ରୟାଲ ଭୂଟାନ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ଦୁଇ ଦିନିଅ ଭୁଟାନ ଗସ୍ତ ସାରି ଫେରିଲେ ପ୍ରଧାନ ମନ୍ତ୍ରୀ

ରୟାଲ ଭୂଟାନ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ତିତ ସମସ୍ତଙ୍କୁ ଉଦବୋଧନ ଦେଇ କହି ଥିଲେ ଯେ, ଭୂଟାନର ମହାମହିମ ପ୍ରଧାନମନ୍ତ୍ରୀ ଡ. ଲୋତେ ସେରିଂ, ଭୂଟାନ ଜାତୀୟ ସଂସଦ ଏବଂ ଜାତୀୟ ପରିଷଦର ସମ୍ମାନନୀୟ ସଦସ୍ୟଗଣ, ଭୂଟାନ ରୟାଲ ବିଶ୍ୱବିଦ୍ୟାଳୟର ମାନନୀୟ କୁଳପତି ଏବଂ ଅଧ୍ୟାପକଗଣ । ଭୁଟାନ ଭାଷାରେ ସମ୍ଭୋଦିତ କରି କୁଜୋ ଜାଙ୍ଗପୋ ଲା । ନମସ୍କାର ଏ ସକାଳେ ଆପଣମାନଙ୍କ ସହିତ ଏଠାରେ ଉପସ୍ଥିତ ରହିବା ଆନନ୍ଦର ବିଷୟ । ମୁଁ ନିଶ୍ଚିତ ଯେ ଆପଣମାନେ ଭାବୁଥିବେ- ଆଜି ରବିବାର ଏବଂ ଆପଣମାନଙ୍କୁ ଅଧ୍ୟୟନରେ ଭାଗ ନେବାକୁ ପଡ଼ୁଛି । କିନ୍ତୁ ମୁଁ ଏହାକୁ ସଂକ୍ଷିପ୍ତ ରଖିବି ତଥା ଆପଣମାନଙ୍କ ପାଇଁ ଉପଯୋଗୀ ହେବା ଭଳି ପ୍ରସଙ୍ଗରେ କହିବି । ଭୂଟାନ ଆସୁଥିବା ଯେକେହି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଲୋକମାନଙ୍କର ଉଦାରତା, ଦୟା ଓ ସରଳତା ଦ୍ୱାରା ନିଶ୍ଚିତ ଭାବେ ପ୍ରଭାବିତ ହେବ । ଗତକାଲି, ମୁଁ ସେମଟୋଖା ଜୋଙ୍ଗରେ ଥିଲି, ଏହାଭୂଟାନର ସମୃଦ୍ଧ ଐତିହ୍ୟ ଏବଂ ମହାନ ଅଧ୍ୟାତ୍ମିକ ପରମ୍ପରାର ପ୍ରମୁଖ ଉଦାହରଣ । ଏହି ଗସ୍ତ କାଳରେ, ବର୍ତମାନର ଭୂଟାନ ନେତୃବର୍ଗଙ୍କ ସହିତ ନିବିଡ଼ ଭାବେ ଆଲୋଚନା କରିବା ଲାଗି ମୁଁ ସୌଭାଗ୍ୟ ଲାଭ କରିଛି । ମୁଁ ପୁଣିଥରେ ଭାରତ-ଭୂଟାନ ସମ୍ପର୍କ ପାଇଁ ସେମାନଙ୍କ ମାର୍ଗଦର୍ଶନ ଲାଭ କରିଛି । ଏହି ସମ୍ପର୍କ ସବୁବେଳେ ସେମାନଙ୍କ ନିବିଡ଼ ତଥା ବ୍ୟକ୍ତିଗତ ଗୁରୁତ୍ୱ କାରଣରୁ ଲାଭାନ୍ୱିତ ହୋଇଛି । ବର୍ତମାନ, ଆଜି, ମୁଁ ଏଠାରେ ଭୂଟାନର ଭବିଷ୍ୟତ ପିଢ଼ି ସହ ଉପସ୍ଥିତ । ମୁଁ ଉତ୍ସାହ ଦେଖିପାରୁଛି, ଏବଂ ଉଦ୍ଦୀପନାକୁ ଅନୁଭବ କରିପାରୁଛି । ମୋର ବିଶ୍ୱାସ ଯେ ଏମାନେ ଏହି ମହାନ ରାଷ୍ଟ୍ର ଏବଂ ଏହାର ନାଗରିକମାନଙ୍କ ଭବିଷ୍ୟତ ଗଠନ କରିପାରିବେ । ଭୂଟାନର ଅତୀତ, ବର୍ତମାନ ଏବଂ ଭବିଷ୍ୟତକୁ ଦେଖିଲେ ଯାହା ସମାନ ଓ ସ୍ଥିର ରହିଛି ତାହା ହେଉଛି-ଗଭୀର ଆଧ୍ୟାତ୍ମିକତା ଏବଂ ଯୁବସୁଲଭଉତ୍ସାହ । ଏଗୁଡ଼ିକ ମଧ୍ୟ ଆମ ଦ୍ୱିପାକ୍ଷିକ ସମ୍ପର୍କର ଶକ୍ତି । ଏହା ସ୍ୱାଭାବିକ ଯେ ଭୂଟାନ ଓ ଭାରତର ଲୋକମାନଙ୍କ ମଧ୍ୟରେ ପରସ୍ପର ସହ ମହାନ ସମ୍ପର୍କ ରହିଛି । ସର୍ବୋପରି, ଆମେ କେବଳ ଭୌଗଳିକ ଅବସ୍ଥିତି କାରଣରୁ ପରସ୍ପର ସହ ନିବିଡ଼ ନୋହୁଁ । ଆମର ଇତିହାସ, ସଂସ୍କୃତି, ଆଧ୍ୟାତ୍ମିକ ପରମ୍ପରା, ଆମ ଲୋକମାନଙ୍କ ଏବଂ ଦେଶ ମଧ୍ୟରେ ଏକ ଅଭିନବ ଓ ନିବିଡ଼ ସମ୍ପର୍କ ସୃଷ୍ଟି କରିଛି । ଭାରତ ସେହି ଗୌରବଶାଳୀ ଭୂମି ଯେଉଁଠି ରାଜକୁମାର ସିଦ୍ଧାର୍ଥ ଗୌତମ ବୁଦ୍ଧ ହୋଇଥିଲେ । ଆହୁରି ଏହି ମାଟିରୁ ହିଁ ତାଙ୍କର ଆଧ୍ୟାତ୍ମିକ ଉପଦେଶ, ବୌଦ୍ଧ ଧର୍ମର ଆଲୋକ ସାରା ବିଶ୍ୱରେ ପ୍ରସାରିତ ହୋଇଥିଲା । ସନ୍ନ୍ୟାସୀ, ଆଧ୍ୟାତ୍ମିକ ନେତୃବୃନ୍ଦ, ଗବେଷକ ଓ ଅନୁସନ୍ଧିତ୍ସୁମାନେ ଏହି ଆଲୋକବର୍ତିକାକୁ ଭୂଟାନରେ ଆହୁରି ଉଜ୍ଜ୍ୱଳ କରିଥିଲେ । ସେମାନେ ଭାରତ ଏବଂ ଭୂଟାନ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ସମ୍ପର୍କକୁ ସୁଦୃଢ଼ କରିଥିଲେ । ଯାହାର ଫଳସ୍ୱରୂପ, ଆମର ସହଭାଗୀ ମୂଲ୍ୟବୋଧ ଏକ ଆପୋସ ବୈଶ୍ୱିକ ଦୃଷ୍ଟିକୋଣର ରୂପ ନେଇଥିଲା । ଯାହା ବାରାଣସୀ ଏବଂ ବୋଧଗୟାରେ ପ୍ରତିଫଳିତ ହୋଇଥାଏ । ଏହା ଜୋଙ୍ଗ ଏବଂ ଚୋର୍ଟେନରେ ମଧ୍ୟ ଦେଖିବାକୁ ମିଳେ । ଆମେ ଭାଗ୍ୟବାନ ଯେ ଆମେ ସେହି ମହାନ ପରମ୍ପରାର ଜୀବନ୍ତ ବାହକ ସାଜିଛୁ । ପରସ୍ପରକୁ ଏତେ ଭଲଭାବେ ବୁଝୁଥିବା ତଥା ପରସ୍ପରର ସହଭାଗୀ ହୋଇଥିବା ଏପରି ଦୁଇଟି ଦେଶ ସାରା ବିଶ୍ୱରେ ମଧ୍ୟ ଦେଖିବାକୁ ମିଳିବ ନାହିଁ ।ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବା ଦିଗରେ ପରସ୍ପରର ବାସ୍ତବ ସହଯୋଗୀହୋଇଥିବା ଏପରି ଦୁଇଟି ଦେଶ ମଧ୍ୟ କେଉଁଠି ନାହାନ୍ତି । ଆଜି, ଭାରତରେ ବ୍ୟାପକ କ୍ଷେତ୍ରରେ ଐତିହାସିକ ପରିବର୍ତନ ଦେଖିବାକୁ ମିଳୁଛି । ପୂର୍ବାପେକ୍ଷା ଭାରତ ଖୁବ ଦ୍ରୁତଗତିରେ ଦାରିଦ୍ର‌୍ୟ ଦୂର କରିଚାଲିଛି । ଗତ ପାଂଚ ବର୍ଷ ମଧ୍ୟରେ ଭିତିଭୂମି ନିର୍ମାଣର ଗତି ଖୁବ ଦ୍ରୁତ ହୋଇଛି । ପରବର୍ତୀ ପିଢ଼ିର ଭିତିଭୂମି ନିର୍ମାଣ ଲାଗି ଆମେ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖିଛୁ । ଭାରତରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା, ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଉଛି ଯାହା ୫୦୦ ମିଲିୟନ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି । ଭାରତରେ ବିଶ୍ୱର ସବୁଠୁ ଶସ୍ତା ଡାଟା ସଂଯୋଗ ସୁବିଧା ରହିଛି, ଯାହା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ କୋଟି କୋଟି ଲୋକଙ୍କୁ ସଶକ୍ତ କରୁଛି । ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ ପରିସଂସ୍ଥାନ ଭାରତରେ ରହିଛି । ଭାରତରେ ନବୋନ୍ମେଷ ଲାଗି ଏହା ବାସ୍ତବରେ ସବୁଠୁ ଶ୍ରେଷ୍ଠ ସମୟ! ଏସବୁ ଏବଂ ଆହୁରି ଅନେକ ପରିବର୍ତନରେ ଭାରତୀୟ ଯୁବପିଢ଼ିଙ୍କ ସ୍ୱପ୍ନ ଏବଂ ଆଶା ଆକାଂକ୍ଷା ରହିଛି । ଆଜି ମୁଁ, ଭୂଟାନର ଶ୍ରେଷ୍ଠ ଏବଂ ପ୍ରତିଭାବାନ ନବଯୁବକମାନଙ୍କ ଗହଣରେ ଉପସ୍ଥିତ ଅଛି । ମହାମହିମ ରାଜା ମୋତେ ଗତକାଲି କହିଥିଲେ ଯେ ସେ ନିୟମିତ ଭାବେ ଆପଣମାନଙ୍କ ସହିତ ବାର୍ତାଳାପ କରିଥାନ୍ତି ଏବଂ ଗତ ସମାବର୍ତନରେ ସେ ଉପସ୍ଥିତ ଥିଲେ । ଆପଣମାନଙ୍କ ମଧ୍ୟରୁ ହିଁ ଭୂଟାନର ଭବିଷ୍ୟତ ନେତୃତ୍ୱ, ଉଦ୍ଭାବକ, ବ୍ୟବସାୟୀ, କ୍ରୀଡ଼ାବିତ, କଳାକାର ଓ ବୈଜ୍ଞାନିକମାନେ ଜନ୍ମ ନେବେ । କିଛିଦିନ ପୂର୍ବରୁ, ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ଡ. ସେରିଙ୍ଗ ଏକ ଫେସବୁକ ପୋଷ୍ଟ ଲେଖିଥିଲେ ଯାହା ମୋର ହୃଦୟକୁ ଛୁଇଁଥିଲା । ସେହି ପୋଷ୍ଟରେ ସେ ଏକ୍ଜାମ ୱାରିଅର୍ସ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ବର୍ତମାନ ଜଣେ ଛାତ୍ର ମଧ୍ୟ ସେହି ପୁସ୍ତକ ବିଷୟରେ କହିଲେ । ଚାପମୁକ୍ତ ହୋଇ କିଭଳି ପରୀକ୍ଷା ଦେଇ ହେବ ତା’ ଉପରେ ଏକଜାମ ୱାରିଅର୍ସ ପୁସ୍ତକ ମୁଁ ଲେଖିଥିଲି । ସ୍କୁଲ ଓ କଲେଜ ତଥା ଜୀବନର ବୃହତ ଶ୍ରେଣୀଗୃହରେ ପ୍ରତ୍ୟେକଙ୍କୁ ପରୀକ୍ଷା ଦେବାକୁ ହୋଇଥାଏ । ମୁଁ ଆପଣମାନଙ୍କୁ କିଛି କହିପାରେ କି? ଏକଜାମ ୱାରିଅର୍ସରେ ମୁଁ ଲେଖିଥିବା ଅଧିକାଂଶ କଥା ଭଗବାନ ବୁଦ୍ଧଙ୍କ ଶିକ୍ଷା ଦ୍ୱାରା ପ୍ରଭାବିତ । ବିଶେଷ କରି ସକାରାତ୍ମକତାର ଗୁରୁତ୍ୱ, ଭୟ ଦୂର କରିବା ଏବଂ ଏକାନ୍ତରେ ରହିବା, ତାହା ବର୍ତମାନ ସ୍ଥିତିରେ ହେଉ କିମ୍ବା ପ୍ରକୃତି ମା’ ସହିତ ହେଉ । ଆପଣମାନେ ଏହି ମହାନ ଭୂମିରେ ଜନ୍ମ ନେଇଛନ୍ତି । ତେଣୁ, ଏସବୁ ଲକ୍ଷଣ ପ୍ରାକୃତିକ ଭାବେ ଆପଣଙ୍କ ନିକଟକୁ ଆସିବ ଏବଂ ଆପଣଙ୍କ ବ୍ୟକ୍ତିତ୍ୱକୁ ରୂପ ଦେବ । ଯୁବାବସ୍ଥାରେ ଏସବୁ ଲକ୍ଷଣର ସନ୍ଧାନ ମୋତେ ହିମାଳୟକୁ ଟାଣିନେଇଥିଲା । ଏହି ପବିତ୍ର ଭୂମି ସନ୍ତାନ ରୂପେ ଆପଣମାନେ ବୈଶ୍ୱିକ ସମସ୍ୟାର ସନ୍ଧାନ କରିବାରେ ସଫଳ ହେବେ ବୋଲି ମୋର ବିଶ୍ୱାସ । ହଁ, ଆମ ଆଗରେ ଆହ୍ୱାନ ରହିଛି । କିନ୍ତୁ ପ୍ରତ୍ୟେକ ଆହ୍ୱାନର ମୁକାବିଲା ଲାଗି ଅଭିନବ ସମାଧାନ ଖୋଜିବା ଲାଗି ଆମ ପାଖରେ ଯୁବ ମସ୍ତିଷ୍କ ରହିଛି । କୌଣସି ସୀମା ଆପଣମାନଙ୍କୁ ବାନ୍ଧି ନରଖୁ । ମୁଁ ଆପଣମାନଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ବର୍ତମାନ ଯୁବାବସ୍ଥାର ସବୁଠୁ ଉକ୍ରୃଷ୍ଟ ସମୟ!ବିଶ୍ୱ ଆଜି ପୂର୍ବାପେକ୍ଷା ସର୍ବାଧିକ ଅବସର ଆଣି ଦେଇଛି । ଆପଣମାନଙ୍କ ନିକଟରେ ଅସାଧାରଣ କାର୍ଯ୍ୟ କରିବାର ଶକ୍ତି ଓ ସମ୍ଭାବନା ରହିଛି, ଯାହା ପରବର୍ତୀ ପିଢ଼ିକୁ ପ୍ରଭାବିତ କରିବ । ନିଜର ଲକ୍ଷ୍ୟ ଧାର୍ଯ୍ୟ କର ଏବଂ ଏହାକୁ ପୂର୍ଣ୍ଣ ଉତ୍ସାହର ସହ ପୂରଣ କରିବା ଲାଗି ଅଗ୍ରସର ହୁଅ । ଜଳ-ବିଦ୍ୟୁତ ଏବଂ ଶକ୍ତି କ୍ଷେତ୍ରରେ ଭାରତ-ଭୂଟାନ ସହଯୋଗ ଉଲ୍ଲେଖନୀୟ । ତେବେ ଏହି ସମ୍ପର୍କର ବାସ୍ତବ ଶକ୍ତି ଓ ଇନ୍ଧନର ଉତ୍ସ ହେଉଛନ୍ତି ଆମ ଲୋକମାନେ । ତେଣୁ, ଲୋକମାନେ ହିଁ ପ୍ରଥମ ଏବଂ ଏହି ସମ୍ପର୍କର କେନ୍ଦ୍ରରେ ଲୋକମାନେ ହିଁ ରହିବେ । ଏହି ଭାବନା ସ୍ପଷ୍ଟ ଭାବେ ଏହି ଗସ୍ତରେ ଦେଖିବାକୁ ମିଳୁଛି । ପାରମ୍ପରିକ କ୍ଷେତ୍ରରେ ସହଯୋଗ ଠାରୁ ଊଦ୍ଧ୍ୱର୍କୁ ଯାଇ ଆମେ ନୂତନ ଦିଗରେ ବିସ୍ତୃତ ସହଯୋଗର ସନ୍ଧାନ କରୁଛୁ । ଏହା ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ, ଡିଜିଟାଲ ପଇଠ ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏସବୁ କ୍ଷେତ୍ରରେ ଆମର ସହଯୋଗ ଆପଣଙ୍କ ଭଳି ଯୁବବନ୍ଧୁମାନଙ୍କୁ ସିଧାସଳଖ ପ୍ରଭାବିତ କରିବ । ମୁଁ ଏଠାରେ କିଛି ଉଦାହରଣ ଦେଉଛି, ବର୍ତମାନ ସମୟରେ ବିଦ୍ୟାର୍ଥୀ ଓ ଗବେଷକମାନଙ୍କୁ ସୀମାତୀତ ଭାବେ ଯୋଡ଼ିବା ଜରୁରି ହୋଇପଡ଼ିଛି । ଯାହାଫଳରେ ଆମ ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତା ଏବଂ ପ୍ରତିଭା ବିଶ୍ୱର ଶ୍ରେଷ୍ଠ ସହ ତୁଳନୀୟ ହୋଇପାରିବ । ଭାରତର ଜାତୀୟ ନଲେଜ ନେଟୱାର୍କ ଏବଂ ଭୂଟାନର ଡ୍ରୁଙ୍କରେନ ମଧ୍ୟରେ ସହଯୋଗ, ଯାହା ଗତକାଲି ବାସ୍ତବ ରୂପ ନେଇଛି, ଏହି ଉଦ୍ଦେଶ୍ୟ ସାଧିତ କରିପାରିବ । ଏହା ଆମର ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ପାଠାଗାର, ସ୍ୱାସ୍ଥ୍ୟସେବା ଏବଂ କୃଷି ସଂସ୍ଥାନଗୁଡ଼ିକ ମଧ୍ୟରେ ନିରାପତା ଓ ଦ୍ରୁତ ସଂଯୋଗ ପ୍ରତିଷ୍ଠା କରିବ । ଏହି ସୁବିଧାର ପୂର୍ଣ୍ଣ ଉପଯୋଗ ଲାଗି ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି । ବନ୍ଧୁଗଣ, ଆଉ ଏକ ଉଦାହରଣ ମହାକାଶ କ୍ଷେତ୍ରରେ ରହିଛି । ବର୍ତମାନ ସମୟରେ, ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରାୟନ-୨ ଚନ୍ଦ୍ରମା ଅଭିମୁଖେ ଯାତ୍ରା କରୁଛି । ୨୦୨୨ ସୁଦ୍ଧା, ଏକ ଭାରତୀୟ ମହାକାଶ ଯାନରେ ଜଣେ ଭାରତୀୟଙ୍କୁ ଆମେ ମହାକାଶରେ ଦେଖିବାକୁ ଚାହୁଁଛୁ । ଏସବୁ ଭାରତର ନିଜସ୍ୱ ଉପଲବ୍ଧିର ଫଳ । ଆମ ପାଇଁ, ମହାକାଶ କାର୍ଯ୍ୟକ୍ରମ କେବଳ ଜାତୀୟ ଗୌରବର ପ୍ରସଙ୍ଗ ନୁହେଁ । ଏହା ଜାତୀୟ ବିକାଶ ଏବଂ ବୈଶ୍ୱିକ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଗତକାଲି, ପ୍ରଧାନମନ୍ତ୍ରୀ ସେରିଙ୍ଗ ଏବଂ ମୁଁ ଦକ୍ଷିଣ ଏସିଆ ଉପଗ୍ରହର ଥିମ୍ପୂ ଷ୍ଟେସନକୁ ଉଦଘାଟନ କରିବା ସହିତ ଆମର ମହକାଶ ସହଯୋଗକୁ ସମ୍ପ୍ରସାରିତ କରିଥିଲୁ । ଉପଗ୍ରହ ଜରିଆରେ, ଟେଲି ମେଡ଼ିସିନ, ଦୂରନିରନ୍ତର ଶିକ୍ଷା, ଉତ୍ସ ଠାବ କରିବା, ପାଣିପାଗ ପୂର୍ବାନୁମାନ ଏବଂ ଏପରିକି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଆଦିର ଲାଭ ଉପାନ୍ତ ଅଂଚଳରେ ପହଁଚିପାରିବ । ଏହା ମଧ୍ୟ ଅତି ଆନନ୍ଦର କଥା ଯେ ଯୁବ ଭୂଟାନୀୟ ବୈଜ୍ଞାନିକମାନେ ଭାରତ ଆସି ଭୂଟାନର ନିଜସ୍ୱ କ୍ଷୁଦ୍ର ଉପଗ୍ରହ ଡିଜାଇନ ଏବଂ ଉତକ୍ଷେପଣ ପାଇଁ କାର୍ଯ୍ୟ କରିବେ । ମୁଁ ଆଶା କରୁଛି ଖୁବଶୀଘ୍ର ଆପଣମାନେ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଉଦ୍ଭାବକ ହୋଇପାରିବେ । ଶହ ଶହ ବର୍ଷ ଧରି ଶିକ୍ଷା ଏବଂ ଅଧ୍ୟୟନ ଭାରତ ଏବଂ ଭୂଟାନ ମଧ୍ୟରେ ସମ୍ପର୍କର କେନ୍ଦ୍ରରେ ରହିଆସିଛି । ପ୍ରାଚୀନ ସମୟରେ ବୌଦ୍ଧ ପ୍ରବଚକ ଏବଂ ବିଦ୍ୱାନମାନେ ଆମ ଲୋକମାନଙ୍କ ମଧ୍ୟରେ ଶିକ୍ଷାର ସେତୁ ପ୍ରତିଷ୍ଠା କରିଥିଲେ । ଏହ ଏକ ଅମୂଲ୍ୟ ପରମ୍ପରା, ଯାହାକୁ ଆମେ ସଂରକ୍ଷିତ ଏବଂ ପ୍ରୋତ୍ସାହିତ କରି ରଖିବାକୁ ଚାହୁଁଛୁ । ତେଣୁ, ନାଳନ୍ଦା ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନକୁ ବୌଦ୍ଧଧର୍ମର ଅଧିକରୁ ଅଧିକ ଛାତ୍ର ଆସନ୍ତୁ ବୋଲି ମୁଁ ଚାହୁଁଛି । ବୁଦ୍ଧ ପରମ୍ପରା ଶିକ୍ଷାଦାନର ଏହି ବିଶ୍ୱସ୍ତରୀୟ ଐତିହାସିକ ବିଶ୍ୱବିଦ୍ୟାଳୟ ୧୫ଶହ ବର୍ଷ ପୂର୍ବେ ଯେଉଁଠି ଥିଲା ଆଜି ସେଠାରେ ପୁନର୍ଜନ୍ମ ଲାଭ କରିଛି । ଆମ ଭିତରେ ଶିକ୍ଷାର ଏହି ସମ୍ପର୍କ ପ୍ରାଚୀନ ଏବଂ ଆଧୁନିକ ମଧ୍ୟ । ବିଂଶ ଶତାବ୍ଦୀରେ ବହୁ ସଂଖ୍ୟକ ଭାରତୀୟ ଶିକ୍ଷକ ଭାବେ ଭୂଟାନ ଆସିଥିଲେ । ପୁରୁଣା ପିଢ଼ିର ଅଧିକାଂଶ ଭୂଟାନ ନାଗରିକ ସେମାନଙ୍କ ପାଠପଢ଼ା ସମୟରେ ନିଶ୍ଚିତ ଭାବେ କେହି ଜଣେ ଭାରତୀୟ ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିବେ । ଏହି ଉଦାର ଏବଂ ଦୟାଳୁ ଭାବନା ପାଇଁ ଆମେ କୃତଜ୍ଞ । ବର୍ତମାନ ୪ହଜାରରୁ ଊଦ୍ଧ୍ୱର୍ ଭୂଟାନ ଛାତ୍ରଛାତ୍ରୀ ଭାରତରେ ଅଧ୍ୟୟନ କରୁଛନ୍ତି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରିବ । ଆମେ ଆମ ଦେଶର ବିକାଶ ଦିଗରେ ଅଗ୍ରସର ହେଉଛୁ, ତେଣୁ ଆମକୁ ସର୍ବଦା ପରିବର୍ତିତ ପ୍ରଯୁକ୍ତି କ୍ଷେତ୍ର ସହିତ ତାଳ ଦେଇ ଚାଲିବାକୁ ହେବ । ତେଣୁ, ପ୍ରଯୁକ୍ତି ଏବଂ ଶିକ୍ଷାର ସମସ୍ତ କ୍ଷେତ୍ରରେ ଆମ ଭାଗୀଦାରୀର ଆବଶ୍ୟକତା ରହିଛି । ମୁଁ ଆନନ୍ଦିତ ଯେ ଗତକାଲି ଆମେ ଭାରତର ଶୀର୍ଷ ଶିକ୍ଷାନୁଷ୍ଠାନ ଆଇଆଇଟି ଏବଂ ଏହି ବିଶ୍ୱବିଦ୍ୟାଳୟ ମଧ୍ୟରେ ସମ୍ପର୍କର ନୂତନ ଅଧ୍ୟାୟ ଆରମ୍ଭ କଲୁ । ଆମର ଆଶା ଯେ ଏହା ଅଧିକ ସହଯୋଗୀ ଅଧ୍ୟୟନ ଓ ଗବେଷଣା ଦିଗରେ ଆଗେଇନେବ । ବିଶ୍ୱର ଯେକୌଣସି ଭାଗରେ, ଯଦି କେହି ଜଣେ ପ୍ରଶ୍ନ କରେ ଯେ ଭୂଟାନର କେଉଁ ଦିଗ ସହିତ ଆପଣ ଯୋଡ଼ିହେବାକୁ ଚାହିଁବେ, ଉତର ହେବ ସକଳ ଜାତୀୟ ସୁଖ ସୂଚକାଙ୍କ ସହ । ମୁଁ ଏଥିରେ ଆଦୌ ଚକିତ ନୁହେଁ । ଭୂଟାନ ଆନନ୍ଦର ମୂଲ୍ୟ ବୁଝିଛି । ଶାନ୍ତି, ଏକତା ଏବଂ କରୁଣା ଭାବକୁ ଭୂଟାନ ବୁଝିପାରିଛି । ଏହି ଭାବନା ଏଠାରେ ପ୍ରିୟ ଶିଶୁଙ୍କ ଠାରେ ମଧ୍ୟ ରହିଛି, ଯେଉଁମାନେ ଗତକାଲି ରାସ୍ତା କଡ଼ରେ ମୋତେ ସ୍ୱାଗତ କରିବା ଲାଗି ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ । ମୁଁ ସବୁବେଳେ ଏହି ସ୍ମିତହାସ୍ୟଗୁଡ଼ିକୁ ମନେ ରଖିବି । ସ୍ୱାମୀ ବିବେକାନନ୍ଦ କହିଥିଲେ, “ପ୍ରତ୍ୟେକ ରାଷ୍ଟ୍ର ନିକଟରେ ବାଂଟିବା ଲାଗି ଏକ ବାର୍ତା ରହିଛି, ପୂରଣ କରିବାର ଏକ ଲକ୍ଷ୍ୟ, ଏକ ଭାଗ୍ୟ ରହିଛି” । ମାନବଜାତି ପ୍ରତି ଭୂଟାନର ବାର୍ତା ହେଉଛି ଆନନ୍ଦ । ଆନନ୍ଦ ଯାହା ଏକତାରୁ ଆସିଥାଏ । ବିଶ୍ୱ ଏଥିରୁ ଅଧିକ ଆନନ୍ଦ ଲାଭ କରିପାରିବ । ଏପରି ଏକ ଆନନ୍ଦ, ଯାହା ମନରୁ ଘୃଣା ଦୂର କରିଦେବ । ଲୋକମାନେ ଆନନ୍ଦରେ ରହିଲେ, ପାରସ୍ପରିକ ସୌହାର୍ଦ୍ଦ୍ୟ ରହିବ, ସୌହାର୍ଦ୍ଦ୍ୟ ରହିଲେ, ଶାନ୍ତି ପ୍ରତିଷ୍ଠା ହେବ । ଏହି ଶାନ୍ତି ହିଁ ସମାଜକୁ ସ୍ଥାୟୀ ବିକାଶ ଜରିଆରେ ପ୍ରଗତି ହାସଲ କରିବାରେ ସହାୟକ ହେବ । ଏପରି ଏକ ସମୟରେ ଯେତେବେଳେ ପରମ୍ପରା ଓ ପରିବେଶକୁ ନଷ୍ଟ କରି ବିକାଶ ଉପରେ ଗୁରୁତ୍ୱରୋପ କରାଯାଉଛି, ସାରା ବିଶ୍ୱ ଭୂଟାନ ଠାରୁ ଅନେକ କିଛି ଶିକ୍ଷାଲାଭ କରିପାରିବ । ଏଠାରେ ବିକାଶ, ପରିବେଶ ଏବଂ ସଂସ୍କୃତି ମଧ୍ୟରେ ସଂଘର୍ଷ ନୁହେଁ ସହାବସ୍ଥାନ ଦେଖିବାକୁ ମିଳୁଛି । ଆମ ଯୁବକମାନଙ୍କ ସୃଜନଶୀଳତା, ଉତ୍ସାହ ଏବଂ ପ୍ରତିବଦ୍ଧତା ବଳରେ ଆମ ରାଷ୍ଟ୍ର ସ୍ଥାୟୀ ଭବିଷତ ଲାଗି ଆବଶ୍ୟକ ସବୁକିଛି ହାସଲ କରିପାରିବା-ତାହା ଜଳ ସଂରକ୍ଷଣ ହେଉ କିମ୍ବା ସ୍ଥାୟୀ କୃଷି କିମ୍ବା ଆମ ସମାଜକୁ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକରୁ ମୁକ୍ତ କରିବା । ଭୂଟାନକୁ ମୋର ବିଗତ ଗସ୍ତ ଅବସରରେ ମୁଁ ଭୂଟାନ ଗଣତନ୍ତ୍ରର ମନ୍ଦିର, ଭୂଟାନ ସଂସଦ ଗସ୍ତ କରିବାର ସୌଭାଗ୍ୟ ଲାଭ କରିଥିଲି । ଆଜି ମୁଁ ଶିକ୍ଷାର ମନ୍ଦିରକୁ ଆସିବାର ସୁଯୋଗ ପାଇଛି । ଆଜି ଆମ ଶ୍ରୋତାଙ୍କ ଗହଣରେ ଭୂଟାନ ସଂସଦର ମାନନୀୟ ସଦସ୍ୟଗଣ ରହିଛନ୍ତି । ସେମାନଙ୍କ ସମ୍ମାନଜନକ ଉପସ୍ଥିତି ଲାଗି ମୁଁ ସେମାନଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେବାକୁ ଚାହୁଁଛି । ଗଣତନ୍ତ୍ର ଏବଂ ଶିକ୍ଷା ଉଭୟ ଆମକୁ ସ୍ୱାଧୀନତା ଦେଇଥାଏ । ଗୋଟିଏକୁ ବାଦ ଦେଲେ ଅନ୍ୟଟି ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଉଭୟ ଆମକୁ ଆମର ପୂର୍ଣ୍ଣ ସମ୍ଭାବନା ହାସଲ କରିବା ଏବଂ ଶ୍ରେଷ୍ଠତ୍ୱ ଲାଭ କରିବାରେ ସହାୟକ ହୋଇଥାନ୍ତି । ଶିକ୍ଷା ପ୍ରତି ଏହି ଆଗ୍ରହ ଆମକୁ ଅନୁସନ୍ଧିତ୍ସୁ ହେବା ଲାଗି ମୁକ୍ତ କରିଥାଏ ଏବଂ ଆମ ଭିତରେ ଛାତ୍ରସୁଲଭ ଉତ୍ସାହକୁ ଜୀବନ୍ତ ରଖିଥାଏ । ଏ ଦିଗରେ ଭୂଟାନ ବିଶେଷ ପ୍ରଗତି ହାସଲ କରିଥିବାରୁ ଆପଣମାନଙ୍କର ୧୩୦ କୋଟି ଭାରତୀୟ ବନ୍ଧୁମାନେ ଆପଣମାନଙ୍କୁ କେବଳ ଦେଖିବେ ଓ ଆନନ୍ଦର ସହିତ ଉତ୍ସାହିତ କରିବେ ନାହିଁ ବରଂ ସେମାନେ ଆପଣଙ୍କର ସହଭାଗୀ ହେବେ, ଆପଣଙ୍କ ସହ ଅଭିଜ୍ଞତା ବାଂଟିବେ ଓ ଆପଣମାନଙ୍କ ଠାରୁ ଶିକ୍ଷା ଲାଭ କରିବେ । ଏହି ବକ୍ତବ୍ୟ ସହିତ, ମୁଁ ରୟାଲ ଭୂଟାନ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ମହାମହିମ ରାଜା, କୁଳପତି ଏବଂ ବିଶ୍ୱବିଦ୍ୟାଳୟ ଅଧ୍ୟାପକଗଣ, ମୋର ସମସ୍ତ ଯୁବବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆପଣମାନେ ମୋତେ ନିମନ୍ତ୍ରଣ ଜଣାଇ ସମ୍ମାନିତ କଲେ ଏବଂ ମୋ ପାଇଁ ଏତେ ଅଧିକ ସମୟ, ଧ୍ୟାନ ଏବଂ ଆହୁରି ଅଧିକ ସ୍ନେହ ଦେଲେ ବୋଲି କହି ସହ ଆପଣମାନଙ୍କ ଠାରୁ ବହୁ ଅଧିକ ଆନନ୍ଦ ଏବଂ ସକାରାତ୍ମକ ଉତ୍ସାହ ନେଇ ମୁଁ ଭାରତ ଫେରୁଛି ।

ଭୁଟାନର ବିଶିଷ୍ଟ ବ୍ୟକ୍ତି ମାନଙ୍କ ଗହଣରେ ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦି
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ