ରୋଟାରୀ କ୍ଲବ ପକ୍ଷରୁ ଅଙ୍ଗଦାନ ସଚେତନତା ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ଅଙ୍ଗଦାନ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ପରିସରରୁ ବାହାରିଥିବା ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ପତାକା ଦେଖାଉ ଉଦଘାଟନ କରିଥିଲେ । ଅନ୍ୟର ଜୀବନ ରକ୍ଷା ପାଇଁ ଅଙ୍ଗଦାନର ମହତ୍ୱକୁ କେବେ ମୂଲ୍ୟାଙ୍କନ କରାଯାଇ ନପାରେ । ରୋଟାରୀ କ୍ଲବର ଏହି ସାଧୁ ଉଦ୍ୟମ ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣା ଦେବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ବାଲେଶ୍ୱର ରୋଟାରୀ କ୍ଲବର ସଭାପତି ସୌରଭ ବେହେରା ଅଙ୍ଗଦାନ ସଚେତନତା ଶୋଭାଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ଅଙ୍ଗଦାନ ପାଇଁ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସଚେତନତା ମୂଳକ ଦସ୍ତଖତ ଅଭିଯାନ ଆରମ୍ଭ ହେବ ବୋଲି ସେ କହିଥିଲେ । ମୃତ୍ୟୁ ପରେ ବି ଅନ୍ୟ ଜଣକୁ ବଞ୍ଚାଇ ରଖିବା ପାଇଁ ରୋଟାରୀ କ୍ଲବ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସଫଳ କରିବା ପାଇଁ କ୍ଲବର ସମ୍ପାଦକ ସୁଖମୟ ଦାସ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ଏହି ଶୋଭାଯାତ୍ରା ରୋଟାରୀ କ୍ଲବ ପରିସରରୁ ବାହାରି ସହର କରିକ୍ରମା କରିବା ସହ ପୁଣି ସେଇଠାରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ରୋଟାରୀ କ୍ଲବ, ରୋଟ୍ରାକ୍ଟ କ୍ଲବ ଓ ରୋଟାରୀ ଇନରହୁଇଲ କ୍ଲବର କର୍ମକର୍ତ୍ତାଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ସାମିଲ ହୋଇଥିଲେ ।


