ଲକଡାଉନରେ ବିଜେପି କରିବ ରାଲି
ନୂଆଦିଲ୍ଲୀ : ଲକଡାଉନରେ ଶୋଭାଯାତ୍ରା ଓ ଉତ୍ସବ ଉପରେ କଟକଣା ଲାଗିଛି । ହେଲେ ଭାରତୀୟ ଜନତା ପାର୍ଟି କିନ୍ତୁ ଦେଶବ୍ୟାପୀ ଶୋଭାଯାତ୍ରା କରିବାକୁ ଯାଉଛି । ତେବେ ଏହି ରାଲି ଏକ ନିଆରା ଢଙ୍ଗରେ ହିଁ ହେବ । ଡିଜିଟାଲ ମାଧ୍ୟମରେ ଭର୍ଚୁଆଲ ରାଲି କରିବାକୁ ଯାଉଛି ବିଜେପି । ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଉପଲକ୍ଷେ ଦେଶବ୍ୟାପୀ ଏହି ରାଲି ହେବ । ବଡ଼ ବଡ଼ ରାଜ୍ୟରେ ୨ଟି ଓ ଛୋଟ ରାଜ୍ୟରେ ଗୋଟିଏ ଭର୍ଚୁଆଲ ରାଲି କରାଯିବ । ଯେଉଁଥିରେ ମୋଦି ସରକାରଙ୍କ ଏକ ବର୍ଷର ସଫଳତା ସମ୍ପର୍କରେ ବାର୍ତା ଦିଆଯିବ ।
ଆସନ୍ତା ମେ’ ୩୦ରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରିବାକୁ ଯାଉଛି । ଅନଲାଇନ ମାଧ୍ୟମରେ ନେତାମାନେ କାର୍ଯ୍ୟକର୍ତା ଓ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସାରା ଦେଶରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଅନଲାଇନ ସମ୍ମିଳନୀ କରାଯିବ । ଫେସବୁକ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସମ୍ବୋଧିତ କରିବେ । ବିଜେପିର ୧୫୦ରୁ ଉର୍ଦ୍ଧ୍ବ ନେତା ବିଭିନ୍ନ ସୋସିଆଲ ମିଡ଼ିଆ ଫୋରମରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅନଲାଇନ ସମ୍ମିଳନୀରେ ୭୫୦ କାର୍ଯ୍ୟକର୍ତା ଓ ନେତାମଧ୍ୟ ସାମିଲ ହୋଇପାରିବେ ।
ଏନେଇ ସୂଚନା ଦେଇ ରାଜ୍ୟ ବିଜେପି ନେତା ପୃଥ୍ୱରାଜ ହରିଚନ୍ଦନ କହିଛନ୍ତିଯେ, ରାଜ୍ୟରେ ଡିଜିଟାଲ ରାଲି ହେବ । ସାରା ଦେଶରେ ୧୦ କୋଟି ଲୋକ ଏଥିରେ ସାମିଲ ହେବେ । ମୋଦିଙ୍କ ଚିଠି ଲୋକଙ୍କ ପାଖକୁ ଯିବ । ୱେବକ୍ସ ଆପ ଜରିଆରେ ଏହି ରାଲି ହେବବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶାରେ ୫ ଲକ୍ଷ ଲୋକଙ୍କୁ ଯୋଡ଼ାଯିବ ବୋଲି ସେ କହିଛନ୍ତି ।


