ଲକଡାଉନରେ ନିଆରା ବିବାହ, ଥାନାରେ ଧରିଲେ ଜୀବନ ସାଥୀଙ୍କ ହାତ
ବୀରମହାରାଜପୁର: ସଜା ହୋଇଥିଲେ ବରକନ୍ୟା, ନା ଥିଲେ ବରଯାତ୍ରୀ, ନା ଫୁଟିଥିଲା ବାଣ ଆଉ ନା ରହିଥିଲେ ବନ୍ଧୁବାନ୍ଧବ । ବାଜାବାଣ ରୋଷଣିଠାରୁ ବହୁ ଦୂରରେ ଅତି ନିରାଡମ୍ବର ତଥା ଶାନ୍ତିପୂର୍ଣ୍ଣ ବାତାବରଣରେ ପରସ୍ପରର ହାତ ଧରିଲେ ବରକନ୍ୟା । ସମଗ୍ର ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପରିସରରେ । ତେବେ ଏହି ବିବାହ କେଉଁ ସାଧାରଣ ଲୋକଙ୍କ ନଥିଲା । ବିବାହ ବେଦୀରେ ବସିଥିଲେ ଜଣେ କରୋନା ଯୋଦ୍ଧା, ଅର୍ଥାତ ଖୋଦ ଜଣେ ପୁଲିସ ଅଧିକାରୀ । ଲକଡାଉନକୁ ସମ୍ମାନ ଜଣାଇବାକୁ ଯାଇ କରୋନା ଯୋଦ୍ଧାଙ୍କ ଏଭଳି ବିବାହ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସାଉଁଟିଛି ।
କରୋନା ମହାମାରୀ ଯୋଗୁଁ ସାରା ଦେଶ ଲକଡାଉନ ଥିବା ବେଳେ ବାହାଘର ପାଇଁ ଯାଇପାରିଲେ ନାହିଁ ସୋନପୁର ଜିଲ୍ଲା ସୁବଳୟା ଥାନାରେ କାର୍ଯ୍ୟରତ ଏସଆଇ ଦୀପ୍ତି ରଞ୍ଜନ ଦିଗାଳ । କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜ୍ୟୋତ୍ସ୍ନାରାଣୀଙ୍କ ସହିତ ତାଙ୍କ ବିବାହ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ବିବାହ ତାରିଖ ଆସିଲା, କିନ୍ତୁ ଲକଡାଉନ ଜାରି ରହିଥିବା ସହ ନିଜ କର୍ତ୍ତବ୍ୟ ପାଇଁ ସେ ଗାଁକୁ ଫେରି ପାରିନଥିଲେ । ଏହା ପରେ ସେ କନ୍ୟା ଘର ପକ୍ଷରୁ ଖବର ଦେଇଥିଲେ । ଖବର ପାଇ ଝିଅଙ୍କ ପରିବାର ପକ୍ଷରୁ ଝିଅକୁ ନେଇ ସୁବଳୟା ଥାନାକୁ ଆସିଥିଲେ । ଝିଅ ସୁବଳୟା ଥାନାକୁ ଆସିବା ପରେ ଉପଖଣ୍ଡ ପୁଲିସ ଅଧିକାରୀ ଏବଂ ସୁବଳୟା ଥାନା ଭାରାପ୍ରାପ୍ତ ଅଧିକାରୀ ପ୍ରଦୀପ ବିଶ୍ୱାଳଙ୍କ ଉପସ୍ଥିତିରେ ଥାନା ଭିତରେ ନିରାଡମ୍ବର ଭାବେ ବାହାଘର ସମ୍ପନ୍ନ ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଏସଆଇ ଦୀପ୍ତିରଞ୍ଜନ କର୍ତ୍ତବ୍ୟନିଷ୍ଠାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।