ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ୍ ଜବତ କଲା ବନବିଭାଗ

ଦେଖଣାହାରୀ ସାଜିଲା ଖଣିବିଭାଗ 
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ତଥା ଯୋଡା ଠାରୁ ଅନତି ଦୂରରେ ଚୋରାରେ ଗଚ୍ଛିତ ଥିବା ଉନ୍ନତମାନର ମାଙ୍ଗାନିଜ ପଥରକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି । ଜବତ ହୋଇଥିବା ସ୍ଥାନଟି ଏକ ଖଣି କମ୍ପାନୀର ଲିଜ୍ ଅଂଚଳ ବୋଲି ଜଣାପଡିଛି । ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ବନବିଭାଗର ଏକ ମୋବାଇଲ ସ୍କ୍ୱାର୍ଡ ବିସ୍ୱସ୍ତ ସୂତ୍ରରୁ ଖବର ପାଇ ସହର ଉପକଣ୍ଠ ରଣାଶାଳ ଓ ବନେଇକଳା ବନାନ୍‌ଚଳରେ ଚଢାଉ କରିଥିଲା । ଦୁଇଦିନ ଧରି ଚଢାଉ ଫଳରେ ବନବିଭାଗ ପ୍ରାୟ ୨୦ ମେଟ୍ରିକ୍ ଟନର ଉନ୍ନତ ମାନର ଚୋରା ଗଚ୍ଛିତ ଥିବା ମାଙ୍ଗାନିଜକୁ ଜବତ କରିଛି । ଏଥିମଧ୍ୟରୁ କିଛି ପରିମାଣର ମାଙ୍ଗାନିଜ ପଥର ବସ୍ତାରେ ଭର୍ତି କରାଯାଇ ଗଚ୍ଛିତ ରଖାଯାଇଥିଲା । ଗୁରୁବାର ଅପରାହ୍ନରେ ବନବିଭାଗ ପକ୍ଷରୁ ଆସିଷ୍ଟାନ୍‌ଟ କଞ୍ଜରଭେଟର ଅଫ୍ ଫରେଷ୍ଟ(ଏସିଏଫ୍‌) ଅଜୟ କୁମାର ସାହୁ, ମୋବାଇଲ ସ୍କ୍ୱାର୍ଡ ର ଡେପୁଟି ରେଞ୍ଜର ପିତାମ୍ବର ନାଏକ, ଫରେଷ୍ଟର ବସନ୍ତ କୁମାର ମୁର୍ମୁ ଓ କ୍ଷୀରଦ ଦାସ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ । ଖଣିଜ ଜବତ ହୋଇଥିବା ସ୍ଥାନଟି ଯୋଡା ଯୁଗ୍ମ ନିର୍ଦେଶାଳୟରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ । ଏତେ ପରିମାଣର ଚୋରା ମାଙ୍ଗାନିଜ୍ ସେଠାରୁ ଉତୋଳନ ହୋଇଥିଲେ ହେଁ, ଖଣିବିଭାଗର ନିଜସ୍ୱ ଖଣି ସ୍କ୍ୱାର୍ଡ ଥାଇ ମଧ୍ୟ ବିଭାଗ କିପରି ଜାଣି ପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛିି । କିଛି ଦିନ ପୂର୍ବେ ଉକ୍ତ ସ୍ଥାନରୁ ବନବିଭାଗ ଚୋରାରେ ଗଚ୍ଛିତ ଥିବା ବିପୁଳ ପରିମାଣର ମାଙ୍ଗାନିଜ ଜବତ କରିଥିଲା । ଏହି କାରବାର ଖଣିଜ ଚୋରମାନେ ଅନାୟସରେ କରୁଥିଲେ ହେଁ ଖଣିବିଭାଗ ଓ ସ୍ଥାନୀୟ ପୋଲିସ ଏହାକୁ ରୋକିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି । ରାଜ ରାସ୍ତାରେ ଏହି ଚୋରା ଖଣିଜକୁ ଖଣିଜ ଚୋରମାନେ ଦିନ ଦ୍ୱିପ୍ରହରରେ ଛୋଟବଡ ଯାନବାହାନରେ ଚୋରାଚାଲାଣ କରୁଥିଲେ ହେଁ, ପୋଲିସ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛି । ସେହିପରି ଯୋଡା ଖଣି ଯୁଗ୍ମ ନିର୍ଦେଶାଳୟ ପକ୍ଷରୁ କର୍ମଚାରୀ ଅଭାବ ଦର୍ଶାଇ ପରୋକ୍ଷରେ ଏହି ଚୋରା କାରବାରକୁ ପ୍ରତ୍ସାହନ ଦିଆଯାଉଛି ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଖଣି ନିର୍ଦେଶାଳୟ ପକ୍ଷରୁ ଷ୍ଟେଟ୍ ଲେବେଲ ଏନଫର୍ସମେନ୍‌ଟ ସ୍କ୍ୱାର୍ଡ ଖଣିଜ ଚୋରା କାରବାରକୁ ରୋକିବା ପାଇଁ ଗଠନ କରାଯାଇଛି । ସେହିପରି ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଡିଷ୍ଟ୍ରିକ୍ଟ ଏନଫର୍ସମେନ୍‌ଟ ସ୍କ୍ୱାର୍ଡ ଗଠନ କରାଯାଇଛି । ହେଲେ ଦିନ ଦ୍ୱିପ୍ରହରରେ ଖଣିଜ ଚୋରା କାରବାର ଅବାଧରେ ଚାଲିଛି । ତେଣେ ବନବିଭାଗ ଚୋରା ଖଣିଜ ଜବତ କରୁଥିବା ବେଳେ ଖଣିବିଭାଗ ସେଠାରେ ପହଁଚି ନିଜର ଉପସ୍ଥିତି ଜାହିର କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ