ରୋଜଗାରିଆ ପୁଅର ଅକାଳ ମୃତ୍ୟୁ ସହ ରୋଗିଣା ପୁଅର ପତ୍ତା ମିଳୁନି; ପରିବାର ବେସାହାରା
ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ସରୁନି ଦାଦନର ଦୁଃଖ ଓ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ଓଡିଆ ଯୁବକଙ୍କୁ ରୋଜଗାରର ପନ୍ଥା ଯୋଗାଇବାରେ | ବାଧ୍ୟ ହୋଇ ଓଡିଆ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ କେଉଁଠି ବସ୍ ଦୁର୍ଘଟଣାରେ ମଲେଣି ତ କେଉଁଠି ଋଣ ଭାରକୁ ସହି ନପାରି ଘରର ଭେଣ୍ଡା ପୁଅ ଆତ୍ମହତ୍ୟା କଲାଣି | ଏହି ପରି ଏକମାତ୍ର ରୋଜଗାରିଆ ଭେଣ୍ଡା ପୁଅର ଅକାଳ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ଜୁରିଆ ନାୟକଙ୍କ ପରିବାର ବେସାହାରା ହୋଇପଡିଛି | ସୂଚନା ପ୍ରକାରେ ନିଜର ଦୁଇ ପୁଅ, ଚାରି ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ଜୁରିଆ ନାୟକ(୭୦)ଙ୍କ ପରିବାର | ଆଗରୁ ଦୁଇ ଝିଅ ବିବାହ କରିସାରିଥିବା ବେଳେ ଆଉ ଦୁଇ ଅବିବାହିତ ଝିଅ ଏବଂ ଦୁଇ ପୁଅକୁ ନେଇ ଶ୍ରୀ ନାୟକଙ୍କ ତେଲ ଲୂଣର ସଂସାର ଚଳୁଥିଲା | ଜୂରିଆଙ୍କ ବଡ଼ ପୁଅ ନିତ୍ୟାନନ୍ଦ ନାୟକ(୩୫) ଥିଲା ଘରର ଏକମାତ୍ର ରୋଜଗାରିଆ ପୁଅ, ସାନ ପୁଅ ବାହାନ ନାୟକ(୨୫) ରୋଗୀଣା ଏବଂ ମାନସିକ ବିକାର ଗ୍ରସ୍ତ | ନିତ୍ୟାନନ୍ଦ ଗୁଜରାଟର ସୁରତ୍ ରେ ପିପୋଦରା ଜିଆଇଡିସି ଅଞ୍ଚଳରେ ଦୀର୍ଘ ୨୨ ବର୍ଷ ହେବ ସୁତାକଳ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା | ଲକ୍ ଡ଼ାଉନ୍ ସମୟରେ ସୁରତ୍ ରେ କାମଧନ୍ଦା ନ ପାଇ ଗତ ମଇ ମାସରେ ସେ ନିଜ ଗାଆଁକୁ ଫେରି ଆସିଥିଲା | କିନ୍ତୁ ଓଡ଼ିଶାରେ ମଧ୍ୟ ସରକାର କିମ୍ବା ପ୍ରଶାସନ ତାକୁ କିଛି କାମଧନ୍ଦା ଯୋଗାଇ ପାରିନଥିଲେ ତେଣୁ ନିତ୍ୟାନନ୍ଦର ସମସ୍ୟା ଦିନକୁ ଦିନ ବଢି ଚାଲିଥିଲା | ସାଙ୍ଗସାଥୀଙ୍କ ଠାରୁ କିଛି ଟଙ୍କା ଧାର କରଜ କରି ଲକ୍ ଡ଼ାଉନ୍ ସମୟରେ ସେ ନିଜର ପରିବାରର ପ୍ରତିପୋଷଣ କରୁଥିଲା | ଗତ ସେପ୍ଟେମ୍ବର ମାସରେ ସୁତାକଳ ଆରମ୍ଭ ହେବା ପରେ ସେ ଆଉ କିଛି ଟଙ୍କା ଧାର କରି ଏକ ବସ୍ ରେ ସୁରତ୍ ଫେରି ଯାଇଥିଲା | ଗତ ଅକ୍ଟୋବର ୧୧ ତାରିଖ ଭୋର୍ ସମୟରେ ସୁତା କଳ ଖୋଲିଲା ବେଳକୁ କାରଖାନା ଭିତରେ ନିତ୍ୟାନନ୍ଦର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା | ନିଜର ଅସହ୍ୟ ଅଭାବୀ ଯନ୍ତ୍ରଣାକୁ ସହି ନ ପାରି ଆତ୍ମହତ୍ୟା କରିଥିବା କଥା ସେଠାକାର ଲୋକେ ସନ୍ଦେହ କରିଥିଲେ କିନ୍ତୁ ଏହି ଖବର ନିତ୍ୟାନନ୍ଦର ଗାଆଁରେ ପହଂଚିବା ପରେ ତା ପରିବାର ଲୋକେ ଦୁଃଖରେ ଭାଂଗି ପଡିବା ସହ ନିତ୍ୟାନନ୍ଦର ଆତ୍ମହତ୍ୟା ଖବରକୁ ସହଜରେ ଗ୍ରହଣ କରି ନ ପାରି ତାକୁ ହତ୍ୟା କରି ଝୁଲାଇ ଦେଇଥିବା କଥା ବାପା ଜୁରୀଆ ସନ୍ଦେହ କରୁଛନ୍ତି | ଏ ନେଇ ଉଚ୍ଚ ସ୍ତରୀୟ ସରକାରୀ ତଦନ୍ତ ହେଲେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ନିତ୍ୟାନନ୍ଦଙ୍କ ପରିବାର ଲୋକେ କହିଛନ୍ତି | ଏତିକିରେ ସରିନାହିଁ ଜୂରିଆଙ୍କ ଦୁଃଖ ତାଙ୍କର ମାନସିକ ବିକାର ଗ୍ରସ୍ତ ସାନ ପୁଅ ବାହାନ(୨୫) ମଧ୍ୟ ଗତ ସେପ୍ଟେମ୍ବର ମାସରୁ ଘରୁ କୁଆଡେ ପଳେଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାର ପତ୍ତା ମିଳୁନି | ବଡ଼ ପୁଅର ଅକାଳ ମୃତ୍ୟୁ ଏବଂ ସାନ ପୁଅର ନିଖୋଜ ଘଟଣାରେ ଜୂରିଆଙ୍କ ପରିବାର ନିର୍ବାକ ହୋଇଯାଇଛନ୍ତି | ଘରର ଏକମାତ୍ର ରୋଜଗାରିଆ ପୁଅ ଚାଲିଯିବା ପରେ ଜୂରିଆଙ୍କ ପରିବାର ସମ୍ପୂର୍ଣ ବେସାହାରା ହୋଇପଡିଛି, ଦୁଇ ଅବିବାହିତ ଝିଅ ଏବଂ ମାନସିକ ବିକାର ଗ୍ରସ୍ତ ପୁଅକୁ ନେଇ ଆଗକୁ ପରିବାର କିପରି ଚଳାଇବେ ସେହି ଚିନ୍ତାରେ ଭାଂଗି ପଡ଼ିଛନ୍ତି ଜୂରିଆ | ନିଜର ବିବାହ ଯୋଗ୍ୟ ଭେଣ୍ଡା ପୁଅକୁ ହରାଇ ବିଭିନ୍ନ୍ ବିବାହ ପ୍ରସ୍ତାବ କଥା ବାହୁନି ବାହୁନି ମା ଭାଲୁ ବାରମ୍ବାର ବେହୋସ ହୋଇପଡୁଛନ୍ତି | ଏହିପରି ଏକ ଦୁର୍ଦିନ ସମୟରେ ସରକାର ଜୂରିଆଙ୍କ ପରିବାରକୁ ସାହାଯ୍ୟ କରିବା ସହିତ ତାଙ୍କର ସାନ ପୁଅକୁ ଖୋଜି ଘରକୁ ଫେରାଇ ଆଣିବା ପାଇଁ ଅଞ୍ଚଳରେ ଦାବି ହୋଇଛି |


