ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ୩ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ଥାନା ଅନ୍ତର୍ଗତ ପୋଲସରା-ବୁଢାମ୍ବ ରାସ୍ତାର ମାରଦା ମନ୍ଦିର ଛକ ନିକଟରେ ସୂର୍ଯ୍ୟୋଦୟ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିକଟରୁ ଲୁଟ୍ ହୋଇଥିବା ଘଟଣାରେ ପୋଲସରା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଘଟଣାରେ ଜଡିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆସିକା ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ଏମ କାଳୀ, ଓ ଆଉଲ ଶିବା ଏବଂ ପାକଲାପଲ୍ଲୀ ଗ୍ରାମର ଆଉଲା ସନ୍ତୋଷ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୯୮ହଜାର ପାଞ୍ଚଶହ ଟଙ୍କା, ଗୋଟିଏ ଟିଭିଏସ୍ ଆପାଚି ମୋଟର ସାଇକେଲ (ଓଡି ୨୫ ଏ ୦୮୬୧) ଓ ଦୁଇଟି “ଟି” ଆକୃତିର ଚାବି ଜବତ କରିଥିବା ନେଇ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ। ପୋଲସରାର ସୂର୍ଯ୍ୟୋଦୟ ଫାଇନାନ୍ସ କମ୍ପାନୀର କର୍ମଚାରୀ ଶ୍ରୀଧର ନାୟକ କୋଦଳାରୁ ବିଭିନ୍ନ ହିତାଧିକାରୀଙ୍କ ନିକଟରୁ ଅର୍ଥ ସଂଗ୍ରହ କରି ସନ୍ଧ୍ୟା ସମୟରେ ପୋଲସରା ଫେରୁଥିବା ବେଳେ ମାରଦା ମନ୍ଦିର ଛକ ନିକଟରେ ତିନିଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ । ଶ୍ରୀଧର ଧରିଥିବା ୧ଲକ୍ଷ ୧୪ହଜାର ଟଙ୍କା ଲୁଟ୍ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏନେଇ ଶ୍ରୀଧର ନାୟକ ପୋଲସରା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ପୋଲସରା ଥାନା କେସ ନଂ ୪୪୩/୨୧ ପ୍ରକାଶରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ବରେ ଏସ୍ଆଇ ସମୀର କୁମାର ବେହେରା ଓ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଅନୁସନ୍ଧାନ ଜାରି ରଖିଥଲେ । ଅଭିଯୁକ୍ତ ମାନେ ପୋଲସରା ବ୍ୟତୀତ ଜଗତସିଂହପୁର ଅଞ୍ଚଳରେ ମଧ୍ଯ ବିଭିନ୍ନ ଚୋରୀ ଘଟଣାରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ