ଲକ୍ଷ୍ମୀ ନୃସିଂହ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁର ପ୍ରସିଦ୍ଧ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ପରିଚାଳନା ଉପଲକ୍ଷେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ପୌର କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ  ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ତହସିଲଦାର ପ୍ରଭାତ କୁମାର ପରିଡା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଯାତ୍ରା ଦିବସରେ ନିରନ୍ତର ବିଦ୍ୟୁତ ସେବା ଯୋଗାଣ, ପାନୀୟଜଳର ସୁବନ୍ଦୋବସ୍ତ, ସ୍ୱଚ୍ଛତା, ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ସହ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଯାତ୍ରା ଆରମ୍ଭ ଠାରୁ ଶେଷ ଦିବସ ପର୍ଯ୍ୟନ୍ତ  ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରବାସୀଙ୍କ ଆବଶ୍ୟକତା ଅନୁଯାୟୀ  ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ, ପ୍ରତ୍ୟହ ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥାର ସଠିକ ତଦାରଖ, ଯାତ୍ରା ସ୍ଥଳରେ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଜରୁରୀ କାଳିନ କ୍ଷେତ୍ରରେ ଆମ୍ବୁଲାନ୍ସ ସେବା ଓ ଯାତ୍ରାର ମୁଖ୍ୟ ଆକର୍ଷଣ ବାଣ ପଟୁଆର ସମୟରେ ସ୍ଥାନୀୟ ଅଗ୍ନିଶମ ବାହୀନି ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବା ସକାଶେ ବୈଠକରେ ସର୍ବ ସମ୍ମତି ମତ ପ୍ରକାଶ ପାଇଥିଲା । ବୈଠକରେ ବିଦ୍ୟୁତ୍ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସରୋଜ କୁମାର ମିଶ୍ର, ଅଗ୍ନିଶମ ଅଧିକାରୀ ଗୌତମ ସାହୁ, ଜନସ୍ୱାସ୍ଥ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାଶ, ବଡ ରଙ୍ଗଣିସାହି ଯାତ୍ରା ଅଧିକାରୀ ବଂଶୀଧର ସାହୁ, ହିମାଂଶୁ ବେହେରା, ଗୋପବନ୍ଧୁ ବେହେରା, ପର୍ଶୁରାମ ସାହୁ, ସୁବାଷ ସାହୁ, ଦିଲ୍ଲିପ ବୈଠାରୁ, ଭିକା ବେହେରାଙ୍କ ସମେତ ୩ ସାହିର ଯାତ୍ରା ପରିଚାଳନା କମିଟି ବୃନ୍ଧ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ୨ ବର୍ଷ ଧରି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଯାତ୍ରା ବନ୍ଦ ରହିଥିବା ବେଳେ କେବଳ ନୀତିକାନ୍ତି ମଧ୍ୟରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଯାତ୍ରାତ୍ସୋବ ପାଳନ କରାଯାଉଥିବାରୁ ହିଞ୍ଜିଳିକାଟୁ ସହରବାସୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ