ଲକଡାଉନ ଫେଲ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଲକଡାଉନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ସାମ୍ବାଦିକମାନଙ୍କ ସହ ଆଲୋଚନାକାଳରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏଭଳି ଟିପ୍ପଣୀ ଦେଇଛନ୍ତି । ଚତୁର୍ଥ ଥର ପାଇଁ ସାମ୍ବାଦିକମାନଙ୍କ ସହ ରାହୁଲ ଭିଡ଼ିଓ କନଫେରେନ୍ସିଂ ଜରିଆରେ କଥା ହୋଇଛନ୍ତି । ସେ କହିଲେଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିଥିଲେ କରୋନା ୨୧ ଦିନରେ ନିୟନ୍ତ୍ରଣ ହୋଇଯିବ । କିନ୍ତୁ ୬୦ ଦିନ ବିତି ସାରିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ କରୋନା ବହୁ ଜୋରରେ ବ୍ୟାପିବାରେ ଲାଗିଛି । ଏମିତି ହେବବୋଲି ପ୍ରଧାନମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାମାନେ ଭାବିନଥିଲେ । କିନ୍ତୁ ଏବେ ଲକଡାଉନ ଉଠିଯାଇଛି । ବିଶ୍ୱରେ ଭାରତ ହେଉଛି ପ୍ରଥମ ଦେଶ, ଯିଏ କି କରୋନା ବଢ଼ିବାବେଳେ ଲକଡାଉନ ଉଠାଇ ଦେଇଛି ।
ରାହୁଲ କହିଛନ୍ତିଯେ, ଲକଡାଉନ ୪.୦ ଫେଲ ହୋଇଯାଇଛି । ଆଗକୁ ପ୍ରଧାନମନ୍ତ୍ରୀ କି ରଣନୀତି କରିବାକୁ ଯାଉଛନ୍ତି ତାହା ସେ ପଚାରିବାକୁ ଚାହୁଁଛନ୍ତି । ଶ୍ରମିକଙ୍କ ପାଇଁ କି ବ୍ୟବସ୍ଥା କରିବେ, ଏମଏସଏମଇକୁ କିଭଳି ସଶକ୍ତ କରାଯିବ ତାହାର କି ଷ୍ଟ୍ରାଟେଜୀ କରାଯାଇଛି ? ସରକାର କହୁଛନ୍ତି ଜିଡ଼ିପିର ୧୦% ପ୍ୟାକେଜ ଦିଆଯାଇଛି । କିନ୍ତୁ ବାସ୍ତବରେ ତାହା ୧% ମଧ୍ୟ ନୁହେଁ । ସେମାନଙ୍କର ଭରସା ତୁଟିଯାଇଛି ବୋଲି ଶ୍ରମିକମାନେ କହୁଛନ୍ତି । କରୋନା ପାଇଁ ବେକାରୀ ବୃଦ୍ଧି ପାଇଛି । ସରକାର ସେମାନଙ୍କୁ ସହାୟତା ଦିଅନ୍ତୁ ବୋଲି ରାହୁଲ କହିଛନ୍ତି ।


