ଲକଡାଉନ ବେଳେ ସରକାର ଚାଷୀମୂଲିଆଙ୍କ ଦୁଃଖ ବୁଝିବାକୁ ଦାବି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲକଡାଉନର ଅବଧିକୁ ଅପ୍ରେଲ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଫଳରେ ଦୀର୍ଘଦିନ ହେଲା ନିର୍ମାଣ କାର୍ଯ୍ୟ,ରାସ୍ତା ଘାଟ କାର୍ଯ୍ୟ ବନ୍ଦ ହୋଇଯିବାରୁ ଶ୍ରମିକମାନେ ହାତବାନ୍ଧି ବସିଛନ୍ତି । ଦୈନିକ ମଜୁରୀ ଲାଗି ପରିବାର ଚଳାଉଥିବା ଶ୍ରମିକମାନେ ଭୋକଉପାସରେ ଦିନ କାଟୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଶ୍ରମିକଙ୍କୁ ମାତ୍ର ୧୫ଶହ ଟଙ୍କା ପ୍ରଦାନ କରାଯିବା ଘଟଣା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଏହି ସହାୟତା ପାଇବାକୁ ଥିବା ହିତାଧିକାରୀ ବା ନିର୍ମାଣ ଶ୍ରମିକଙ୍କ ନାମ, ଠିକଣା, ପଂଚାୟତ ଓ ବ୍ଲକର ନାମ ସଂପୃକ୍ତ ତାଲିକାରେ ସଠିକ ଭାବରେ ଉଲ୍ଲେଖ କରାଯାଇନଥିବାରୁ ହଜାର ହଜାର ଶ୍ରମିକ ସେହି ସରକାରୀ ସହାୟତା ପାଇବାରୁ ବଂଚିତ ହେଉଥିବା ଦେଖାଯାଇଛି । ତେଣୁ ଶ୍ରମିକମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ଥାଇ ତାଲିକା ପ୍ରସ୍ତୁତ କରାଗଲେ ଜିଲ୍ଲାର ସମସ୍ତ ନିର୍ମାଣ ଶ୍ରମିକ ଅର୍ଥାତ ଏକଲକ୍ଷ ୩୨ହଜାର ଶ୍ରମିକ ସହାୟତା ପାଇପାରିବେ । ଜିଲ୍ଲାର ବିଭିନ୍ନ ଗାଁ ଗହଳି ଓ ସହର ବଜାରମାନଙ୍କରେ ପାନ ,ଚା, ପରିବା, ଜଳଖିଆ, ଲଣ୍ଡ୍ରୀ,ସେଲୁନ ଓ ମାଛ ଦୋକାନ,ବିଭିନ୍ନ ସାମଗ୍ରୀର ବୁଲା ବିକାଳି ଓ କ୍ଷୁଦ୍ର ବ୍ୟବସାୟ କରି ନିଜର ପରିବାରର ଗୁଜୁରାଣ ମେଂଟାଉଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୩ହଜାରରୁ ଉର୍ଦ୍ଧ୍ୱ ଅଣସଂଗଠିତ ଶ୍ରମିକଙ୍କୁ ସରକାରୀ ସ୍ତରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ କରାଯାଇଛି । କେନ୍ଦ୍ରାପଡା ସହରାଂଚଳର କେତେକ ଉଠାଦୋକାନୀମାନଙ୍କୁ ୩ହଜାର ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନର ଦୁର୍ଦ୍ଦିନରେ ଜୀବିକା ହରାଇଥିବା ଅଣସଂଗଠିତ ଶ୍ରମିକମାନଙ୍କ ପ୍ରତି ସରକାର ଆଖିବୁଜି ଦେଇଥିବା ଦେଖାଯାଇଛି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ କରୋନା ଜନିତ ଅବରୋଧ ସମୟରେ ଦିନକୁ ସରକାରୀ ଧାର୍ଯ୍ୟ ମଜୁରୀ ହାରରେ ଅର୍ଥ ପ୍ରଦାନ କରାଯିବା ସହିତ ଅଣସଂଗଠିତ ଶ୍ରମିକମାନଙ୍କୁ ସେଥିରେ ସାମିଲ କରାଯିବାକୁ ଦାବି ହୋଇଛି । ଏତଦବ୍ୟତିତ ବର୍ଷସାରା କଷ୍ଟ ସହି ମୁଣ୍ଡର ଝାଳ ତୁଣ୍ଡରେ ମାରି ବନ୍ୟା,ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖିନ ହୋଇ ଦେଶକୁ ଖାଦ୍ୟ ଯୋଗାଇଥିବା ଚାଷୀମାନଙ୍କର ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ମାର୍ଚ୍ଚ ୩୧ତାରିଖ ମଧ୍ୟରେ ସମସ୍ତ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଅମଳ କରିଥିବା ସମସ୍ତ ଧାନକୁ ସରକାର କ୍ରୟ କରିବାକୁ ପ୍ରତିଶୃତି ଦେଇଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ସେମାନଙ୍କୁ ଟୋକନ ମଧ୍ୟ ଇସୁ କରାଯାଇଥିଲା । ସେହି ଅନୁଯାଇ ଟୋକନ ପାଇଥିବା ଚାଷୀମାନେ ନିର୍ଦ୍ଧାରିତ ତାରିଖରେ ଧାନମଣ୍ଡିରେ ଧାନ ଜମା କରିଦେଲେ । କିନ୍ତୁ ଗୋଦାମ ଘର ଅଭାବହେତୁ ଚାଷୀଙ୍କ ଠାରୁ ଧାନ କିଣା ନଜିବାରୁ ଚାଷୀମାନେ ଧାନମଣ୍ଡିରେ ଖରାବର୍ଷା ଆଶଙ୍କାରେ ନିଜ ଧାନକୁ ଦିନରାତି ଜଗି ରହିବାକୁ ବାଧ୍ୟ ହେଲେ । ପ୍ରଶାସନ ଓ ସରକାରଙ୍କ ନିକଟରେ ଯେତେ ଅନୁନୟ ବିନୟ ନିବେଦନ ପରେବି ଅଦ୍ୟାବଧି ଧାନ ପୂର୍ବପରି ମଣ୍ଡିରେ ପଡିରହିଛି । ଫଳରେ ଅଦିନିଆ ବର୍ଷାରେ ଚାଷୀର ଧାନସବୁ ନଷ୍ଟ ହେବାରେ ଲାଗିଛି । ଧାନ ବିକ୍ରୀ ଅର୍ଥରେ ପରିବାର ପୋଷଣ ,ଋଣ ଶୁଝିବା ଓ ପରବର୍ତ୍ତି କୃଷି କର୍ମ ପାଇଁ ପ୍ରସ୍ତୁତ ହେବାକୁ ଆଶା ବାନ୍ଧିଥିବା ଚାଷୀ ମୁଣ୍ଡରେ ହାତ ଦେଇ ଆଖିରୁ ଲୁହ ଗଡାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ଓ ଶ୍ରମିକଙ୍କ ସମସ୍ୟାକୁ ଉପଲବ୍ଧି କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆ ଓ ସମ୍ପାଦକ ବିଧୁଭୂଷଣ ମହାପାତ୍ର ଦୃଢଦାବି କରିଛନ୍ତି ।


