ରୋଷେଇ ପାଇଁ ରସୁଣ ଚିନ୍ତା, ତରକାରୀ ରୁ ସୁଆଦ ଗାଏବ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ରସୁଣ ର ଦରବୃଦ୍ଧି ସିଧାସଳଖ ହାଣ୍ଡିଶାଳ ଉପରେ ପଡିଛି। ସାଧାରଣ ଲୋକଟିଏ ରସୁଣ କିଣିବାକୁ ଡରୁଛି। ବିନା ରସୁଣ ରେ ମସଲା ତରକାରୀ ରୁ ସୁଆଦ ଗାଏବ ହୋଈଯାଈଛି। ଯାହାକୁ ନେଇ ରୋଷେଇ ଘରେ ରାତି ପାହିଲେ ଗୃହୀଣିଙ୍କୁ ରସୁଣ ଚିନ୍ତା ଘାରୁଛି। କହିବାକୁ ଗଲେ, ଆମିଷ ଦରଠାରୁ ରସୁଣ ଦର ଢେର ଅଧିକ ବୋଲି ଗୃହୀଣିଙ୍କ ଭିତରେ ଆଲୋଚନା ର ବିଷୟ ପାଲଟିଛି। ରସୁଣ କିଲୋ ପିଛା ବଜାର ଦର ୪ ଶହ ଟଙ୍କା ଥିବା ବେଳେ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ର ଲୋକଙ୍କ ପକେଟକୁ ଏହା ବାଧୁଛି। କାର୍ତ୍ତିକ ଆରମ୍ଭ ରୁ ରସୁଣ ଦର କମିବା କଥା, ମାତ୍ର ଏହି ମାସରେ ଅଦା ଓ ରସୁଣ ର ଦର ନିୟନ୍ତ୍ରଣ ବାହାର କୁ ଚାଲିଯାଈଛି। ସପ୍ତାହକ ମଧ୍ୟରେ ରସୁଣ ଦର ୮୦ ଟଙ୍କା ବଢିଥିଲା ବେଳେ ଆଗାମୀ ଦିନରେ ଏହା କେତେ ହେବ ତାକୁ କହିବା ବ୍ୟବସାୟୀ ଙ୍କ ପକ୍ଷରେ କଷ୍ଟକର ହୋଈପଡୁଛି। ସେପଟେ ପିଆଜ ଓ ଆଳୁ ଦର ମଧ୍ୟ ଲଗାମଛଡା ହୋଇ ବଢିଚାଲିଛି। ପରିବା କଥା ନକହିବା ଭଲ,ଯାହାକୁ କିଣିବ ୫୦ ଟଙ୍କା ଉପରେ କେଜି ପିଛା ଦର। ୫ ଶହ ଟଙ୍କା ଧରି ବଜାର କୁ ଗଲେ ବ୍ୟାଗ ଭର୍ତ୍ତି ହେଉନଥିବା ଜଣେ ସାଧାରଣ ପରିବାରର ଲୋକ ବଜାର ରୁ ଫେରିବା ବେଳେ ଏଭଳି ମନ୍ତବ୍ୟ ଦେଈଛନ୍ତି। ସାଧାରଣ ମାନର ରସୁଣ ୧୦ କେଜି ପିଛା ଦର ଏବେ ୩୨ ଶହ ଟଙ୍କା ରେ ପହଞ୍ଚିଛି। ଉନ୍ନତ ମାନର ରସୁଣ ୧୦ କେଜି ପିଛା ଦର ୪ ହଜାର ଟଙ୍କା ରହିଥିବା ଦେଖିବାକୁ ମିଳିଛି। ରସୁଣ ର ଏଭଳି ଦରବୃଦ୍ଧି ଖୁଚୁରା ବଜାରର ପରିସ୍ଥିତି କୁ ଅଣାୟତ୍ତ କରିଛି। ପୂର୍ବରୁ ରସୁଣ କେଜି ୧୮୦ ରୁ ୨୦୦ ଟଙ୍କା ରେ ବିକ୍ରି ହେଉଥିଲା। ଗତ ସପ୍ତାହରେ ଖୁଚୁରା ବ୍ୟବସାୟୀ କେଜି ପିଛା ୩୦୦ ରୁ ୩୨୦ ଟଙ୍କା ରେ କାରବାର କରୁଥିଲେ। କିନ୍ତୁ ଚଳିତ ସପ୍ତାହ ରେ ରସୁଣ ର ଦର ବୃଦ୍ଧି ହୋଇ କେଜି ପିଛା ୩୮୦ ରୁ ୪୦୦ ଟଙ୍କା ରେ ବିକ୍ରି ହେଉଛି। ବର୍ଦ୍ଧିତ ଦର ଯୋଗୁଁ ଲୋକମାନେ ରସୁଣ କିଣିବାକୁ ପଛଘୁଞ୍ଚା ଦେଉଥିବା ବ୍ୟବସାୟୀ କହିଛନ୍ତି। ରସୁଣ ର ଚଢା ଦରକୁ ନେଇ ଚିନ୍ତାରେ ଖାଉଟି। ରସୁଣ ର ବର୍ଦ୍ଧିତ ଦରକୁ ନେଇ ବ୍ୟବସାୟୀ ବି ପୂର୍ବ ଭଳି କିଣୁନଥିବା ଜଣାପଡିଛି। ଏଭଳି ରସୁଣ ସଙ୍କଟ କୁ ନେଇ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ। ବାହାର ରାଜ୍ୟ ରୁ ରସୁଣ ଆମଦାନୀ ହେଉନଥିବା ବେଳେ ଏହାର ଦରବୃଦ୍ଧି ହେଉଥିବା ଜଣାପଡିଛି। ଆମ ରାଜ୍ୟ କୁ ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରୁ ରସୁଣ ଆସିଥାଏ। ଦୀର୍ଘ ୪ ରୁ ୫ ମାସ ହେବ ରସୁଣ ଦର ଉପର ମୁହାଁ ହୋଇ ରହିଥିବା ବେଳେ ଗତ କିଛି ଦିନ ହେବ ଦର ୩୫୦ ଟଙ୍କା ପାର କରିଛି। ରସୁଣ ର ବିଶେଷ ଆମଦାନୀ ନାହିଁ। ତେଣୁ ବଜାରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଈଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ଏଭଳି ବର୍ଦ୍ଧିତ ଦର ଯୋଗୁଁ ଖାଉଟି ଓ ଖୁଚୁରା ବ୍ୟବସାୟୀ ମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ଯଦି ଯୋଗାଣ ବିଭାଗ ଏନେଇ ଧ୍ୟାନ ନଦେବ ତା ହେଲେ ସ୍ଥିତି ଅଣାୟତ୍ତ ହେବ ବୋଲି ବୁଦ୍ଧିଜୀବି ମାନେ ଆଶା ପ୍ରକଟ କରିଛନ୍ତି।