ଲକଡାଉନରେ ସାଧାରଣ ଲୋକଙ୍କ ପାଇଁ ଚିନି, ଲୁଣ ଓ ଖାଇବା ତେଲ ଯୋଗାଣ ଅବ୍ୟାହତ

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ଚିନି, ଲୁଣ ଓ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି ବ୍ୟାହତ ନହୁଏ ସେଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଉଦ୍ୟମ ଜାରି ରହିଛି । ରେଳ ମନ୍ତ୍ରଣାଲୟର ନିଷ୍ପତ୍ତି କ୍ରମେ ଲକଡାଉନ ସମୟରେ ଏସବୁ ସାମଗ୍ରୀର ବୋଝେଇ, ଖଲାସ ଓ ପରିବହନ ନିରନ୍ତର ଚାଲିଛି । ସାଧାରଣ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମାର୍ଚ୍ଚ ୨୪ ରୁ ଏପ୍ରିଲ ୪ ଯାଏ, ଗତ ୧୩ ଦିନ ମଧ୍ୟରେ ଭାରତୀୟ ରେଳବାଇ ୧୩୪୨ ୱାଗନ ଚିନି, ୫୯୮ ୱାଗନ ଲୁଣ ଓ ୩୭୮ ୱାଗନ/ଟ୍ୟାଙ୍କ ଖାଇବା ତେଲ ବିଭିନ୍ନ ସ୍ଥାନକୁ ପରିବହନ କରିଛି । ପ୍ରତ୍ୟେକ ୱାଗନରେ ୫୦ ରୁ ୬୦ ଟନ୍ ଏସବୁ ସାମଗ୍ରୀ ରହିଛି । ରେଳବାଇ ପକ୍ଷରୁ ଏହିସବୁ ସାମଗ୍ରୀର ବୋଝେଇ ଓ ଖଲାସ କରିବା ମଧ୍ୟ ନିଜସ୍ୱ ବ୍ୟବସ୍ଥାରେ କରାଯାଇଛି । ଏହି କାମ ସବୁ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଛି । ମାଲ ପ୍ରେରଣ ଓ ଲକ୍ଷ୍ୟ ସ୍ଥଳରେ ଥିବା ଷ୍ଟେସନଗୁଡିକରେ ବୋଝେଇ ଖଲାସ ତଥା ଅନ୍ୟାନ୍ୟ ଯେଉଁ ସବୁ ସମସ୍ୟା ଥିଲା ସେସବୁର ସମାଧାନ କରାଯାଇଛି । ସାମଗ୍ରୀ ପ୍ରେରଣ ଓ ପରିଚାଳନା କ୍ଷେତ୍ରରେ ଯଦି କେଉଁଠି କିଛି ଅସୁବିଧା ଥାଏ ରେଳବାଇ ସେ ସଂପର୍କରେ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସହଯୋଗରେ ତାହାର ସମାଧାନ କରୁଛି । ସଂକଟର ଏହି ସମୟରେ ସାଧାରଣ ଜନତାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ଜନିତ ସମସ୍ୟାରୁ ସୁରକ୍ଷିତ କରିବାକୁ ରେଳବାଇ ଏହି ପଦକ୍ଷେପ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ