ଲକଡାଉନରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ

ବାଲେଶ୍ୱର : ସମ୍ପ୍ରତି ରାଜ୍ୟ ତଥା ଜିଲ୍ଲାରେ ଲକଡାଉନ ସ୍ଥିତି ଜାରି ରହିଥିବା ବେଳେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ ଗାଡିଗୁଡିକର ସହଜ ଚଳାଚଳ ନିମନ୍ତେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା କେତେକ ଢାବା ଏବଂ ତା ପାଖରେ ଥିବା ଗ୍ୟାରେଜ ଖୋଲିବା ନିମନ୍ତେ ବାଲେଶ୍ୱର ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି । ରୂପସା ଥାନା ଅନ୍ତର୍ଗତ ହଳଦୀପଦା ବ୍ରିଜ୍ ନିକଟରେ ଥିବା ହୋଟେଲ ଅମ୍ରିତ ଢାବା, ବସ୍ତା ଥାନା ଅନ୍ତର୍ଗତ କଟିପୋଲ ଠାରେ ଥିବା ହୋଟେଲ ମହାଲକ୍ଷୀ୍ମ ଢାବା, ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଠାରେ ଥିବା ସିମୁଳିଆ ଢାବା, ସୋର ଥାନା ଅନ୍ତର୍ଗତ ବାରିକପୁର ସ୍ଥିତ ହୋଟେଲ ଜଗତ ଜନନୀ, ସଦର ଥାନା ଅନ୍ତର୍ଗତ ବଣପାରିଆ ସ୍ଥିତ ହୋଟେଲ ବାପୁଜୀ ପ୍ଲାଜା ଏବଂ ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଠାରେ ଥିବା ନିରଞ୍ଜନ ଢାବା ଖୋଲିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଅନୁମତି ପ୍ରଦାନ କରିଛନ୍ତି । ତେବେ ଏଠାରେ କେବଳ ମାଲବାହୀ ଗାଡି ପାର୍କିଂ ନିମନ୍ତେ ଅନୁମତି ଦିଆଯିବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ବାଲେଶ୍ୱର ଓ ସୋରରେ ଗରିବ ଓ ନିରାଶ୍ରୟ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ବଂଟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଅସ୍ଥାୟୀ କାଉଂଟର ଖୋଲାଯାଇ ସୁଲଭ ମୂଲ୍ୟରେ ଆଳୁ ଓ ପିଆଜ ବିକ୍ରୟ କରାଯାଉଛି । କାଉଂଟର ନିକଟରେ ସାମାଜିକ ଦୂରତ୍ୱ ଯେପରି ବଜାୟ ରୁହେ ସେଥିପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ଜିଲ୍ଲା ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ହେଲପ ଲାଇନ ନମ୍ବର ଜାରି କରାଯାଇଛି । ହେଲପ ଲାଇନ ନମ୍ବର ହେଲା ୧୦୦ ଏବଂ ୦୬୭୮୨-୨୬୦୧୦୫ । ଅସୁବିଧା ସମୟରେ ଜନସାଧାରଣ ଏହି ନମ୍ବରକୁ କଲ କରି ପୋଲିସକୁ ଆବଶ୍ୟକୀୟ ସହାୟତା ମାଗି ପାରିବେ । ରାସନ, ଗ୍ରୋସରୀ ସମେତ ଆବଶ୍ୟକୀୟ ସାମଗ୍ରୀ ମଲ ଏବଂ ଦୋକାନୀମାନଙ୍କ ପକ୍ଷରୁ ଘରେ ପହଂଚାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି । ବାଲେଶ୍ୱର ଜିଲ୍ଲାକୁ ବିଦେଶରୁ ଆସିଥିବା ୮ଜଣଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏବେ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୨୨୭ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟ ବାହାରୁ ଆସିଥିବା ୭୧୬ଜଣଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ମୋଟ ୧୨୧୮୩ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଜନସାଧାରଣଙ୍କ ସୁବିଧା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରାଶସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ