ଲକଡାଉନ କଟକଣା କୋହଳ ହେବା ମାତ୍ରେ ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାୟନ
କଟକ: ଯେ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିଛି ସେ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାୟନ ହୋଇପାରିବ ନାହିଁ । ଲକଡାଉନ କଟକଣା କୋହଳ ହେବା ମାତ୍ରେ ଆମେ ୩ ଦିନ ବ୍ୟବଧାନରେ ମୂଲ୍ୟାୟନ ଆରମ୍ଭ କରିବୁ । ଏଥିପାଇଁ ପ୍ରସ୍ତୁତ ହୋଇ ରହିଛୁ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସଭାପତି ରାମାଶିଷ ହାଜରା । ଏଥିପାଇଁ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ଆଜିଠୁ ବୋର୍ଡର ବିଭିନ୍ନ ଜୋନ କାର୍ଯ୍ୟାଳୟକୁ ଦଶମ ଶ୍ରେଣୀ ରହିବ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ ସୂଚନା ମଧ୍ୟ ଦେଇଛନ୍ତି । ଶ୍ରୀ ହାଜରା ଦେଇଥିବା ସୂଚନା ମୁତାବକ, ମୁଖ୍ୟ ମୂଲ୍ୟାୟନ କେନ୍ଦ୍ରର ଆଖପାଖରେ ଅତିରିକ୍ତ ୨ ରୁ ୩ଟି ମୂଲ୍ୟାୟନ କେନ୍ଦ୍ର କରାଯିବ । କେନ୍ଦ୍ରରେ ଖାତା ଦେଖା ସାରିବା ମାତ୍ରେ ମୂଳ କେନ୍ଦ୍ରକୁ ଉତ୍ତର ଖାତାଗୁଡ଼ିକୁ ଅଣାଯାଇ ସେଠାରେ ଖାତାର ନମ୍ବରକୁ କମ୍ପ୍ୟୁଟରରେ ଅପଲୋଡ କରାଯିବ । ପୂର୍ବରୁ ୧୫ ହଜାର ପରୀକ୍ଷକ ମୂଲ୍ୟାୟନରେ ନିୟୋଜିତ ହୋଇଥିବା ବେଳେ ଅପେକ୍ଷା ତାଲିକାରେ ଥିବା ପାଖାପାଖି ଆଉ ୫ ହଜାର ପରୀକ୍ଷକଙ୍କୁ ମୂଲ୍ୟାୟନରେ ସାମିଲ କରାଯିବ । ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ସାନିଟାଇଜର, ସାବୁନ ରଖାଯିବା ସହ ସାମାଜିକ ଦୂରତ୍ୱ ରଖାଯିବ । ୨୦୨୦-୨୧ ଶିକ୍ଷା ବର୍ଷର ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ବହି ଯୋଗାଇ ଦେବା ପାଇଁ ବିଭିନ୍ନ ଜୋନ କାର୍ଯ୍ୟାଳୟକୁ ବହି ପଠା ଆରମ୍ଭ ହୋଇଛି । ସମ୍ବଲପୁର ଓ ବ୍ରହ୍ମପୁର ଜୋନକୁ ପାଖାପାଖି ୧୫ ହଜାର ବହି ପଠାଯାଇଥିବା ବେଳେ ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁର ଜୋନକୁ ପଠାଯିବ ।


