ଲଇଛଣପୁର-କରଗୋଳା ରାସ୍ତା ପାଲଟିଛି ମରଣଯନ୍ତା

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ରାଜ୍ୟସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର ପ୍ରଶାସନର ଉଦାସୀନତା ଯୋଗୁଁ ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର ଲୋକମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଏବେ ଗ୍ରାମାଞ୍ଚଳର ରାସ୍ତାର ମାନବୃଦ୍ଧି ପାଇଁ ପଞ୍ଚାୟତ ରାସ୍ତା ଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ପଞ୍ଚାୟତ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ଯୋଜନାରେ ଯୋଗାଇଦେଇ ଗ୍ରାମାଞ୍ଚଳର କଚ୍ଚାରାସ୍ତା ଗୁଡିକୁ ପକ୍କା ରାସ୍ତାରେ ପରିଣତ କରୁଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ରାସ୍ତା ଗୁଡିକର ମାନରେ କୌଣସି ପରିବର୍ତ୍ତନ ଘଟୁନଥିବାବେଳେ ଲୋକମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଲଇଛଣପୁର-କରଗୋଳା ରାସ୍ତାରେ । ଏହି ରାସ୍ତାଟି ଉପରେ ଆମ୍ବୋ ପଞ୍ଚାୟତର ଲଇଛଣପୁର, କରଗୋଳା, ଆମ୍ବୋ, ଗିରିଗାଁ, ତେଲସିଙ୍ଗା ଗ୍ରାମର ଲୋକମାନେ ନିର୍ଭର କରୁଥିବାବେଳେ ରାସ୍ତାଟି ଦୟନିୟ ଅବସ୍ଥାରେ ଅଛି । କରଗୋଳା ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ମୁଖ୍ୟତଃ ଏହି ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି । ଅନେକ ଦାବିପରେ ଗତ ଦୁଇବର୍ଷ ତଳେ ରାସ୍ତାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ମରାମତି କରାଯାଇଥିଲା । କିନ୍ତୁ ଏବେ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଛି । ସାଧାରଣ ଲୋକେ ସାଇକେଲଟିଏ ମଧ୍ୟ ନେଇ ଏହି ରାସ୍ତାରେ ଯାଇ ପାରୁ ନାହାନ୍ତି । ରାସ୍ତା ସାରା କାଦୁଅରେ ପରିପୁର୍ଣ୍ଣ ହୋଇଯାଇଛି । ଏବେ ପଞ୍ଚାୟତ ପକ୍ଷରୁ ଖାଲଖମା ଗୁଡିକରେ ନାଲିମାଟି ପକାଇ ପୋତି ଦିଆଯାଇଥିବାରୁ ତାହା ବର୍ଷା ଯୋଗୁଁ ଯାତାୟତ ଅନୁପଯୋଗୀ ହୋଇପଡିଛି । ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ପକ୍କା ରାସ୍ତା ନିର୍ମାଣ କରିବାକୁ ବାଦଲ କୁମାର ସାହୁ, ଦାଶରଥି ସାହୁ, ଅଜୟ କୁମାର ସାହୁ, ଆଲୋକ କୁମାର ସାହୁ, କୈଳାଶ ପତି, ବିଜୟ କୁମାର ସାହୁ, ରୁଦ୍ରପ୍ରତାପ ପଣ୍ଡା, ଗଣନାଥ ମହାରଣା, ସରୋଜ ପଣ୍ଡା, ସୁଶାନ୍ତ ଜେନା, ପବିତ୍ର ଜେନା, ସାଗର ଜେନା, ଦୀପକ ବେହେରା, ଦୁର୍ଗା ଦାସ, ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ