ଲକଡାଉନ ସମୟରେ ୩୬.୦୨ ଲକ୍ଷ ଦାବି ସମାଧାନ କଲା ଇପିଏଫଓ

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନର ଆହ୍ୱାନପୂର୍ଣ୍ଣ ସମୟରେ ନିଜର ସଦସ୍ୟମାନଙ୍କର ଜୀବନଧାରଣକୁ ସହଜ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ବୈଧାନିକ ସଂସ୍ଥା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ସମୟୋଚିତ ତଥା ପ୍ରଭାବୀ ସେବା ନିରନ୍ତର ଭାବେ ଯୋଗାଇ ଦିଆଯାଇଛି । ଲକଡାଉନ ସତ୍ୱେ ସଦସ୍ୟମାନଙ୍କର ୩୬.୦୨ ଲକ୍ଷ ଦାବିକୁ ଇପିଏଫଓ ପକ୍ଷରୁ ପୂରଣ କରାଯାଇଛି । ଏପ୍ରିଲ ଓ ମେ ୨୦୨୦ ଦୁଇ ମାସ ମଧ୍ୟରେ ମୋଟ ୧୧,୫୪୦ କୋଟି ଟଙ୍କା ସଦସ୍ୟମାନଙ୍କୁ ପଇଠ କରାଯାଇଛି । ଏଥିମଧ୍ୟରୁ, ୪୫୮୦ କୋଟି ଟଙ୍କାର ୧୫.୫୪ ଲକ୍ଷ ଦାବିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅନ୍ତର୍ଗତ ପୂରଣ କରାଯାଇଛି ଯାହାକି କୋଭିଡ-୧୯ ସଙ୍କଟ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ କରାଯାଇଛି । କୋଭିଡ-୧୯ର କଠିନ ସମୟରେ ଭବିଷ୍ୟ ନିଧିର ଅଗ୍ରୀମ ଉଠାଣ ସୁବିଧା ଫଳରେ ଇପିଏଫଓ ସଦସ୍ୟ, ବିଶେଷ କରି ୧୫ହଜାର ଟଙ୍କାରୁ କମ ମାସିକ ବେତନ ପାଉଥିବା କର୍ମଚାରୀମାନେ ଯଥେଷ୍ଟ ଲାଭବାନ ହୋଇଛନ୍ତି । ଏହାର ଅନ୍ତର୍ଗତ ସଦସ୍ୟମାନେ ତିନି ମାସର ମୂଳ ବେତନ ଏବଂ ମହଙ୍ଗା ଭତା କିମ୍ବା ସେମାନଙ୍କ ଇପିଏଫ ଆକାଉଂଟରେ ଜମା ହୋଇଥିବା ଅର୍ଥରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ, ଏଥିମଧ୍ୟରୁ ଯାହା କମ ହୋଇଥିବ, ଉଠାଣ ସୁବିଧା ପାଇପାରିଛନ୍ତି । ଏହି ସୁବିଧା ଦ୍ୱାରା ଅନେକ କର୍ମଜୀବୀଙ୍କୁ ସଠିକ ସମୟରେ ଆଶ୍ୱସ୍ତି ମିଳିପାରିଛି ଓ ସେମାନେ ଋଣ ଜାଲରେ ଫସିବାରୁ ବର୍ତିଯାଇଛନ୍ତି । ଲକଡାଉନ ଅବଧି ସମୟରେ ଯେଉଁ ସଦସ୍ୟମାନଙ୍କ ଦାବି ପୂରଣ କରାଯାଇଛି ସେମାନଙ୍କ ମଧ୍ୟରୁ ୭୪ ପ୍ରତିଶତରୁ ଅଧିକ ଲୋକ ମାସିକ ୧୫ହଜାର ଟଙ୍କାରୁ କମ ବେତନ ପାଉଛନ୍ତି । ଅନ୍ୟପଟେ ୫୦ହଜାର ଟଙ୍କାରୁ କମ ଦରମା ପାଉଥିବା ମାତ୍ର ୨ ପ୍ରତିଶତ ଲୋକ ନିଜ ଆକାଉଂଟରୁ ଟଙ୍କା ଉଠାଇବା ନିମନ୍ତେ ଆବେଦନ କରିଛନ୍ତି । ମୋଟ ପୂରଣ କରାଯାଇଥିବା ଦାବି ମଧ୍ୟରୁ ୨୪ ପ୍ରତିଶତ ଲୋକଙ୍କ ଦରମା ୧୫ହଜାର ଟଙ୍କାରୁ ୫୦ହଜାର ଟଙ୍କା ମଧ୍ୟରେ ରହିଛି ।
କାର୍ଯ୍ୟସ୍ଥଳରେ ଆବଶ୍ୟକ ଶାରୀରିକ ଦୂରତା ବଜାୟ ରଖିବାର ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଛନ୍ତି ଇପିଏଫଓର କର୍ମଚାରୀମାନେ । ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଛି । କର୍ମଚାରୀଙ୍କ ଅଭାବ ସତ୍ୱେ କୋଭିଡ-୧୯ର ଅଗ୍ରୀମ ଦାବି ପଇଠ ପାଇଁ ଇପିଏଫଓ ମାତ୍ର ୩ ଦିନ ସମୟ ନେଇଛି । ତୁଳନାତ୍ମକ ଭାବେ ଦେଖିଲେ ଏଥିପାଇଁ ପୂର୍ବରୁ ୧୦ ଦିନ ସମୟ ଲାଗୁଥିଲା । ୫୦ ପ୍ରତିଶତ କର୍ମଚାରୀଙ୍କ ଅନୁପସ୍ଥିତି ସତ୍ୱେ ଇପିଏଫଓ ପକ୍ଷରୁ ଏପ୍ରିଲ-ମେ ୨୦୨୦ରେ ମୋଟ ୩୬.୦୨ ଲକ୍ଷ ଦାବି ପୂରଣ କରାଯାଇଛି । ତୁଳନାତ୍ମକ ଭାବେ ଦେଖିଲେ ୨୦୧୯ ଏପ୍ରିଲ-ମେରେ ୩୩.୫ ଲକ୍ଷ ଦାବି ପୂରଣ କରାଯାଇଥିଲା । କାର୍ଯ୍ୟଶକ୍ତି ଉତ୍ପାଦକତା ଦୃଷ୍ଟିରୁ ଏହା ଶତପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । ଇପିଏଫଓ କର୍ମଚାରୀମାନଙ୍କର ପ୍ରତିବଦ୍ଧତା ବ୍ୟତୀତ, ଦାବି ସମାଧାନ କ୍ଷେତ୍ରରେ ନୂତନ ମାନକ ସ୍ଥାପନ କରିବାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପ୍ରୟୋଗର ମଧ୍ୟ ବଡ଼ ଭୂମିକା ରହିଛି । ଇପିଏଫଓ କାର୍ଯ୍ୟାଳୟରେ କମ କର୍ମଚାରୀଙ୍କୁ ନେଇ କାମ ହେଉଥିବାରୁ ସଦସ୍ୟମାନଙ୍କର ଆବଶ୍ୟକତା ପୂରଣ କରିବା ଲାଗି କେତେକ ନୂଆ ପଦ୍ଧତି ଅବଲମ୍ବନ କରାଯିବାର ଆବଶ୍ୟକତା ଅନୁଭୂତ ହୋଇଥିଲା । ତେବେ ପ୍ରତିକୂଳ ପରିସ୍ଥିତିକୁ ସୁଯୋଗରେ ପରିଣତ କରି ଇପିଏଫଓ ନିଜର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦାବି ପୂରଣ ପ୍ରଣାଳୀକୁ ମାତ୍ର ୫ଦିନର ରେକର୍ଡ ସମୟ ମଧ୍ୟରେ ଆରମ୍ଭ କରି ଦେଇଥିଲା । ଏହି ପ୍ରଣାଳୀ ମାଧ୍ୟମରେ କୋଭିଡ-୧୯ ଅଗ୍ରୀମ ଉଠାଣର ପାଖାପାଖି ୫୪ ପ୍ରତିଶତ ଦାବି ସ୍ୱୟଂଚାଳିତ ଢଙ୍ଗ କରାଯାଇଥିଲା । ଏହି ପ୍ରଣାଳୀକୁ ଉପଯୋଗ କରି ଭବିଷ୍ୟତରେ ଖୁବ କମ ସମୟ ମଧ୍ୟରେ ଦାବି ପୂରଣ କରାଯାଇପାରିବ ବୋଲି ଆଶା କରାଯାଉଛି । ସ୍ୱୟଂଚାଳିତ କାର୍ଯ୍ୟ ପଦ୍ଧତି ଓ ସମର୍ପିତ କର୍ମଚାରୀଙ୍କୁ ନେଇ ଇପିଏଫଓ ପ୍ରତ୍ୟେକ କାର୍ଯ୍ୟ ଦିବସରେ ପାଖାପାଖି ୨୭୦ କୋଟି ଟଙ୍କାର ୮୦,୦୦୦ରୁ ଅଧିକ ଦାବି ପୂରଣ କରିଛି । ଯାହାଫଳରେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତରେ ଇପିଏଫଓ ସଦସ୍ୟମାନଙ୍କର ସାମାଜିକ ସୁରକ୍ଷାକୁ ବ୍ୟାପକ ଭାବେ ସୁନିଶ୍ଚିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ