ଲକ୍ଷ୍ମୀକାନ୍ତ ସରକାରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତିସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ, ସମାଜସେବୀ ତଥା ସାରସ୍ୱତ ସାଧକ ଇଂ ଲକ୍ଷ୍ମୀକାନ୍ତ ସରକାରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିସଭା ଗୋପାଳଗାଁସ୍ଥିତ ତାଙ୍କ ବାସଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ଆବାହକ ସମାଜସେବୀ ବିଧାନ ଚନ୍ଦ୍ର ରାୟ ଏଥରେ ସଭାପତିତ୍ୱ କରିଥିଲେ । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, କୃଷକନେତା ଅରଣ ଜେନା, ଆଇନଜୀବୀ ନିରଞ୍ଜନ ପରିଡ଼ା, ଭାଷା ସାହିତ୍ୟ ଗବେଷକ ଡ. ରମାକାନ୍ତ ବେହେରା, ସମାଜସେବୀ ଶତ୍ରୁଘ୍ନ ମଲିକ, ଅକ୍ଷୟ କୁମାର ତ୍ରିପାଠୀ, ଅଖିଳ କୁମାର ଦାସ, ଦେବୀ ପ୍ରସାଦ ପୃଷ୍ଠି, ଭଗବାନ ଦାସଖଣ୍ଡେଲୱାଲ, ଇଂ. ସୁଗତ ବୋଷ, ସୁକୁମାର ସେନ, ଶ୍ରୀରୂପା ମଞ୍ଜଳୀି ସେନ, ନଳିନୀକାନ୍ତ ପାତ୍ର ପ୍ରମୁଖ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦେଇ ଦିବଂଗତ ଲକ୍ଷ୍ମୀକାନ୍ତ ସରକାରଙ୍କ ବହୁବିଧ ପ୍ରତିଭା ଓ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଚାକିରୀରୁ ଅବସର ପରେ ସ୍ୱର୍ଗତ ସରକାର ସାରସ୍ୱତ ସାଧନା ସାଙ୍ଗକୁ ସମାଜସେବା ସକ୍ରିୟ ରହିଥିଲେ । ବିଭିନ୍ନ ସାମାଜିକ ତଥା ଗଣସଙ୍ଗଠନ ସହ ଜଡ଼ିତ ରହି ଲୋକଙ୍କ ସମସ୍ୟା ସାମାଧାନ ପ୍ରତି ସେ ସର୍ବଦା ଗୁରୁତ୍ୱ ଦେଇଆସିଥିଲେ । ସବୁଠାରୁ ବଡ଼କଥା ହେଲା ମୃତ୍ୟୁ ପର୍ଯ୍ୟନ୍ତ ସେ ସାଇକେଲ ଚଳାଇ ଯା’ଆସ କରୁଥିଲେ । ଅତ୍ୟନ୍ତ ସରଳ, ଅମାୟିକ ଓ ମେଳାପୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ଅବର୍ତ୍ତମାନକୁ ସମସ୍ତେ ଅନୁଭବ କରିପାରୁଛନ୍ତି ବୋଲି ଏହି ସ୍ମୃତିସଭାରେ ବକ୍ତାମାନେ କହିଥିଲେ । ତାଙ୍କର ସ୍ପଷ୍ଟବାଦିତା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ସ୍ମୃତି ସଭାରେ ବହୁ ବ୍ୟକ୍ତି ମତପ୍ରକାଶ କରିଥିଲେ ।ଏକମାତ୍ର କନ୍ୟା କସ୍ତୁରୀ ସରକାର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପତ୍ନୀ ଗୋପା ସରକାର, ଜ୍ୱାଇଁ ରଞ୍ଜନ ଦାସଗୁପ୍ତ, ନାତୁଣୀ ଜୟନ୍ତୀ ଦାସଗୁପ୍ତଙ୍କ ସମେତ କ୍ଷୀତିଶ୍ୱର ଦାଶ, ନଳନୀକାନ୍ତ ନାୟକ ପ୍ରମୁଖ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


