ରୋଜଗାର ଅଭାବରୁ ଘାସ ଚୋବାଇଲେ ଗାଁସାଥୀ
ଭୁବନେଶ୍ୱର, : ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ପରିସରରେ କିଛି ଅଭିନବ ଉପାୟରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ସମଗ୍ର ଓଡ଼ିଶାର ପ୍ରାୟ ଅଧିକାଂଶ ଗାଁସାଥୀ (ମେଟ୍) ରୋଜଗାର ଅଭାବରୁ ଆଜି ଏକ ନିଆରା ଢଙ୍ଗରେ ତାଙ୍କର ରାଜ୍ୟ କମିଟିର ସଭ୍ୟ ସଭ୍ୟାଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାଇ ଦେବାର ଉଦ୍ୟମ କରିଛନ୍ତି ବୋଲି ସଂଘ ତରପରୁ ପ୍ରକାଶ । ଏଠାରେ ନିବେଦନଯୋଗ୍ୟ ଯେ ଚଳିତ ବିଧାନସଭାରେ ଗଁସାଥୀଙ୍କ ପ୍ରସଙ୍ଗ ପ୍ରଶ୍ନ ଉତ୍ଥାପନ ପାଇଁ ରାଜ୍ୟର ସମସ୍ତ ବିଧାୟକ, ବିଧାୟିକାମାନଙ୍କୁ ସଂଘ ତରଫରୁ ଅନୁରୋଧ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସଂଘର ପ୍ରମୁଖ ସଂଗଠକମାନେ ଆଜି ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ଆଗରେ ଘାସ ଚୋବାଉଥିବାର ଲକ୍ଷ୍ୟ କରାଯାଇଥିଲା । ଏହାର କାରଣ ସମ୍ପର୍କରେ ପଚାରିବାରୁ ଶ୍ରୀମାନ ବିଶ୍ୱାଳ ସ୍ପଷ୍ଟ କହିଥିଲେ ଯେ, ଏକାଧିକ ସରକାରୀ ଚିଠି ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜ୍ଞାଙ୍କ ୨୮ ନଭେମ୍ବର ୨୦୧୯ର ଗଣମାଧ୍ୟମ ବୟାନ, ଏହି ଉଭୟ ତଳସ୍ତରରେ ସଠିକ୍ ଭାବେ କାର୍ଯ୍ୟକାରୀ ନହେବାରୁ ରୋଜଗାର ଅଭାବରୁ ଆଜି ଗାଁସାଥୀ (ମେଟ୍) ସଂଗଠକମାନେ ଘାସ ଚୋବାଇବାକୁ ବାଧ୍ୟ ହେଲେ । ଏଣୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ପଞ୍ଚାୟତିରାଜ ବିଭାଗର ଚିଠି ନଂ-୯୪୦ ତା ୧୧.୧.୧୯ ଅନୁଯାୟୀ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସର୍ବନିମ୍ନ ୧୦୦ ଦିନର କାର୍ଯ୍ୟ ପାଇନଥିବା ସମସ୍ତ ଗାଁସାଥୀ (ମେଟ୍)ମାନଙ୍କ ପାଇଁ ସଠିକ୍ କ୍ଷତିପୂରଣର ବ୍ୟବସ୍ଥା ସରକାର କରନ୍ତୁ । ଏଥିସହିତ ରାଜ୍ୟର ପଶ୍ଚିମାଞ୍ଚଳରେ ଥିବା ୪ଜିଲ୍ଲାର ୨୦ଟି ବ୍ଲକର ଯେପରି ଭାବେ ଜବକାର୍ଡ଼ଧାରୀ ମାନଙ୍କ ପାଇଁ ବର୍ଷକୁ ୨୦୦ ଦିନର କାର୍ଯ୍ୟ ଓ ଦୈନିକ ମଜୁରୀ ୨୮୬ ଟଙ୍କା ୩୦ ପଇସା ଆମ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜାନୁୟାରୀ ୧୫ରେ ଘୋଷଣା କଲେ । ସେହି ସମାନ ପ୍ରକାର ଘୋଷଣା ସାରା ଓଡ଼ିଶାର ୬୩ ଲକ୍ଷରୁ ଉର୍ଦ୍ଧ୍ୱ ଜବ୍କାର୍ଡ଼ଧାରୀ ମାନଙ୍କ ପାଇଁ ପୁରା ୩୦ ଜିଲ୍ଲା ଓ ୩୧୪ ବ୍ଲକରେ ବ୍ୟବସ୍ଥା କରାଯାଉ ବୋଲି ସଂଘ ଦାବି କରିଛି । ଏହା ସହିତ ଉଭୟ ଜବକାର୍ଡ଼ଧାରୀ ଓ ଗାଁସାଥୀ (ମେଟ୍)ମାନଙ୍କ ବକେୟା ମଜୁରୀ ଓ ପ୍ରାପ୍ୟକୁ ସାରା ଓଡ଼ିଶାରେ ସଠିକ୍ ତଦନ୍ତ ପୂର୍ବକ ତୁରନ୍ତ ପ୍ରଦାନ କରିବାର ରାଜ୍ୟସ୍ତରୀୟ ବ୍ୟବସ୍ଥା ଲାଗି ସଂଘ ଦାବି ଜଣାଇଛି । ଏହି ତିନୋଟି ପ୍ରମୁଖ ଦାବିକୁ ରାଜ୍ୟ ସରକାର ଆଗାମୀ ୧ ସପ୍ତାହ ମଧ୍ୟରେ ସଂଘର କର୍ମକର୍ତ୍ତାଙ୍କ ସହିତ ଏକ ମିଳିତ ତଥା ସକରାତ୍ମକ ଆଲୋଚନା ବଳରେ ପୂରଣ କରିବା ଲାଗି ସଂଘ ସରକାରଙ୍କ ନିକଟରେ ବିନମ୍ର ନିବେଦନ ଜଣାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୌଭାଗ୍ୟ ମିଶ୍ର, କୁଳମଣି ମେଣ୍ଟା, ରବିନ୍ଦ୍ର ପ୍ରଧାନ, ଗୀତାଞ୍ଜଳି ପାତ୍ର, ଚରଣ ନାହାକ, ପବିତ୍ର ସୁନ୍ଦରାୟ, ପରମାନନ୍ଦ ମାଝୀ, ଶଙ୍କର୍ଷଣ ପଲାଇ, ବିପିନ ନାହାକ, ସ୍ମୃତିନରଞ୍ଜନ ନାୟକ, ସୁଶିଳା ନାୟକ, କୁମୁଦୁନି ପତି ଓ ଅନ୍ୟ ୭୦ରୁ ଉର୍ଦ୍ଧ୍ୱ ତ୍ୟାଗୀ ଗୁଣି ଗାଁସାଥୀ ସଂଗଠକ ଉପସ୍ଥ୍ିତ ଥିଲେ ।