ରୋଟାରୀ କ୍ଲବ ପକ୍ଷରୁ ତମାଖୁ ବିରୋଧି ସଚେତନତା କର୍ମଶାଳା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜିକା ଯୁଗରେ ଅତ୍ୟଧିକ ତମାଖୁ ସେବନ ଯୋଗୁଁ ବହୁ ଲୋକ କ୍ୟାନସର ଭଳି ବିଭିନ୍ନ ମାରାତ୍ମକ ରୋଗର ଶିକାର ହୁଅନ୍ତି । ବିଶେଷ କରି ଯୁବ ପିଢୀ ମାନେ ଏହାର ଅଧିକ ଶିକାର ହେଉଥିବାରୁ ଶୁକ୍ରବାର ଛତ୍ରପୁର ପ୍ରତିଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ରହ୍ମପୁର ସେଣ୍ଟ୍ରାଲ ରୋଟାରୀ କ୍ଲବ ଓ ଛତ୍ରପୁର ରୋଟାରୀ କ୍ଲବର ମିଳିତ ଆନୁକୁଲ୍ୟରେ ତମାଖୁ ବିରୋଧି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ରୋଟାରି କ୍ଲବର ସଭାପତି ନିରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମକେସିଜିର ଅବସରପ୍ରାପ୍ତ ପ୍ରଫେସର ତଥା ବରିଷ୍ଠ ଛାତି ବିଶେଷଜ୍ଞ ଡାକ୍ତର ନାରାୟଣ ମିଶ୍ର ଯୋଗ ଦେଇ ତମାଖୁ ସେବନ ଆମ ଶରୀର ଉପରେ କିପରି କୁ ପ୍ରଭାବ ପକାଉଛି ସେ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କୁ ଅବଗତ କରାଇବା ସହିତ ତମାଖୁ ବର୍ଜନ ନେଇ ସଚେତନତା କରିଥିଲେ । ସେହିପରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ ଓ ଦନ୍ତ ବିଶେଷଜ୍ଞ ଡାକ୍ତର ଅସିତ କୁମାର ପଟ୍ଟନାୟକ ଯୋଗ ଦେଇ ତମାଖୁ ସେବନ ଦ୍ୱାରା ହେଉଥିବା ରୋଗ ବିଷୟରେ ଅବଗତ କରାଇବା ସହ ତମାଖୁ ସେବନ ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ରୋଟାରୀ କ୍ଲବର ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ, ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ସୁରଜିତ ସାମନ୍ତରାୟ, ଦ୍ୱାରିକା ସାମନ୍ତରାୟ, ବିମଳ ପ୍ରସାଦ ସାହୁ, ପଦ୍ମ ଚରଣ ସାହୁ ଓ ଏସ୍. ରେଖା ମହାନ୍ତି ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।