ଲକ୍ଷ୍ମୀ ବସକୁ ପୂର୍ବପରି ମା’ ସିଂହାସିନୀ ପୀଠ ପର୍ଯ୍ୟନ୍ତ ନେବାପାଇଁ ଦାବୀ

ପୋଲସରା,(ଅନିଲ କୁମାର ମହାରଣା):ପୂର୍ବବର୍ତ୍ତୀ ସରକାରଙ୍କ ସମୟରେ ପ୍ରଥମେ ଯେତେବେଳେ ଲକ୍ଷ୍ମୀ ବସ ଗଡ଼ିବା ଆରମ୍ଭ ହେଲା ସେହି ସମୟ ଠାରୁ ଆଜକୁ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ପାଣ୍ଡିରିପଡା ପଞ୍ଚାୟତର କସିପଡା ଗ୍ରାମର ମା ସିଂହାସିନୀ ଛକ ପର୍ଯ୍ୟନ୍ତ ଯାଉଥିଲା। ମାତ୍ର ପ୍ରାୟ ପନ୍ଦର ଦିନ ହେଲା ଲକ୍ଷ୍ମୀ ବସ ପାଣ୍ଡିରିପଡା ଗ୍ରାମରେ ରହୁଅଛି। ପୂର୍ବରୁ କସିପଡା ଗ୍ରାମର ସିଂହାସିନୀ ଛକ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ ଯାଉଥିବା ବେଳେ ସେହି ନିକଟ ଅନ୍ଧାରୀ, ପନ୍ତିଆମା, ରଣିଝୋଳା, ରାଇପଡା, ନହରତୋଟା, କାଞ୍ଜିଆମା, ପୁଞ୍ଜିଆମା, ଖୁରା, ଉସ୍ତା, ଝିକିରି, ମହୁଲପଲ୍ଲୀ, ବିରିପୁର, ଆମ୍ବଖାଲ, ଖାରିବନ୍ଧ, ରାମ୍ପୁଡି ୧୫ ଖଣ୍ଡ ଆଦିବାସୀ ଗ୍ରାମର ଲୋକେ ସିଂହାସିନୀ ଛକରୁ ଲକ୍ଷ୍ମୀ ବସରେ ଯିବା ଆସିବା କରୁଥଲେ। ବର୍ତ୍ତମାନ ଲକ୍ଷ୍ମୀ ବସ ପଞ୍ଚାୟତ ହେଡ କ୍ୱାଟର ପାଣ୍ଡିରିପଡା ଗ୍ରାମରେ ରହିବା ଦ୍ୱାରା ପୋଲସରା ବ୍ଳକର ପାଣ୍ଡିରିପଡା ପଞ୍ଚାୟତର ଉପରୋକ୍ତ ୧୫ ଖଣ୍ଡ ଗ୍ରାମର ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, କ୍ଷୁଦ୍ର ବେପାରୀ, ମହିଳା ପ୍ରଭୃତି ଆଠ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଚାଲି ଚାଲି ଆସି ଲକ୍ଷ୍ମୀ ବସରେ ଯିବାକୁ ପଡୁଛି। ଚାଲି ଆସିବା ବେଳେ ଲକ୍ଷ୍ମୀ ବସ ଚାଲିଯାଇଥିଲେ ଘରୋଇ ବସରେ ସାତ ଆଠ ଗୁଣ ଟଙ୍କା ଦେଇ ପୋଲସରା ସହରକୁ ଆସିବାକୁ ପଡୁଛି। ଏହି ସବୁ କାରଣରୁ ପାଣ୍ଡିରିପଡା ପଞ୍ଚାୟତ ସରପଞ୍ଚ ରଘୁନାଥ ଭୂୟାଁଙ୍କ ନେତୃତ୍ୱରେ ସେହି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ପୀତବାସ ପ୍ରଧାନ, କୈଳାସ ଚନ୍ଦ୍ର ମହାରଣା, ବସନ୍ତ କୁମାର ବିଷୋୟୀ, ରମେଶ ଶବର, ପତିତ ଶବର, ପ୍ରଦୀପ କୁମାର ନାୟକ, ତପନ କୁମାର ନାୟକ, କୃଷ୍ଣ ନାୟକ, ବିପ୍ରଚରଣ ପ୍ରଧାନ, ଉପେନ୍ଦ୍ର ବେହେରା, ଲଡୁ ଶବର, ବସନ୍ତ ବିଷୋୟୀ, ସୁରେନ୍ଦ୍ର ଜାନୀ ସମେତ ଶତାଧିକ ମହିଳା ପୂର୍ବପରି ଲକ୍ଷ୍ମୀ ବସକୁ ପୋଲସରାରୁ ସିଂହାସିନୀ ଛକ ପର୍ଯ୍ୟନ୍ତ ନେବାକୁ ଦାବୀ କରି ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ତହସିଲଦାର ରୁବି ବେହେରା, ପୋଲିସ ଆଇଆଇସି କୌଶିକ ମାଝୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟୁ ମଧ୍ୟ ପଠାଇଛନ୍ତି। ପୂର୍ବପରି ଲକ୍ଷ୍ମୀ ବସ ସିଂହାସିନୀ ଛକ ପର୍ଯ୍ୟନ୍ତ ନଗଡ଼ିଲେ ରାସ୍ତାରୋକ ଆନ୍ଦୋଳନ କରିବା ପାଇଁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ