ଲକଡାଉନ ଜାରି ରହିଲେ ମେ’ସୁଦ୍ଧା ୪ କୋଟିଙ୍କ ପାଖରେ ନଥିବ ମୋବାଇଲ
ନୂଆଦିଲ୍ଲୀ: ଦେଶରେ ଲକଡାଉନ ଯୋଗୁଁ ଲଗାଯାଇଥିବା କଟକଣା ଯଦି ହଟା ନ ଯାଏ ତେବେ ମେ’ସୁଦ୍ଧା ଦେଶରେ ୪ କୋଟି ଲୋକଙ୍କ ପାଖରେ ମୋବାଇଲ ହ୍ୟାଣ୍ଡସେଟ ନଥିବ । ଲକଡାଉନ ଯୋଗୁ ମୋବାଇଲ ମରାମତି ଦୋକାନଗୁଡ଼ିକ ବନ୍ଦ ରହିଛି । ମୋବାଇଲ ଉଦ୍ୟୋଗ ସଂଘ ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ ଇଲୋକ୍ଟ୍ରନିକ୍ସ ଆସୋସିଏସନ (ଆଇସିଇଏ) ଏହାର ରିପୋର୍ଟରେ ଦର୍ଶାଇଛି ଯେ, ସମ୍ପ୍ରତି ପ୍ରାୟ ଅଢେ଼ଇ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ମୋବାଇଲ ହ୍ୟାଣ୍ଡସେଟ କାମ କରୁନାହିଁ । ମରାମତି ସାମଗ୍ରୀ ଏବଂ ସେବା ଦୋକାନ ବନ୍ଦ । ଏଭଳି କ୍ଷେତ୍ରରେ ଯଦି ଲକଡାଉନ ଅବଧି ବଢେ଼ ତା ହେଲେ ମେ’ଶେଷ ସୁଦ୍ଧା ୪ କୋଟି ଭାରତୀୟଙ୍କ ନିକଟରେ ମୋବାଇଲ ଫୋନ ନଥିବ । ଆଇସିଇଏର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୁ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସରକାରୀ ସ୍ତରରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୋବାଇଲ ଫୋନକୁ ଅନିବାର୍ଯ୍ୟ ବସ୍ତୁ ଏବଂ ସେବାରେ ସାମିଲ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଲକଡାଉନ ଜାରି ରୁହେ ତା ହେଲେ ମେ’ଶେଷ ସୁଦ୍ଧା ୪ କୋଟି ଲୋକଙ୍କ ମୋବାଇଲ ଅଚଳ ହୋଇ ଯାଇଥିବ । ସେ କହିଛନ୍ତି ଯେ, ଦେଶରେ ମୋବାଇଲ ଫୋନର ଅନଲାଇନ ବିକ୍ରି ଆରମ୍ଭ ହେବା ଦରକାର । ପର୍ଯ୍ୟାୟକ୍ରମେ ଖୁଚୁରା ଦୋକାନ ଏବଂ ସର୍ଭିସ ସେଣ୍ଟରଗୁଡ଼ିକୁ ମଧ୍ୟ ଖୋଲାଯିବା ଉଚିତ । ସୂଚନା ଯୋଗ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ମାର୍ଚ୍ଚ ୨୫ ରୁ ମେ’୩ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଛଡ଼ା ଅନ୍ୟ ସବୁ ବନ୍ଦ ରହିଛି । ଦୂରସଞ୍ଚାର, ଇଣ୍ଟରନେଟ, ପ୍ରସାରଣ ଏବଂ ସୂଚନା ପ୍ରଯୁକ୍ତି ସେବାକୁ ଚାଲୁ ରଖିବାର ଅନୁମତି ରହିଛି । କିନ୍ତୁ ମୋବାଇଲ ଫୋନ ବିକ୍ରି ବନ୍ଦ ରହିଛି ।
ଆଇସିଇଏ ପ୍ରକାଶ କରିଛି ପ୍ରତି ମାସ ପ୍ରାୟ ଅଢେ଼ଇ କୋଟି ମୋବାଇଲ ଫୋନ ବିକି୍ର ହୋଇଥାଏ । ଦେଶରେ ବର୍ତ୍ତମାନ ୮୫ କୋଟି ଲୋକଙ୍କ ପାଖରେ ମୋବାଇଲ ଫୋନ ରହିଛି । ଆପଲ, ଫକ୍ସକନ ଏବଂ ସାଓମି ଭଳି ପ୍ରମୁଖ ହ୍ୟାଣ୍ଡସେଟ ନିର୍ମାତା ଆଇସିଇଏର ସଦସ୍ୟ ଅଛନ୍ତି ।