଜୀବନକୁ ଯେତିକି ଖୁସି ଦେଇଥାଏ, ଏହି ପ୍ରେମ ଆପଣଙ୍କୁ ରୋଗୀ ମଧ୍ୟ କରିପାରେ। ପ୍ରେମ ପାଇଁ ଶରୀରରେ କେତେକ ପାର୍ଶ୍ବ ପ୍ରତିକ୍ରିୟା ନଜର ଆସିଥାଏ। ଏହା କେତେକ ଗବେଷଣାରୁ ଜଣାପଡ଼ିଛି।
ପ୍ରେମ ଏକ ଡ୍ରଗ୍ସ ଭଳି ହୋଇଥାଏ। ଯେତେବେଳେ ଆପଣ ପ୍ରେମରେ ପଡ଼ିଥାନ୍ତି, ମସ୍ତିଷ୍କରେ ଡୋପମାଇନ, ଅକ୍ସିଟୋସିନ, ଆଡ୍ରେନାଲିନ ଓ ଭାସୋପ୍ରେସିନ୍ ନାମକ ଅନେକ କେମିକାଲ ନିର୍ଗତ ହୋଇଥାଏ। ଏହି କେମିକାଲ୍ସ ନିର୍ଗତ ହେବା ଫଳରେ ଆପଣଙ୍କୁ ଏହାର ନିଶା ଚଢ଼ି ଯାଏ। ଏହାର ଆଡିକ୍ସନ୍ ହୋଇଯାଇଥାଏ।
ମସ୍ତିଷ୍କକୁ କରିଥାଏ ନିୟନ୍ତ୍ରଣ : ଆମେରିକାର ନ୍ୟୁ ଜର୍ସିସ୍ଥିତ ରଟଗର୍ସ ୟୁନିଭର୍ସିଟିରେ ୨୦୧୦ରେ ହୋଇଥିବା ଏକ ଗବେଷଣାର ରିପୋର୍ଟରୁ ଜଣାପଡ଼ିଥିଲା ଯେ ପ୍ରେମ ଏକ ପ୍ରକାର ନିଶା ଭଳି ହୋଇଥାଏ। ଏହା ଆପଣଙ୍କ ମସ୍ତିଷ୍କର ସେହି ଅଂଶକୁ ପୂରାପୂରି ଭାବେ ନିୟନ୍ତ୍ରଣ କରିଥାଏ, ଯାହାଦ୍ବାରା ଆପଣ ଆବଶ୍ୟକୀୟ ନିଷ୍ପତ୍ତି ନେଇଥାନ୍ତି।
ଭୋକ ନ ଲାଗିବା : ପ୍ରେମ ହେବା ମାତ୍ରେ ଶରୀରରେ ଥିବା ଷ୍ଟ୍ରେସ୍ ହର୍ମୋନ୍ କୋର୍ଟିସୋଲ ରକ୍ତ ବାହିକା ମାଧ୍ୟମରେ ଆମ ଶରୀରରେ ପହଞ୍ଚି ଯାଏ। ଏହି କାରଣରୁ ପେଟରେ ଗୁଡ଼ଗୁଡ଼ ହେବାରେ ଲାଗିଥାଏ। ଯାହା ଆପଣଙ୍କୁ ଭୋକ ଲାଗିବାକୁ ଦିଏ ନାହିଁ। ଏପରି ଲାଗେ ଆପଣ କୌଣସି ରୋଗରେ ପଡ଼ିଛନ୍ତି।
ହର୍ମୋନ୍ ଅସୁନ୍ତଳନ : ଆପଣଙ୍କ ପ୍ରେମ ଭରା ସମ୍ପର୍କର ଆରମ୍ଭରେ ୧ରୁ ୨ ବର୍ଷ ଯାଏ ଦୁଇ ପାର୍ଟନର ପରସ୍ପରଙ୍କ ବିନା ରହି ନ ପାରିବାର ଫିଲିଙ୍ଗସ୍ ରହିଥାଏ। ଏହି ସମୟରେ ଆପଣଙ୍କ ଶରୀରରେ ହର୍ମୋନ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଥାଏ।
ନିଦ ନ ହେବା ସମସ୍ୟା : ଏଥିସହିତ ଶରୀରରେ ଏହା ଦ୍ବାରା ଶରୀରରେ ଅଧିକ ଶକ୍ତି ଅନୁଭବ ହୋଇଥାଏ ଓ ରାତି ରାତି ନିଦ ହୋଇ ନ ଥାଏ। ବିଶେଷଜ୍ଞଙ୍କ କହିବାନୁସାରେ ନିଦ ନ ହେବା ଫଳରେ ଅନେକ ପ୍ରକାରର ସମସ୍ୟା ହୋଇପାରେ। ଓଜନ ବୃଦ୍ଧି, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ।