ରୋଗୀଚିକିତ୍ସାରେ ସୁଧାରପାଇଁ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ସ୍ୱାଗତ

ବାଲେଶ୍ୱର: ଫକୀରମୋହନ ସରକାରୀ ମେଡିକାଲ କଲେଜର ସୁପରିନ୍ଟେଣ୍ଡେଣ୍ଟ୍ ଡଃ ସୁଧିର କୁମାର ଘୋଷ ଗତ ୧ ତାରିଖ ଦିନ ସମସ୍ତ ପ୍ରଫେସର ବିଭାଗୀୟ ମୁଖ୍ୟ ଓ ଡାକ୍ତରମାନଙ୍କୁ ଦେଇଥିବା ଲିଖିତ ନିର୍ଦ୍ଦେଶକୁ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ସ୍ୱାଗତ କରିଛି । ଡଃ ଘୋଷ ଦେଇଥିବା ୮ଟି ନିର୍ଦ୍ଦେଶକୁ ସଠିକ୍ ଭାବେ ପାଳନ କରାଯିବା ଉଚିତ୍ ବୋଲି କ୍ରିୟାନୁଷ୍ଠାନ କମିଟି ଆଶା କରୁଛି । ଡାକ୍ତରମାନେ ନିଜର ଧାର୍ଯ୍ୟ କାର୍ଯ୍ୟ ସମୟ ମଧ୍ୟରେ କୌଣସି ଘରୋଇ ଚିକିତ୍ସା କରିପାରିବେ ନାହିଁ । ସେହିପରି କାର୍ଯ୍ୟରେ ଯୋଗଦେଲାବେଳେ ଓ ପ୍ରସ୍ଥାନ ସମୟରେ ବାୟୋମେଟ୍ରିକ୍ ମାଧ୍ୟମରେ ନିଜର ଉପସ୍ଥାନ ଜଣାଇବେ । ଡାକ୍ତରଖାନାରେ ଉପଲବ୍ଧ ଔଷଧ ବ୍ୟତିରେକ ଅନ୍ୟ କୌଣସି ଔଷଧ କିଣିବା ପାଇଁ ରୋଗୀମାନଙ୍କ ଚିକିତ୍ସା ଚିଠାରେ ଲେଖିପାରିବେ ନାହିଁ । ଚିକତ୍ସାପତ୍ରରେ ସ୍ପଷ୍ଟଭାବେ ଔଷଧର ନାମ, ପରିମାଣ ଲେଖିବା ସହ ପଠନଯୋଗ୍ୟଭାବେ ନିଜର ନାମ ସ୍ୱାକ୍ଷର କରିବେ । କୌଣସି ଔଷଧକଂପାନୀଙ୍କର ପ୍ରଚାରପତ୍ରରେ ଚିକିତ୍ସାପତ୍ର ଲେଖିବେନାହିଁ । ଯଦି କୌଣସି ଡାକ୍ତର ଘରୋଇ ଚିକିତ୍ସା କରୁଥାଆନ୍ତି ତେବେ ସେମାନଙ୍କ ବାସଗୃହ ନିକଟରେ ଘରୋଇ ଚିକିତ୍ସା କରିବେ କିନ୍ତୁ ହସପିଟାଲ ନିକଟରେ ଥିବା କୌଣସି ବ୍ୟବସାୟ କେନ୍ଦ୍ରରେ ଚିକିତ୍ସାପତ୍ର ଲେଖିବେନାହିଁ । କୌଣସି ଦଲାଲ୍ କିମ୍ବା ମଧ୍ୟସ୍ଥିଙ୍କ ଦ୍ୱାରା ପ୍ରଭାବିତ ହେବେନାହିଁ ବୋଲି ଡଃ ଘୋଷ ନିର୍ଦ୍ଦେଶ ଦେଇଛନ୍ତି । କ୍ରିୟାନୁଷ୍ଠାନ କମିଟିର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ବୈଠକ ବରିଷ୍ଠ ଉପସଭାପତି ଭଗବାନ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଡଃ ଘୋଷଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଇଛି । ହସପିଟାଲ୍ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଶଯ୍ୟାସଂଖ୍ୟା ବୃଦ୍ଧି କରାଯାଉନଥିବାରୁ ବହୁ ରୋଗୀ ବିଶେଷକରି ପ୍ରସୂତିମହିଳା ଓ ନବଜାତ ଶିଶୁମାନେ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି । ତେଣୁ ମେଡିକାଲ୍ କଲେଜ ସଂଲଗ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦୦ ଶଯ୍ୟାର ହସପିଟାଲ୍ର ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । ଆସନ୍ତା ଡିସେମ୍ବର ମାସରେ କ୍ରିୟାନୁଷ୍ଠାନ କମିଟିର ବାର୍ଷିକ ସମ୍ମିଳନୀ ପୂର୍ବରୁ ଉପରୋକ୍ତ ଦାବିରେ ଆସନ୍ତା ନଭେମ୍ବର ମାସରେ ଏକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରୀ ନିଯୁକ୍ତିରେ ଥାଇ ଘରୋଇ ଚିକିତ୍ସା କରୁଥିବା ଡାକ୍ତରମାନେ ସର୍ବାଧିକ ୧୦୦ ଟଙ୍କା ଫିସ୍ ନେବାପାଇଁ କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରିଛି । ଏ ସଂପର୍କରେ ଆସନ୍ତା ମଙ୍ଗଳବାର ଦିନ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଛି । ବାଲେଶ୍ୱର ଜିଲ୍ଲା ଓ ସମଗ୍ର ରାଜ୍ୟରେ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ଚିକିତ୍ସା ନିମିତ୍ତ ବାଲେଶ୍ୱରରେ ରାଞ୍ôଚ ଭଳି ଏକ ସ୍ୱତନ୍ତ୍ର ହସପିଟାଲ୍ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପିତ କରିବାକୁ ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ା ଦେଇଥିବା ପ୍ରସ୍ତାବକୁ ଏହି ବୈଠକରେ ଅନୁମୋଦନ କରାଯାଇଛି । ବୈଠକ ଆରମ୍ଭରେ ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ଶୋକ ପ୍ରକାଶ କରାଯାଇଛି । ଡଃ କ୍ଷିତିଶ୍ୱର ଦାଶ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ