ଲକ୍ଷ୍ୟ ଠିକ୍ ଥିଲେ ଜୀବନରେ କର୍ମସଂସ୍ଥାନ ସୁଯୋଗ ନିଶ୍ଚୟ ଆସିବ : ପ୍ର. ନାରାୟଣ ସାହୁ

ବ୍ରହ୍ମପୁର,(ଅନିଲ କୁମାର):ପରିବର୍ତ୍ତିତ ପ୍ରେକ୍ଷାପଟରେ ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ବିଦ୍ୟାର୍ଥୀଙ୍କ ସମ୍ମୁଖରେ ଅନେକ ଆହ୍ୱାନ ରହିଛି l ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତର ବିଦ୍ୟାର୍ଥୀମାନେ ଗଭୀର ଅଧ୍ୟୟନ ସାଙ୍ଗକୁ କମ୍ପ୍ୟୁଟର୍ ତଥା ପ୍ରଯୁକ୍ତି ବିଦ୍ୟାରେ ସାଧାରଣ ଜ୍ଞାନ ଲାଭ କରିବା ଆବଶ୍ୟକ l ଲକ୍ଷ୍ୟ ଠିକ୍ ଥିଲେ ଓଡ଼ିଆ ବିଦ୍ୟାର୍ଥୀଙ୍କ ଜୀବନରେ କର୍ମସଂସ୍ଥାନ ସୁଯୋଗ ନିଶ୍ଚୟ ଆସିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପ୍ରାକ୍ତନ ମୁଖ୍ୟ ତଥା ବିଶିଷ୍ଟ ନାଟ୍ୟକାର ପ୍ରଫେସର୍ ନାରାୟଣ ସାହୁ ମତବ୍ୟକ୍ତ କରିଛନ୍ତି l
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୃତ୍ତି ଚୟନ କର୍ମଶାଳା ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ବିଷୟ ବିଶାରଦ ରୂପେ ଯୋଗଦେଇ ପ୍ରଫେସର୍ ସାହୁ କହିଲେ, ଓଡ଼ିଆ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଭବିଷ୍ୟତ କର୍ମ ସଂସ୍ଥାନ ଓ ଆତ୍ମନିର୍ଭରଶୀଳତା ଦିଗରେ ଅନେକ ସୁଯୋଗ ରହିଛି l ବିଷୟଗତ ଜ୍ଞାନ ସହିତ ଏକାଧିକ ଭାଷାରେ ପାରଦର୍ଶିତା ପ୍ରଦର୍ଶନ ଦ୍ୱାରା ବୃତ୍ତି ଆପଣା ଛାଏଁ ଉପଲବ୍ଧ ହେବ l
ସ୍ନାତକୋତ୍ତର ବିଭାଗ ପରିଷଦ ଅଧ୍ୟକ୍ଷା ପ୍ରଫେସର୍ ପଦ୍ମିନୀ ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ବୃତ୍ତି ଚୟନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତିର ବିଭିନ୍ନ ମାର୍ଗଦର୍ଶିକା ବିଷୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ l ବିଭାଗ ମୁଖ୍ୟା ଡ. ଉଷାରାଣୀ ରଥ ଏହି କର୍ମଶାଳାରେ ପୌରୋହିତ୍ୟ କରିବା ସଂଗେ ସଂଗେ ସ୍ୱାଗତ ସମ୍ଭାଷଣ ଏବଂ ଏଭଳି କର୍ମଶାଳା ଆୟୋଜନର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l
ଏହି କର୍ମଶାଳାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଉପସଚିବ ଡ. କୁଳମଣି ଓଝା ଅନ୍ୟତମ ବିଷୟ ବିଶାରଦ ରୂପେ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକ (ସମ୍ମାନ) ଓ ସ୍ନାତକୋତ୍ତର ଉପାଧିଧାରୀଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ପର୍ଯ୍ୟାପ୍ତ ଅବକାଶ ରହିଛି ବୋଲି କହିଥିଲେ l ଓଡ଼ିଆ ଭାଷାର ପ୍ରାଚୀନତା, ପ୍ରାମାଣିକତା ଓ ବୈଜ୍ଞାନିକତା ସଂପର୍କରେ ତଥ୍ୟାତ୍ମକ ସୂଚନା ପ୍ରଦାନ ପୂର୍ବକ ମନସ୍କ ଅଧ୍ୟୟନ, ପ୍ରଣାଳୀବଦ୍ଧ ଅନୁଶୀଳନ, ମୂଳଗ୍ରନ୍ଥ ପଠନ, ଅନ୍ୟୂନ ଚାରିଟି ଭାଷା ଯଥା-ମାତୃଭାଷା ଓଡ଼ିଆ, ରାଷ୍ଟ୍ରଭାଷା ହିନ୍ଦୀ, ଆନ୍ତର୍ଜାତିକ ଭାଷା ଇଂରାଜୀ ଓ ଦେବଭାଷା ସଂସ୍କୃତରେ ସମଦକ୍ଷତା ମାଧ୍ୟମରେ ଓଡ଼ିଆ ବିଦ୍ୟାର୍ଥୀ, ବିଦ୍ୟାର୍ଥିନୀମାନେ ବୃତ୍ତି ଚୟନ ନିମନ୍ତେ ସମର୍ଥ ହୋଇପାରିବେ l ବିଦ୍ୟାଳୟରେ ଶିକ୍ଷାଦାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହିତ ଅନୁବାଦ, ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ, ମୁଦ୍ରିତ ଓ ବିଦ୍ୟୁତ୍ ସଂବାହୀ ଗଣମାଧ୍ୟମ ସଂପାଦନା ବିଭାଗ, ବେତାର ଓ ଦୂରଦର୍ଶନ, ସୂଚନା ଓ ଲୋକ ସଂପର୍କ ବିଭାଗ, ସଂସ୍କୃତି ବିଭାଗ, ପ୍ରାଶାସନିକ ସେବା ଆଦି କ୍ଷେତ୍ରରେ ଉପଲବ୍ଧ କର୍ମସଂସ୍ଥାନ ତଥା ନିଯୁକ୍ତି ନିମନ୍ତେ ଓଡ଼ିଆ ଉପାଧିଧାରୀ ଛାତ୍ରଛାତ୍ରୀ ନିଜକୁ ଯୋଗ୍ୟତମ କରି ଗଢ଼ି ତୋଳିବା ଦିଗରେ କଠୋର ପରିଶ୍ରମ କରିବା ନିମନ୍ତେ ଡ. ଓଝା ଆହ୍ୱାନ ଜଣାଇବା ସହ ସଦୁପଦେଶ ପ୍ରଦାନ କରିଥିଲେ l
ବିଭାଗୀୟ ସହକାରୀ ପ୍ରଫେସର୍ ଡ. ମନୋରଞ୍ଜନ ବିଷୋୟୀ ଏହି କର୍ମଶାଳାର ସଂଯୋଜନା କରିବା ସଂଗେ ସଂଗେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ପ୍ରଫେସର୍ ନାରାୟଣ ସାହୁଙ୍କ ଦ୍ୱାରା ସଂପାଦିତ ୭୮୪ ପୃଷ୍ଠା ସମ୍ବଳିତ, ବିନୋଦବିହାରୀ, କଟକ ସ୍ଥିତ ସତ୍ୟନାରାୟଣ ବୁକ୍ ଷ୍ଟୋର୍ କର୍ତ୍ତୃକ ପ୍ରକାଶିତ ‘ଓଡ଼ିଆ ଉପନ୍ୟାସ ପରିଚିତି’ (ଚତୁର୍ଥ ଭାଗ) ଗ୍ରନ୍ଥର ଭବ୍ୟ ଲୋକାର୍ପଣ କରାଯାଇଥିଲା l ସେହିପରି ବିଭାଗର ପ୍ରାଚୀରପତ୍ର ‘ଶାଶ୍ୱତୀ’ ଅତିଥିମାନଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା l ଶେଷରେ ବିଭାଗୀୟ ସହଯୋଗୀ ପ୍ରଫେସର୍ ଡ. ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟତମ ସହକାରୀ ପ୍ରଫେସର୍ ସ୍ଵର୍ଣ୍ଣଲତା ବିଷୋୟୀ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ l ଏହି କର୍ମଶାଳାରେ ଓଡ଼ିଆ ସ୍ନାତକ (ସମ୍ମାନ) ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ