ରୋଟାରୀ କ୍ଲବ ଆଞ୍ଜେଲାର ଅଧିଷ୍ଠାନ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରୋଟାରୀ କ୍ଲବ ଭୁବନେଶ୍ୱର ‘ଆଞ୍ଜେଲା’ର ତୃତୀୟ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ଚୁମୁକୀ ଘୋଷାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରୋଟାରିଆନ ଆଶୁତୋଷ ରଥ (ଦି.ଏସ୍.ଜି) ଓ ସମ୍ମାନିତ ଅତିଥି ଭାବେ ରୋଟାରିଆନ ପ୍ରତିଭା ମହାପାତ୍ର (ଏ.ଜି) ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ଓ ସ୍ୱାବଲମ୍ବନଶୀଳତା ଦିଗରେ ସମାଜସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ ।ପୂର୍ବତନ ସଭାପତି ଶ୍ରୀମତୀ ଘୋଷାଲ ସ୍ୱାଗତ ଭାଷଣ ଦେବା ସହ ବିଗତ ବର୍ଷର କାର୍ଯ୍ୟଧାରା ବିବରଣୀ ଉପସ୍ଥାପିତ କରିଥିଲେ । ୨୦୨୩-୨୪ ବର୍ଷ ପାଇଁ ଶିକ୍ଷାବିତ ତଥା ସମାଜସେବୀ ଅମୀୟବାଳା ପରିଡ଼ା ସଭାପତି ଓ ତୃପ୍ତିରେଖା ଭଞ୍ଜଦେଓ ସମ୍ପାଦିକା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ରାସ୍ତା ଦୁର୍ଘଟଣା ହ୍ରାସ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକୁ ମୁଖ୍ୟ ପ୍ରକଳ୍ପ ଭାବେ ଗ୍ରହଣ କରିବା ପାଇଁ କ୍ଲବର ପ୍ରସ୍ତାବକୁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ତଥା ଉପସ୍ଥିତ ବରିଷ୍ଠ ରୋଟାରୀ ସଦସ୍ୟମାନେ ସମର୍ଥନ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ । ୨୦୨୩-୨୪ ବର୍ଷର ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ସବିତା ମହାନ୍ତି, ମମତା ବାଜପେୟୀ, ସୁରଭି ଦାସ, ପ୍ରଜ୍ଞା ମଧୁମିତା, ସୁସ୍ମିତା ମହାନ୍ତି, ସୁମିତ୍ରା ମିଶ୍ର, ଅମିତା ମିଶ୍ର ତଥା ଅର୍ପିତା ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ । ଏହି ଅବସରରେ ବିଶିଷ୍ଟ ସମାଜସେବୀ ଇପ୍ସିତା ସାହୁ, ପ୍ରଜ୍ଞା ପ୍ରଣମିତା, ସୁଜାତା ସାହୁ, କଳ୍ପନା ତ୍ରିପାଠୀ ଓ ବନସ୍ମିତା ଦାସ ପ୍ରମୁଖ ୫ଜଣ ସଦସ୍ୟା ନୂତନ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ କ୍ଲବର ପତ୍ରିକା ‘ଆସ୍ଥା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରିବେଶର ସୁରକ୍ଷା ନିମନ୍ତେ ସମସ୍ତ ଅତିଥି ମାନଙ୍କୁ ଚାରାଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀ ବବିରାଜଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।


