ରୋଜଗାର ଆନ୍ଦୋଳନରେ ସାମିଲ୍ ହେଲେ ରାଜ୍ୟର ଶତାଧିକ ସଂଗଠନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବେରୋଜଗାର ବିରୁଦ୍ଧରେ ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ପକ୍ଷରୁ ଏକ ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକରୁ ବାହାରି ରେଲୱେ ଷ୍ଟେସନ ନିକଟରେ ପହଞ୍ôଚଥିଲା । ଏହି ପଦଯାତ୍ରାରେ ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ଗଣସଂଗଠନ ସାମିଲ୍ ହୋଇଥିଲେ । ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୨୨ ତାରିଖ ୭ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ଯନ୍ତରମନ୍ତର ମଇଦାନରେ ସତ୍ୟାଗ୍ରହରେ ଅଂଶଗ୍ରହଣ କରିବା ପାଇଁ ସ୍ଲୋଗାନ ଦେଇଥିଲେ ଏବଂ ସଂଗଠନର କର୍ମକର୍ତ୍ତା ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଆଜି ଦେଶ ବେକାରୀ ସମସ୍ୟାକୁ ନେଇ ଭୟଙ୍କର ସଙ୍କଟ ଦେଇ ଗତି କରୁଛି । ଏପରିକି ବଡ଼ ବଡ଼ ଡିଗ୍ରୀ ହାସଲ କରି ମଧ୍ୟ ଯୁବକମାନେ ଚାକିରୀ ପାଇଁ ଏଠି ସେଠି ବୁଲୁଛନ୍ତି । ନୂତନ ନିଯୁକ୍ତି ସୃଷ୍ଟି କରିବା ତ ଦୂରର କଥା, ଖାଲି ପଡ଼ିଥିବା ଲକ୍ଷ ଲକ୍ଷ ପଦବୀରେ ମଧ୍ୟ ନିଯୁକ୍ତି କରାଯାଉ ନାହିଁ । ଚାକିରୀ ପାଇଁ ଦାବି କରୁଥିବା ଯୁବକଙ୍କୁ ମିଳୁଛି ଲାଠିର ପ୍ରହାର । ନିକଟରେ ରେଳବାଇ ଓ ଏନ୍ଟିପିସିରେ ଚାକିରୀ ପାଇଁ ଆଶାୟୀ ଯୁବକଙ୍କ ଉପରେ ଆକ୍ରମଣ ସଦ୍ୟତମ ଉଦାହରଣ । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଯୋଗ୍ୟତା ଅନୁସାରେ ଚାକିରୀ ଆଜିର ଦିନ ପାଇଁ ସ୍ୱପ୍ନ ହୋଇଯାଇଛି । ଯାହା ବି ନିଯୁକ୍ତି ମିଳୁଛି ତାହା ବି ସ୍ଥାୟୀ ନୁହେଁ । ସବୁବେଳେ ଛଟେଇର ଭୟ ଲାଗି ରହୁଛି ଏବଂ ଯାହା ବି ଆୟ ହେଉଛି ସେଥିରେ ସମ୍ମାନ ସହକାର ବଞ୍ôଚବା ସମ୍ଭବପର ନୁହେଁ । ଗାଁ ଠୁ ସହର, କୃଷକଙ୍କ ଠାରୁ ମହିଳା, ଶିଳ୍ପୀ, କଳାକାର, କାରିଗର, ସବୁ ଧର୍ମ, ସବୁ ଜାତି, ସବୁ ଲିଙ୍ଗ ଆଦି ସମସ୍ତେ ଏହାର ଶିକାର । ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କର କୌଣସି ଉପଯୁକ୍ତ ନୀତି ନାହିଁ । ରୋଜଗାର ମାନବ ଜାତିର କେବଳ ଅର୍ଥନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ରାଷ୍ଟ୍ର ନିର୍ମାଣରେ ସମସ୍ତଙ୍କର ଅଂଶିଦାର ବିଷୟ ଅଟେ । ଆମ ଦେଶରେ ମାନବ ସମ୍ବଳ, ବୌଦ୍ଧିକ ସମ୍ବଳ, ପ୍ରାକୃତିକ ସମ୍ବଳ ଆଦି ସବୁକିଛି ମହଜୁଦ ଅଛି । କିନ୍ତୁ ପରିତାପର ବିଷୟ ସ୍ୱତନ୍ତ୍ରତାର ୭୫ବର୍ଷ ବିତି ଯାଇଥିଲେ ମଧ୍ୟ ସମସ୍ତଙ୍କୁ ରୋଜଗାର କରିବା ପାଇଁ କୌଣସି ନୀତି ନାହିଁ କି ଆଜି ପର୍ଯ୍ୟନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଫଳରେ ଦେଶରେ ଆର୍ଥିକ ଅସମାନତା ଋଣଭାର ବଢିବା ସହ ବେକାରୀହାର ମଧ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶର ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି ବୋଲି ଦେଶ୍ କି ବାତ୍ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ରଞ୍ଜନ ମିଶ୍ର କହିଛନ୍ତି ଏବଂ ୧୬ରୁ ୨୨ ଅଗଷ୍ଟ ବେରୋଜଗାର ବିରୁଦ୍ଧରେ ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ହେଉଥିବା ଆନ୍ଦୋଳନରେ ରାଜ୍ୟର ସମସ୍ତ ଛାତ୍ର, ଯୁବକ, ଶ୍ରମିକ, ମହିଳା, ଶିଳ୍ପୀ, କଳାକାର, କାରିଗର ସାମିଲ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।


